ମାଲକାନଗିରି : ବିଭିନ୍ନ ସମସ୍ୟା ନେଇ ବିଏଲପୁର ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପକାଇବା ସହ କେନ୍ଦ୍ର ସମ୍ମୁଖରେ ଧାରଣା ଦେଇଛନ୍ତି ଗ୍ରାମବାସୀ। ମାଲକାନଗିରି ଜିଲ୍ଲା ସଦର ବ୍ଲକ ମାରକାପାଲି ପଞ୍ଚାୟତ ବୁଟିଗୁଡା ଗାଁରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
ଗାଁରେ ଥିବା ଅଙ୍ଗନବାଡି କେନ୍ଦ୍ରର ଅବ୍ୟବସ୍ଥାକୁ ନେଇ ଉତ୍ତେଜନା ଦେଖା ଦେଇଥିବା ବେଳେ କାର୍ଯ୍ୟରତ ଅଙ୍ଗନବାଡି ଦିଦିଙ୍କ ମନମୁଖୀ କାର୍ଯ୍ୟ ପାଇଁ ଆଜି କେନ୍ଦ୍ରରେ ତାଲା ପକାଇଛନ୍ତି ଗ୍ରାମବାସୀ। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗର୍ଭବତୀ ଓ ଛୋଟ ପିଲାଙ୍କ ପୁଷ୍ଟି ସାଧନ ପାଇଁ ଆସୁଥିବା ଅଣ୍ଡା ଓ ଅନ୍ୟାନ୍ୟ ସାମଗ୍ରୀକୁ ଦିଦି ଲୁଟ୍ କରୁଥିବା ବେଳେ କେନ୍ଦ୍ରକୁ ନିୟମିତ ଆସୁ ନାହାନ୍ତି।
ଏହାସହ ପୂର୍ବରୁ ଗ୍ରାମବାସୀ ଏଥିପାଇଁ ସିଡିପିଓଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଆଜି ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇ ପ୍ରତିବାଦ କରିଛନ୍ତି ଗ୍ରାମବାସୀ। ଏପଟେ ତାଲା ପକାଇବା ଖବର ପାଇ ସିଡିପିଓ ଘଟଣାସ୍ଥଳରେ ପହଁଚି ଥିବାବେଳେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ।