ଲୋକନାଟ ଆଉ ଆଧୁନିକ ନାଟ ମିଶି ଆମ ଗାଁ'ନାଟ ଋଦ୍ଧିମନ୍ତ । ଆଧୁନିକ ନାଟ ଆରମ୍ଭ ହେବାର କାହିଁ କେତେ ଆଗରୁ ଗରିମାମୟ ପାରମ୍ପରିକ ତଥା ଦେଶୀୟ ମୌଳିକ ଲୋକନାଟଗୁଡ଼ିକ ଆମ ଗାଁ' ପରିବେଶରୁ ମହକି ପୁଣି ତାକୁଇ ମହକାଇ ଆସୁଛି । ସାହିତ୍ୟ, ନାଚ, ଗୀତ, ବାଜା ସାଙ୍ଗେ ଅଭିନୟ ମିଶି କେତେ କେତେ ପ୍ରାଚୁର୍ଯ୍ୟମୟ ତଥା ମନୋରମ ଲୋକନାଟ, ଭାରତର ଅନ୍ୟ ସବୁ ରାଜ୍ୟ ଭଳି ଆମ ରାଜ୍ୟରେ ବି ଦେଖିବାକୁ ମିଳେ । ଏହି ସୁଷମାମୟ ନାଟ ବିଧାଗୁଡ଼ିକରେ କଳାକାରମାନେ ପ୍ରଥମେ ବିଭିନ୍ନ ଦେବଦେବୀଙ୍କ ବନ୍ଦନା ଗାଇସାରି ସମର୍ପଣ ଭାବରେ ନାଟ ଆରମ୍ଭ କରନ୍ତି ଆଉ ଜଗତ-ଜନଙ୍କ ମଙ୍ଗଳ ମନାସି ଶେଷ କରନ୍ତି ।
ଚଇତିଘୋଡ଼ା ନାଟ, ଚଢ଼େଇଆ ନାଟ, ପାଲା, ଦାସକାଠିଆ, ଲୀଳା (ରାମ ଲୀଳା, କୃଷ୍ଣ ଲୀଳା, ରାସ ଲୀଳା, ରାଧାପ୍ରେମ ଲୀଳା, ଭାରତ ଲୀଳା ଆଦି), ସୁଆଙ୍ଗ, ସାହିଯାତ, ଧୁଡୁକୀ ନାଟ, ଦଧି ନାଟ, ରାବଣଛାୟା, ଦଣ୍ଡ ନାଟ, କଣ୍ଢେଇ ନାଟ, ପ୍ରହଲ୍ଲାଦ ନାଟ, ମୋଗଲ ତାମସା, ଯାତ୍ରା, ଗୀତିନାଟ୍ୟ, ଧନୁ ଯାତ୍ରା, ରାମ ନାଟ ଓ ଆହୁରି କେତେ ଭଳିକିଭଳି ରଙ୍ଗମୟ ଲୋକନାଟରେ ଭରପୂର ଆମ ରାଜ୍ୟର ଦେଶୀୟ ମୌଳିକ ନାଟ ଅମାର ।
ପ୍ରାୟତଃ ବିଭିନ୍ନ ପୁରାଣ କଥାରେ ସଜେଇ ହୋଇଥିବା ଏହି କାବ୍ୟମୟ ଲୋକନାଟକୁ ପାଠୁଆ, ଅପାଠୁଆ ସଭିଏଁ ଦେଖି, ଶୁଣି, ବୁଝିପାରନ୍ତି। ଏଥିରୁ ଲୋକେ କେତେ କେତେ ପୌରାଣିକ ଜାଗା, ସମୟ ଆଉ ଘଟଣା ସାଙ୍ଗକୁ ଚରିତ୍ରମାନଙ୍କ ବାବଦରେ ବି ଜାଣିପାରିଥାନ୍ତି । ମନୋରଞ୍ଜନ ସାଙ୍ଗକୁ ଏହା ପୁରାଣ କଥାଗୁଡ଼ିକୁ ଶିଖାଇ ସେମାନଙ୍କ ମନରେ ଭକ୍ତିରସ ପ୍ଳାବନ କରିପାରିଥାଏ । ସେମାନଙ୍କ ମନରେ ସୂକ୍ଷ୍ମ ଆଧ୍ୟାତ୍ମିକ ଚେତନା ଜାଗେ । ସେଥିରେ ଥିବା ବହୁ ତତ୍ତ୍ୱ, ହିତାହିତ ଜ୍ଞାନ, ସୁ'ର ସୁଫଳ ଓ କୁ'ର କୁପରିଣାମ ମଣିଷଙ୍କୁ ନିଜ କଥା ଆଉ କାମକୁ ସଜାଡ଼ି, ସଜେଇ ସେମାନଙ୍କ ମନରେ ମାନବୀୟ ମୂଲ୍ୟବୋଧର ଉଦୟ ପାଇଁ ପ୍ରେରଣା ଯୋଗାଏ । ଶେଷରେ ଅଭିନେତା ଆଉ ଦେଖଣାହାରୀ, ସଭିଙ୍କ ମନରେ ନିର୍ମଳ ଆନନ୍ଦ ଭରି ଦେଇଥାଏ । ଲୋକନାଟ କଳାକାରମାନେ ବିଶେଷ ତାଲିମ ପାଇ ବିଶେଷ ଦକ୍ଷତା ସମ୍ପନ୍ନ ହୋଇଥାନ୍ତି । ସେମାନେ ଚିର ନମସ୍ୟ । ସର୍ବସାଧାରଣ ଏହାକୁ ଅଭ୍ୟାସ କରି ମଞ୍ଚସ୍ଥ କରିବା ଭାରି କଷ୍ଟ ।
ବହୁ ପରେ, ପେସାଦାର ଗଣନାଟ୍ୟ ବା ଯାତ୍ରାଦଳମାନେ ମଧ୍ୟ ପ୍ରାରମ୍ଭିକ ଅବସ୍ଥାରେ ପୌରାଣିକ, ଐତିହାସିକ ଓ କିମ୍ବଦନ୍ତୀ ମୂଳକ ନାଟ ମଞ୍ଚସ୍ଥ କରି ଦର୍ଶକଙ୍କ ମନୋରଞ୍ଜନ ସହିତ ସେମାନଙ୍କୁ ଶିକ୍ଷିତ କରିପାରୁଥିଲେ ।
କାଳକ୍ରମେ ଆଧୁନିକ ଶିକ୍ଷାର ପ୍ରସାର ସହିତ ଗାଁ'ମାନଙ୍କରେ ଆଧୁନିକ ନାଟର ଶୁଭାରମ୍ଭ ହେଲା । ଆଧୁନିକ ତଥା ସାମ୍ପ୍ରତିକ ଘଟଣାମାନଙ୍କୁ ଆଧାର କରି କାହାଣୀ ପ୍ରଧାନ, ଘଟଣା ବହୁଳ, ବହୁ ଦୃଶ୍ୟମୟ ନାଟ ମଞ୍ଚସ୍ଥ ହେଲା । ଏଥି ସହିତ ସେତେବେଳେ ମଧ୍ୟ ପୌରାଣିକ, ଐତିହାସିକ ଓ କିମ୍ବଦନ୍ତୀ ଆଧାରରେ ନାଟ ମଞ୍ଚସ୍ଥ ହୋଇ ଚାଲିଥାଏ ।
ପାରମ୍ପରିକ ଲୋକନାଟ ହେଉ ବା ଆଧୁନିକ ନାଟ ଏସବୁର ମଞ୍ଚନ ତଥା ଆୟୋଜନ ପାଇଁ ଗାଁ' ଲୋକମାନେ ପୂର୍ଣ୍ଣପ୍ରାଣରେ ସାହାଯ୍ୟ ସହଯୋଗ ଓ ସମର୍ଥନ କରିଥାନ୍ତି ।
ଆଧୁନିକ ନାଟ ମଞ୍ଚସ୍ଥ ହେଲାବେଳେ ଗାଁ'ରେ ଯଦି କେହି ନାଟ୍ୟକାର, ନିର୍ଦ୍ଦେଶକ, ସଙ୍ଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ, ବାଦ୍ୟଯନ୍ତ୍ର ଶିଳ୍ପୀ, ନୃତ୍ୟ ନିର୍ଦ୍ଦେଶକ, ନୃତ୍ୟଦଳ, ନାରୀ ଅଭିନେତା (ପୂର୍ବରୁ ପୁରୁଷମାନେ ନାରୀ ଅଭିନୟ କରୁଥିଲେ) ଥାଆନ୍ତି ସେମାନଙ୍କୁ ଅଗ୍ରାଧିକାର ଦିଆଯାଇଥାଏ ନାଟରେ ଅଂଶ ଗ୍ରହଣ କରିବାକୁ, ନଥିଲେ ପେସାଦାର କଳାକାରମାନେ ଆମନ୍ତ୍ରିତ ହୁଅନ୍ତି ।
