ନୂଆଦିଲ୍ଳୀ: ସିଲଭର ମେଡାଲ ଲାଗି ଭିନେଶ ଫୋଗାଟଙ୍କୁ ଆହୁରି ଅପେକ୍ଷା କରିବାକୁ ହେବ । ତାଙ୍କ ମାମଲାରେ ରାୟ ଅଗଷ୍ଟ ୧୬ରେ ଆସିବ । ଭାରତୀୟ ମହିଳା ରେସଲର ଭିନେଶ ଫୋଗାଟ ପ୍ୟାରିସ ଅଲିମ୍ପିକ୍ସର ଗୋଲ୍ଡ ମେଡାଲ ମ୍ୟାଚ୍ ପୂର୍ବରୁ ଅଯୋଗ୍ୟ ଘୋଷିତ ହୋଇଥିଲେ। ତାଙ୍କ ଶରୀରର ଓଜନ ୧୦୦ ଗ୍ରାମ ଅଧିକ ହେବାରୁ ତାଙ୍କୁ ଫାଇନାଲ୍ରେ ଖେଳିବାକୁ ଅନୁମତି ମିଳିନଥିଲା ।
ସେପଟେ ସେମିଫାଇନାଲରେ ସେ ବିଜୟୀ ହୋଇଥିବାରୁ ତାଙ୍କୁ ରୌପ୍ୟ ପଦକ ମିଳିବା ଦରକାର ବୋଲି ଦାବି ହୋଇଛି । ଏନେଇ ଫୋଗାଟଙ୍କ ପକ୍ଷରୁ କୋର୍ଟ ଅଫ ଆର୍ବିଟ୍ରେସନ୍ ଫର ସ୍ପୋର୍ଟସ୍ (ସିଏଏସ୍)ରେ ଆବେଦନ ହୋଇଥିଲା । ହେଲେ ସିଏଏସ୍ ଶୁଣାଣି କରି ନିଜର ରାୟ ପ୍ରକାଶ କରିବାର ଥିଲା । କିନ୍ତୁ ’ତାରିଖ ପେ ତାରିଖ’ ନୀତିରେ ସିଏଏସ । ପ୍ରଥମେ ଅଗଷ୍ଟ ୧୧ ଏବଂ ପରେ ଅର୍ଥାତ ଆଜି (ମଙ୍ଗଳବାର) ରାତି ୯.୩୦ରେ ରାୟ ଆସିବାର ଥିଲା । କିନ୍ତୁ ଏବେ ରାୟ ପାଇଁ ଅଗଷ୍ଟ ୧୬ ପର୍ଯ୍ୟନ୍ତ ଫୋଗାଟଙ୍କୁ ଅପେକ୍ଷା କରିବାକୁ ହେବ ।
ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ରେ ଭିନେଶ ୫୦ କିଲୋଗ୍ରାମ ବର୍ଗରେ ଲଢୁଥିଲେ। ତାଙ୍କର ଦୃଢ ପ୍ରଦର୍ଶନ ସହିତ ସେ ରୌପ୍ୟ ପଦକ ନିଶ୍ଚିତ କରିଥିଲେ। କିନ୍ତୁ ସ୍ୱର୍ଣ୍ଣ ପଦକ ମ୍ୟାଚ୍ ପୂର୍ବରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଭିନେଶଙ୍କ ଓଜନ ମାତ୍ର ୧୦୦ ଗ୍ରାମ ଅଧିକ ଥିଲା। ଓଜନ ହ୍ରାସ କରିବାକୁ ସେ ରାତିସାରା କଠିନ ପରିଶ୍ରମ କରିଥିଲେ। ଏପରିକି କେଶ ଓ ନଖ କାଟିବାକୁ ପଡିଥିଲା । ତଥାପି ୧୦୦ ଗ୍ରାମ ଅଧିକ ଓଜନ ରହିବାରୁ ସେ ଅଲିମ୍ପିକରୁ ଆଉଟ ହୋଇଥିଲେ ।