ଋଷ ୟୁକ୍ରେନ୍ ମଧ୍ୟରେ ଗତ ଅଢେଇ ବର୍ଷ ହେବ ଯୁଦ୍ଧ ଜାରି ରହିଛି। ଦୁଇପଟୁ ବିଭିନ୍ନ ପ୍ରକାର ହତିଆର ଓ କେମିକାଲର ବ୍ୟବହାର ଏହି ଯୁଦ୍ଧରେ କରାଯାଉଛି। ଫଳରେ ଶତ୍ରୁ ଦେଶକୁ ଅଧିକରୁ ଅଧିକ କ୍ଷତି ପହଁଞ୍ଚାଇ ହେବ। ଏହା ଭିତରେ ୟୁକ୍ରେନ୍ ଋଷ ଉପରେ ବହୁ ଘାତକ ଆକ୍ରମଣ କରିଛି। ଯେଉଁଥିରେ ୟୁକ୍ରେନ୍ ଡ୍ରୋନ୍ରୁ ଋଷ ଅଞ୍ଚଳରେ ଥିବା ମୋଲ୍ଟେନ୍ ଥରମାଇଟ୍ ମାଡ କରିଛି। ସୋସିଆଲ ମିଡିଆରେ ପ୍ରସାରିତ ଏକ ଭିଡିଓରେ ଦେଖିବାକୁ ମିଳିଛି ୟୁକ୍ରେନ୍ ଡ୍ରୋନ୍ ଋଷର ଅଞ୍ଚଳରେ ଦହନଶୀଳ ପଦାର୍ଥ ବର୍ଷା କରୁଛି। ୟୁକ୍ରେନ୍ ମିଡିଆରେ ମଧ୍ୟ ଏନେଇ ଦାବି କରାଯାଇଛି।
ଋଷ-ୟୁକ୍ରେନ୍ ଯୁଦ୍ଧର ଅପଡେଟ ପୋଷ୍ଟ କରିଥିବା ୟୁକ୍ରେନ୍ ଟେଲିଗ୍ରାମ୍ ଆକାଉଣ୍ଟରେ ଏଭଳି କିଛି ଫୁଟେଜ୍ ପୋଷ୍ଟ କରାଯାଇଛି। ଏହି ଫୁଟେଜ୍କୁ OSINT ଟେକ୍ନିକାଲ ନାମକ ଜଣେ ୟୁଜର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେୟାର କରି କହିଛନ୍ତି, ପୂର୍ବ ୟୁକ୍ରେନ୍ରେ ଏକ ୟୁକ୍ରେନ୍ ଡ୍ରୋନ୍ ଋଷ ଅଧିକ ଗଛ ଉପରେ ତରଳା ଯାଇଥିବା ଥର୍ମାଇଟ ବର୍ଷା କରିବା କାରଣରୁ, ସେଥିରେ ନିଆଁ ଲାଗି ଯାଇଛି।’
ଫୁଟେଜ୍ରେ ସ୍ପଷ୍ଟ ଭାବରେ ଦେଖିପାରିବେ ଗଛ ଉପରେ ଏକ ଡ୍ରୋନ୍ ଦହନଶୀଳ ପଦାର୍ଥ ପକାଉଛି, ଯେଉଁଥିରୁ ନିଆଁ ଲାଗି ଯାଉଛି। ୟୁକ୍ରେନ୍ ମିଡିଆର ଦାବି ଅନୁସାରେ, ଏହି ଜଳ୍ବନଶୀଳ ପଦାର୍ଥ ହେଉଛି ମୋଲ୍ଟେନ୍ ଥର୍ମାଇଟ୍। ତେବେ ଏ ଭିଡିଓ କେବେର ତାହାର ଖୁଲାସା ହୋଇନି।ସାଇନ୍ସ ଚାନେଲ ଅନୁସାରେ, ଥର୍ମାଇଟ୍ ଆଲୁମିନିୟମ୍ ଓ ଫୋରିକ୍ ଅକ୍ସାଇଡ୍ (ଜଙ୍ଗ)ର ମିଶ୍ରଣ ପାଉଡର, ଯାହାକି ରିଆକ୍ସନ କରିବା ପରେ ଆଲୁମିନିୟମ୍ ଓ ତରଳି ଯାଇଥିବା ଲୁହା ସୃଷ୍ଟି କରିଥାଏ। ଅର୍ଥାତ ଏହି ପଦାର୍ଥ ଜଳିଲେ ୪,୪୦୦ ଡିଗ୍ରୀ ଫାରେନହାଇଟ୍ରୁ ଅଧିକ ତାପମାତ୍ରା ନିର୍ଗତ କରିଥାଏ। ଏହି ତାପମାତ୍ର ତରଳିଥିବା ଲାଭାଠାରୁ ଦୁଇଗୁଣା ଅଧିକ ଗରମ। ଏହାର ବ୍ୟବହାର କୌଣସି କ୍ଷେତ୍ରରେ ଉଚ୍ଚ ତାପମାତ୍ରା ସୃଷ୍ଟି କରିବା ଓ ସେଠାରୁ କିଛି ତରଳିବା କିମ୍ବା ପାଉଁଶ ସୃଷ୍ଟି କରିବା ପାଇଁ କରାଯାଇଥାଏ। ଯୁଦ୍ଧ ମୈଦାନରେ ସାଧାରଣତଃ ଏହାର ବୃବହାର ସମ୍ପୂର୍ଣ୍ଣ ବିନାଶ ପାଇଁ କରାଯାଇଥାଏ।