ବହି ବଛା ହୋଇ, ନିର୍ଦ୍ଦେଶକ ଆସି ରିହିଅରସାଲ ଆରମ୍ଭ ହୁଏ ଗାଁ'ର ଅଭିନେତାମାନଙ୍କୁ ନେଇ । ନିମନ୍ତ୍ରିତ ନିର୍ଦ୍ଦେଶକ ଗାଁ'ରେ ରୁହନ୍ତି । ତାଙ୍କ ଖିଆପିଆର ଗୁରୁଦାୟିତ୍ୱ ସାଧାରଣତଃ ଗାଁ' ଲୋକମାନେ ନିଜ ନିଜ ଘରେ ପାଳି କରି ବାଣ୍ଟି ନେଇ ସୁଚାରୁ ରୂପେ ଅତିଥି ସତ୍କାର କରିଥାନ୍ତି । କ୍ରମେ ଅନ୍ୟ ପେସାଦାର କଳାକାରମାନେ ଆସନ୍ତି । ସ୍ଥଳବିଶେଷରେ ସେମାନଙ୍କୁ ସାଧାରଣତଃ କୋଠଘର, ଭାଗବତ ଘର (ଟୁଙ୍ଗୀ), କ୍ଲବ ଘର, ସ୍କୁଲ ଘର, ଲାଇବ୍ରେରୀ, ନାରୀ କଲ୍ୟାଣ ସମିତି କିମ୍ବା ବିଭିନ୍ନ ଲୋକଙ୍କ ଘରେ ଭାଗବାଣ୍ଟି ରଖାଯାଏ । କୋଠରେ ରନ୍ଧାହୋଇ ଖିଆପିଆ ହୁଏ । ଚାଉଳ, ଡାଲି, ପନିପରିବା ଯାହା ଘରେ ଯାହା ଥାଏ ସେମାନେ ଆଣି ଦେଇଯାନ୍ତି । ଏମିତି ଯଦି ନହୋଇପାରେ, ଅତିଥି କଳାକାରମାନଙ୍କ ଖାଇବା ପିଇବା ଦାୟିତ୍ୱ ଘରକୁ ଘର ବଣ୍ଟା ହୋଇଯାଏ । ଲୋକମାନେ ସେମାନଙ୍କୁ ଅତିଥି ଭଳି ଚର୍ଚ୍ଚା କରନ୍ତି । ଫଳରେ ପରିବାରମାନଙ୍କ ସହିତ ସେମାନଙ୍କର ଅମୂଲ୍ୟ ଆତ୍ମୀୟ ସମ୍ପର୍କ ଗଢ଼ିଉଠେ । ଗାଁ' ଉତ୍ସବମୁଖର ହୋଇଉଠେ ।
ଘରୁ ଘରୁ ଚାନ୍ଦା ଆଦାୟ ହୁଏ । ନଦେଇପାରିବା ଲୋକ ଶ୍ରମ ଦାନ କରନ୍ତି । କୋଠରେ ରନ୍ଧାବଢ଼ାଠୁ ପେଣ୍ଡାଲ ତିଆରି କରିବାଯାଏ ବହୁ କାମରେ ସାମିଲ ହୋଇ ସେମାନେ ନାଟ ସାଙ୍ଗେ ଯୋଡ଼ି ହୋଇଯାଆନ୍ତି । ଯେଉଁ ବୟସ୍କ ଗୁରୁଜନମାନେ ଏହି ଦୁଇଟିଯାକ ପାଇଁ ସମର୍ଥ ନଥାନ୍ତି ସେମାନେ ନିଜ ନିଜ ମନକୁ ସମର୍ପି ଦେଇଥାନ୍ତି ନାଟର ଶୁଭ ମନାସି, ମଙ୍ଗଳ କାମନା କରି ।
