ଭୁବନେଶ୍ୱର, ୦୧/୦୯: ଆସନ୍ତା ୪ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ସମୁଦ୍ରରେ ୪ ଦିନ ରହି ବଳ ଜୁଟାଇବା ପରେ ଅବପାତରେ ପରିଣତ ହେବ । ଏହାର ପ୍ରଭାବରେ ୭ ଓ ୮ ତାରିଖ ଦୁଇ ଦିନ ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ, ରାୟଗଡ଼ା ଓ ଗଜପତିର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି ।
ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ, ଦକ୍ଷିଣ ଓଡ଼ିଶାରେ ସୃଷ୍ଟି ହୋଇଥିବା ଅବପାତ ଏବେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଶନିବାର ମଧ୍ୟରାତ୍ରିରେ ଏହା ବିଶାଖପାଟଣା ଓ ଗୋପାଳପୁର ମଝିରେ ଅତିକ୍ରମ କରିବ । ଅବପାତ ପ୍ରଭାବରେ ବିଜୟୱାଡ଼ା, ହାଇଦ୍ରାବାଦ ଓ ସୋଲାପୁର ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ ବୋଲି ଡ. ପଶୁପାଳକ କହିଛନ୍ତି । ଅବପାତ ପାଇଁ ରାଜ୍ୟରେ ଆସନ୍ତା ତିନି ଦିନ ଯାଏ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାରେ ସ୍ୱଳ୍ପ ବର୍ଷା ହୋଇପାରେ । ଏ ସବୁ ସ୍ଥାନରେ ହାରାହାରି ୩୦ରୁ ୩୫ମିମି ବର୍ଷା ହେବ ବୋଲି ସେ କହିଛନ୍ତି । ଆସନ୍ତା ସପ୍ତାହେ ଯାଏ ପଶ୍ଚିମ, କେନ୍ଦ୍ରୀୟ ଓ ଉତ୍ତର ଓଡ଼ିଶାରେ ବିକ୍ଷିପ୍ତ ବର୍ଷା ସମ୍ଭାବନା ଅଛି । ଉପକୂଳରେ ୩୦ରୁ ୩୫ ମିମି ବର୍ଷା ହୋଇପାରେ ବୋଲି ଡ. ପଶୁପାଳକ କହିଛନ୍ତି ।
ପାଣିପାଗ ବିଭାଗର ଆକଳନ କହୁଛି, ରବିବାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ପ୍ରବଳ ବର୍ଷା ହୋଇପାରେ । ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ଅଛି ।
ଶନିବାର ଦାରିଙ୍ଗିବାଡ଼ିରେ ୧୭ ମିମି, କୋରାପୁଟରେ ୧୪.୨, ଢେଙ୍କାନାଳରେ ୧୧.୨ ଓ ୪ ନୟାଗଡ଼ରେ ୧୦ମିମି ବର୍ଷା ହୋଇଛି । ଏବେ ସଅଳ କିସମ ଧାନ ଲିଙ୍ଗ ସଞ୍ଚାର ଅବସ୍ଥାକୁ ଆସିଛି । ଏଥିରେ ଯବକ୍ଷାରଜାନ ଶୀର୍ଷ ସାର ପ୍ରୟୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଆଗକୁ ବର୍ଷା କମିପାରେ । ଏଥିପାଇଁ ଧାନ କ୍ଷେତରେ ପାଣି ବାନ୍ଧି ରଖିବାକୁ ଡ. ପଶୁପାଳକ ପରାମର୍ଶ ଦେଇଛନ୍ତି ।