ନୂଆଦିଲ୍ଲୀ: ତେହେରାନରେ ପହଞ୍ଚିଛନ୍ତି ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡ । ଏହି ସମୟରେ ସେ ଏକ ସରକାରୀ ଶୋକ ସଭାରେ ଭାଗ ନେଇଛନ୍ତି । ସୂଚନାଥାଉକି, ହେଲିକପ୍ଟର ଦୁର୍ଘଟଣାରେ ରାଷ୍ଟ୍ରପତି ଇବ୍ରାହିମ ରାଇସି ଏବଂ ବୈଦେଶିକ ମନ୍ତ୍ରୀ ହୁସେନ୍ ଆମୀର ଅବଦୁଲ୍ଲାହାଙ୍କ ମୃତ୍ୟୁ ଘଟିଛି । ଏହା ପରେ ତେହେରାନରେ ଏକ ସରକାରୀ ଶୋକ ସମାରୋହ ଆୟୋଜନ କରାଯାଇଥିଲା । ଏହି ସମୟରେ ଉପରାଷ୍ଟ୍ରପତି ଧନଖଡ ଭାରତୀୟ ପ୍ରତିନିଧୀଙ୍କ ପ୍ରତିନିଧିତ୍ୱ କରିଥିଲେ।
ତେହେରାନର ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କହିଛି, 'ଭାରତର ଉପରାଷ୍ଟ୍ରପତି ସମବେଦନା ସମାରୋହରେ ଅଂଶଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ରାଇସି ଏବଂ ବୈଦେଶିକ ମନ୍ତ୍ରୀ ହୁସେନ୍ ଆମୀର ଅବଦୁଲ୍ଲାହାଙ୍କ ଦେହାନ୍ତରେ ସେ ସମବେଦନା ଜଣାଇଛନ୍ତି । ସ୍ୱର୍ଗତ ରାଷ୍ଟ୍ରପତି ଏବଂ ତାଙ୍କ ସହକର୍ମୀଙ୍କ ଅନ୍ତିମ ସଂସ୍କାରରେ ହଜାର ହଜାର ଲୋକ ଯୋଗ ଦେଇଥିଲେ । ପୃଥିବୀର ବିଭିନ୍ନ ସ୍ଥାନରୁ ଅନେକ ନେତା ତେହେରାନରେ ପହଞ୍ଚିଥିଲେ ।
ସୂଚନାଥାଉକି, ଯେ ଇରାନର ବରିଷ୍ଠ ନେତାଙ୍କ ମୃତ୍ୟୁକୁ ନେଇ ଭାରତରେ ଗୋଟିଏ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ରାଇସିଙ୍କ ଦେହାନ୍ତରେ ସମବେଦନା ଜଣାଇଛନ୍ତି । ଅନ୍ୟପକ୍ଷରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ନୂଆଦିଲ୍ଲୀରେ ଇରାନର ଦୂତାବାସ ପରିଦର୍ଶନ କରି ଏହି ଅପୂରଣୀୟ କ୍ଷତି ପାଇଁ ଭାରତର ସମବେଦନା ଜଣାଇଛନ୍ତି ।