ଯୋଉଠି ସିମେଣ୍ଟ ପେଣ୍ଡାଲ ନଥାଏ ସେଠି ଗାଁ'ଭାଇମାନେ ମାଟି ପକାଇ ଉଚ୍ଚା ପେଣ୍ଡାଲ ତିଆରି କରି ତା'ଉପରେ ଛାମୁଣ୍ଡିଆ ବାନ୍ଧନ୍ତି । ଆଜିକାଲି ଅବଶ୍ୟ ଅନେକ ସ୍ଥାନରେ ଏହି ଦାୟିତ୍ୱ ଟେଣ୍ଟ ହାଉସ୍ ଉପରେ ନ୍ୟସ୍ତ କରିଦିଆଯାଉଛି । ଚତୁର୍ମୁଖୀ ରଙ୍ଗମଞ୍ଚରେ ନହୋଇ ଯଦି ଏକମୁଖୀ ରଙ୍ଗମଞ୍ଚରେ ନାଟ ହେଉଥାଏ ସେଥିପାଇଁ ଚିତ୍ରାଳୟରୁ ସିନ୍ ଆସି ଟଣାହୁଏ । ବେଶ, ପୋଷାକ ମଧ୍ୟ ସେଠୁ ଆସେ । ଲାଇଟ୍, ମାଇକ୍ ବି ଭଡ଼ାରେ । ଏସବୁର ପରିଚାଳନା ପାଇଁ ଲୋକମାନେ ମଧ୍ୟ ଆସିଥାନ୍ତି । ଏହି ଅତିଥିମାନଙ୍କର ଚର୍ଚ୍ଚା ପାଇଁ ଆୟୋଜକମାନେ ତତ୍ପର ଥାଆନ୍ତି । ଗାଁ'ରେ ରହୁଥିବା ଲୋକେ ନାଟ ଦେଖିବା ସ୍ୱାଭାବିକ । କିନ୍ତୁ, ବାହା ହୋଇଯାଇଥିବା ଗାଁ' ଝିଅମାନେ ତାଙ୍କ ପିଲାଛୁଆଙ୍କୁ ଧରି ଆସନ୍ତି । ଚାକିରି ପାଇଁ ବାହାରେ ରହୁଥିବା ଲୋକମାନେ ବି ନାଟ ଦେଖିବାକୁ ଆସନ୍ତି । ସବୁଠୁ ବଡ଼ କଥା ହେଲା, ଆଖପାଖ ଗାଁ'ର ଲୋକମାନେ ମଧ୍ୟ ନିମନ୍ତ୍ରିତ ହୋଇ ଆସିଥାନ୍ତି । ଲାଗେ, ସମସ୍ତେ ଗୋଟେ ଗାଁ'ର ।
ଗାଁ'କୁ ଗାଁ' ଯୋଡ଼ି ହୋଇ ଭାଇଚରା ବଢ଼ୁଚି । ସମସ୍ତେ ଏକାଠି, ଏକ ମନପ୍ରାଣରେ ଲାଗିଥାନ୍ତି ନାଟକୁ ସଫଳ କରିବାକୁ । ବିଫଳତାର ପ୍ରଶ୍ନ ନଥାଏ । ଅଭିନୟ କରୁଥିବା କଳାକାରମାନଙ୍କୁ ଦର୍ଶକମାନେ ପ୍ରାୟ ସମସ୍ତେ ଆଗରୁ ଚିହ୍ନିଥାନ୍ତି ତଥାପି ଯିଏ ଯୋଉ ପାର୍ଟ (ଅଭିନୟ) କରୁଥାନ୍ତି ତାକୁ ସେମାନେ ପୂର୍ଣ୍ଣପ୍ରାଣରେ ଗ୍ରହଣ କରନ୍ତି । ସେମାନଙ୍କ ଅଭିନୟରେ ମୁଗ୍ଧ ହୋଇ ଅର୍ଥ ପୁରସ୍କାର ମଧ୍ୟ ଦିଅନ୍ତି । ଖୁଣକୁ ଆଖି ବୁଜିଦେଇ ମନଖୋଲା ବିଶ୍ୱାସରେ ଗୁଣକୁ ଗ୍ରହଣ କରନ୍ତି । ଗ୍ରହଣ କରିବା, ପ୍ରଶଂସା କରିବା ଏକ ନମନୀୟ ତଥା ମହନୀୟ ଗୁଣ । ସୁସ୍ଥ ମନର ପରିଚୟ । ସୁସ୍ଥ ମନ ହିଁ ସୁସ୍ଥ ଶରୀର ରକ୍ଷାର ରହସ୍ୟ ବୋଲି ବିଶ୍ୱାସ କରାଯାଏ ।
ନାଟ ସରେ । କଳାକାରମାନଙ୍କ ପ୍ରଶଂସାରେ ଶତମୁଖ ହୁଅନ୍ତି ଦେଖଣାହାରୀମାନେ । କଳାନିପୁଣତା ପ୍ରଦର୍ଶନ କରି କଳାକାରମାନେ ଯେତିକି ଆନନ୍ଦ ପାଆନ୍ତି ଦର୍ଶକମାନେ ମଧ୍ୟ ଅଭିନୟକୁ, ନାଟକୁ ବିଶ୍ୱାସରେ ଗ୍ରହଣ କରି, କଳାକାରମାନଙ୍କୁ ପ୍ରଶଂସା କରି ସେତିକି ଆନନ୍ଦିତ ହେଲା ଭଳି ଲାଗେ । ଆନନ୍ଦ ହିଁ ସବୁ କଳାର ଚରମ ଉଦ୍ଦେଶ୍ୟ । ସଫଳତା କେବଳ କଳାକାରମାନଙ୍କର ନୁହେଁ ଗାଁ' ଗୋଟାକ ଯାକର, ଏମିତିଆ ଭାବଟିଏ ସଞ୍ଚାରିତ ହୁଏ । ଗାଁ'ସାରା ମିଶି ସଫଳ, ଜୟଯୁକ୍ତ କରିଥାନ୍ତି ନାଟକୁ । ନାଟ ସମାଜ, ଦର୍ଶକ ସାମାଜିକ ।
ଦର୍ଶକମାନେ ଚାଲିଯାଆନ୍ତି । ଆମନ୍ତ୍ରିତ ଅତିଥି କଳାକାରମାନଙ୍କ ବିଦାୟ ବେଳେ ଭାବାବେଗମୟ ପରିବେଶଟିଏ ଆପେ ସୃଷ୍ଟି ହୁଏ । ଯାହାର ମୂଳଦୁଆ ମଣିଷ ମଣିଷର ସ୍ନେହ, ସମ୍ପର୍କ ଆଉ ଆତ୍ମୀୟତା । ଏତିକି ଦିନ ରହଣି ଭିତରେ ଗାଁ' ଲୋକଙ୍କ ସାଙ୍ଗେ ସେମାନଙ୍କର ଭାବଗତ ସମ୍ପର୍କ ଗଢ଼ି ଉଠିଥାଏ । ସେମାନେ ଫେରିଯାଆନ୍ତି । ସ୍ମୃତିରେ ରହିଯାଏ ନିବିଡ଼ ସମ୍ପର୍କର ସୁଦୃଢ଼ ଅଦୃଶ୍ୟ ସୂତାଖିଏ । ଗୋଷ୍ଠୀଗତ ଉଦ୍ୟମରେ, ବହୁ ଲୋକଙ୍କ ସମ୍ମିଳିତ ସ୍ନେହ, ସଦିଚ୍ଛା ଆଉ ସହଯୋଗରେ ଜନମାନସକୁ ମନୋରଞ୍ଜନ ମାଧ୍ୟମରେ ଶିକ୍ଷିତ କରିବାକୁ ଏହି ଜନକଲ୍ୟାଣୀୟ ନାଟ ମଞ୍ଚସ୍ଥ ହେବାବେଳେ ନିରବରେ ଝଙ୍କୃତ ହେଉଥାଏ ବେଦର ଅମୃତ ବାଣୀ "ବହୁଜନ ସୁଖାୟ ବହୁଜନ ହିତାୟ' ।
ଏଥିରେ ଗାଁ' ନାଟ ପ୍ରସ୍ତୁତି ବିଷୟରେ ଯାହା ଯେପରି ଲେଖାଯାଇଛି ସବୁ ଗାଁ'ରେ ସେପରି ନହେଉଥାଇପାରେ । ହୋଟେଲ, ବଜାର ବଢ଼ିଲାଣି । ଯାତାୟାତ ଓ ଯୋଗାଯୋଗର ବି ବହୁତ ସୁବିଧା ହେଲାଣି । ସମୟ ବଦଳିବା ସାଙ୍ଗକୁ ନାଟର ରୂପରେଖ ଓ ମଞ୍ଚନ ପାଇଁ ଆୟୋଜନର ମାର୍ଗ ଓ ପ୍ରକ୍ରିୟା ମଧ୍ୟ ବଦଳି ଚାଲିବ । ପରିବର୍ତ୍ତନ ହିଁ ସତ୍ୟ । କଳା ଅନନ୍ତ ।