ନୂଆଦିଲ୍ଲୀ, ୯।୯: ବିଶ୍ୱକୁ ଘାରିଲାଣି ଚିନ୍ତା । ଚୀନରେ ସୃଷ୍ଟି ହେଲା ଆଉ ଏକ ଭାଇରସ୍ । ସିଧାସଳଖ ବ୍ରେନ୍ ଉପରେ କରିବ ଆଟାକ । ଟିଙ୍କମାନଙ୍କଠାରୁ ମଣିଷଙ୍କୁ ବ୍ୟାପୁଛି ଏହି ମାରାତ୍ମକ ଭାଇରସ୍ । ସ୍ଥିତି ଗମ୍ଭୀର ହେଲେ କୋମାକୁ ବି ଯାଇପାରନ୍ତି ରୋଗୀ । ନିକଟରେ ଚୀନରେ ନୂଆ ନୂଆ ଭାଇରସ୍ ଉତ୍ପନ୍ନ ହେଉଥିବା ବେଳେ ବର୍ତ୍ତମାନ ଆଉ ଏକ ଭାଇରସ୍ ବିଶ୍ୱବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଯାହାର ନାଁ ରହିଛି ୱେଟଲାଣ୍ଡ ବା WELV । ଏହା ମୁଖ୍ୟତଃ ଟିଙ୍କମାନଙ୍କଠାରୁ ମଣିଷଙ୍କୁ ବ୍ୟାପିଥାଏ । ଏହାର ସଂକ୍ରମଣରେ ଜ୍ୱର ହେବା ସହ ମୁଣ୍ଡବିନ୍ଧା, ବାନ୍ତି ଭଳି ଲକ୍ଷଣ ଦେଖାଯାଏ । ଯଦି ଗମ୍ଭୀର ସ୍ଥିତି ଉପୁଜେ, ତାହେଲେ ରୋଗୀର ମସ୍ତିଷ୍କ ଉପରେ କୁପ୍ରଭାବ ପଡ଼େ, ଫଳରେ ଜଣେ କୋମାକୁ ଚାଲିଯିବାର ମଧ୍ୟ ସମ୍ଭାବନା ଥାଏ ।
ଅନ୍ୟ ଭାଇରସ୍ ତୁଳନାରେ ଏହା ଖୁବ୍ ମାରାତ୍ମକ ବୋଲି କୁହାଯାଉଛି । କାରଣ ଏହା ସିଧାସଳଖ ମଣିଷର ମସ୍ତିଷ୍କ ଉପରେ ପ୍ରଭାବ ପକାଉଛି । ଯାହା ଫଳରେ ରୋଗୀ କୋମାକୁ ବି ଚାଲିଯାଇପାରନ୍ତି । ଏହି ଭାଇରସ୍ର ଚିହ୍ନଟ ପ୍ରଥମେ ୨୦୧୯ ଚୀନର ଜିନଝଉ ସହରରେ ଜଣେ ୬୧ ବର୍ଷୀୟ ରୋଗୀଙ୍କଠାରେ ଚିହ୍ନଟ ହୋଇଥିଲା । ଉତ୍ତର ଚୀନରେ ପ୍ରାୟ ୧୪ ହଜାର ୬୦୦ ଟିଙ୍କକୁ ନେଇ ପରୀକ୍ଷା କରାଯାଇଥିଲା । ଏଥିମଧ୍ୟରୁ ୨ ପ୍ରତିଶତଙ୍କଠାରେ WELV ପଜିଟିଭ୍ ମିଳିଥିଲା । ଏମାନେ ମୁଖ୍ୟତଃ ହେମାଫିସେଲିସ କାଂନସିନା ପ୍ରଜାତିର ଟିଙ୍କ । ଏହି ଭାଇରସ୍ ଟିଙ୍କ ବ୍ୟତୀତ ମେଣ୍ଡା, ଘୋଡ଼ା ଓ ଘୁଷୁରିଙ୍କଠାରୁ ମଧ୍ୟ ବ୍ୟାପିଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସଂକ୍ରମଣ ଅଞ୍ଚଳରେ ଲୋକମାନଙ୍କର ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଥିଲା । ଯେଉଁଥିରେ ୬୪୦ ମଧ୍ୟରୁ ୧୨ ଜଣ WELV ଭାଇରସ୍ର ଆଣ୍ଟିବଡି ହୋଇଥିବା ବେଳେ ୨୦ ଜଣଙ୍କଠାରେ WELV ପଜିଟିଭ୍ ଦେଖାଦେଇଥିଲା ।
ମସ୍କିଷ୍କ ଓ ମେରୁଦଣ୍ଡରେ ତରଳ ପଦାର୍ଥରେ ଅଧିକ ସଂଖ୍ୟାରେ ଶ୍ୱେତ ରକ୍ତ କଣିକା କାରଣରୁ ରୋଗୀ କୋମାକୁ ଚାଲିଯାନ୍ତି । ଏହି ଭାଇରସ୍ର ସଂକ୍ରମଣ କାରଣରୁ ସ୍ନାୟୁଗତ ସମସ୍ୟା ମଧ୍ୟ ଦେଖାଦେଇପାରେ । କେଉଁଠାରେ ସାମାନ୍ୟ ଲକ୍ଷଣ ଦେଖାଯାଉଥିବା ବେଳେ କିଛି ଲୋକଙ୍କଠାରେ ଗମ୍ଭୀର ମାମଲା ଦେଖାଦେଇଥାଏ । ବିଶେଷଜ୍ଞଙ୍କ ମତରେ, ଚୀନର ଭିନ୍ନ ଭିନ୍ନ ଫାର୍ମରୁ ପାଖାପାଖି ୧୨୫ ଭାଇରସ୍ ମଧ୍ୟରୁ ୩୯ଟି ଭାଇରସ୍ ପଶୁମାନଙ୍କଠାରୁ ମଣିଷଙ୍କୁ ବ୍ୟାପିଥାଏ । ତେବେ ଭାରତରେ ଏହି ଭାଇରସ୍ ପାଇଁ କୌଣସି ଆଶଙ୍କା ନଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।