ଭୁବନେଶ୍ୱର ୦୩/୦୯: ୭ ତାରିଖ ଆଗରୁ ରାଜ୍ୟରେ ବର୍ଷା ସମ୍ଭାବନା ନାହିଁ । କିଛି ସ୍ଥାନରେ କ୍ୱଚିତ୍ ବର୍ଷା ହୋଇପାରେ । ୫ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୫ଦିନ ସମୁଦ୍ରରେ ରହିବା ପରେ ଏହା ଅବପାତରେ ପରିଣତ ହେବ । ଏହା ପ୍ରଭାବରେ ୮ ଓ ୯ ତାରିଖରେ ଦକ୍ଷିଣ ଓଡ଼ିଶାରେ ଭାରୀ ବର୍ଷା ହୋଇପାରେ । ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ଏହି ଆକଳନ କରିଛନ୍ତି ।
୭ ତାରିଖରେ ରାୟଗଡ଼ା, ମାଲକାନଗିରି ଓ କୋରାପୁଟରେ ବର୍ଷା ସମ୍ଭାବନା ଅଛି । ୮ ଓ ୯ ତାରିଖରେ ଭାରୀ ବର୍ଷା ହେବ । ଅବପାତ ସୃଷ୍ଟି ପରେ ଏହା ଉତ୍ତର ଆଡ଼କୁ ଗତି କରିପାରେ । ୯ ବା ୧୦ ତାରିଖରେ ଉତ୍ତର ଓଡ଼ିଶା ବା ସଂଲଗ୍ନ ପଶ୍ଚିମବଙ୍ଗ ଦେଇ ସ୍ଥଳଭାଗକୁ ଅତିକ୍ରମ କରିବ । ୯ରୁ ୧୧ ତାରିଖ ଯାଏ ରାଜ୍ୟରେ ବର୍ଷା ବଢ଼ିବ । ପାରାଦୀପରୁ ସମ୍ବଲପୁରକୁ ସଂଯୋଗ କରୁଥିବା ସରଳରେଖାର ଦକ୍ଷିଣରେ ବର୍ଷା ହେବ । କିନ୍ତୁ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ନାହିଁ ବୋଲି ଡ. ପଶୁପାଳକ ପୂର୍ବାନୁମାନ କରିଛନ୍ତି । ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନ୍ରେ କୁହାଯାଇଛି, ୫ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତିରେ ୭୦ରୁ ୧୧୦ ମିମି ଯାଏ ବର୍ଷା ହୋଇପାରେ । ୬ ତାରିଖରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ ଓ ଗଜପତିରେ ଭାରୀ ବର୍ଷା ସମ୍ଭାବନା ଅଛି । ଆଜି ରାଉରକେଲାରେ ୧୯.୨ମିମି ବର୍ଷା ହୋଇଛି । ଯାଜପୁରରେ ୧୨, ବଲାଙ୍ଗୀରରେ ୯ ଓ କେନ୍ଦୁଝରରେ ୭.୨ମିମି ବର୍ଷା ହୋଇଛି ।