ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଓଡ଼ିଶାରେ କିଏ ହେବ ମୁଖ୍ୟମନ୍ତ୍ରୀ ? ଦୌଡ଼ରେ ଅନେକ ହେଭିୱେଟ୍

ଭୁବନେଶ୍ୱର, ୦୫/୦୬ : ଦୀର୍ଘ ଅଢ଼େଇ ଦଶନ୍ଧି ଧରି ମୁଖ୍ୟମନ୍ତ୍ରୀ ଭାବେ ଗୋଟିଏ ଚେହେରା ନବୀନ ପଟ୍ଟନାୟକଙ୍କୁ ଦେଖି ଆସୁଥିଲେ ଲୋକେ । ନବୀନ ଯୁଗର ଅବସାନ ଘଟିଛି । ୮୦ଟି ଆସନ ଦଖଲ କରି ବିଜେପି ପ୍ରଥମ ଥର ପାଇଁ ଓଡ଼ିଶାରେ ସଂଖ୍ୟାଗରିଷ୍ଠତା ହାସଲ କରିଛି । ଏବେ କିଏ ନେବ ନବୀନ ସ୍ଥାନ? କିଏ ହେବ ଓଡ଼ିଶାର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ? ଦୌଡ଼ରେ ଅନେକ ବରିଷ୍ଠ ଏବଂ ଅଭିଜ୍ଞ ନେତା । କାହାକୁ ବାଛିବେ ବିଜେପି କେନ୍ଦ୍ରୀୟ ନେତୃତ୍ୱ? ସମସ୍ତଙ୍କ ମୁହଁରେ ଏବେ ଏଇ ପ୍ରଶ୍ନ । 

ଆଲୋଚନାରେ ପ୍ରଥମେ ଆସୁଛି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ । ଦୀର୍ଘ ୧୦ ବର୍ଷ ଧରି ସେ ମୋଦି ମନ୍ତ୍ରିମଣ୍ଡଳରେ ଗୁରୁତ୍ୱପର୍ଣ୍ଣ ବିଭାଗ ସମ୍ଭାଳି ଆସୁଛନ୍ତି । ଓଡ଼ିଶାରେ ଦଳର ତୃଣମୂଳ ସଂଗଠନକୁ ବିଛାଇ ମଜଭୁତ କରିବାରେ ତାଙ୍କ ଭୂମିକାକୁ କେହି ଅଣଦେଖା କରି ପାରିବେ ନାହିଁ । ୨୦୧୪ରୁ୨୦୧୯ ମଧ୍ୟରେ ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ଦଳ ପରିବ୍ୟାପ୍ତ କରି ମୁଖ୍ୟ ବିରୋଧୀ ଦଳର ଗାଦିକୁ ଅକ୍ତିଆର କରିଥିଲା । ସେ ଦଳର ମୁଖ୍ୟମନ୍ତ୍ରୀ ଚେହେରା ଥିଲେ ବୋଲି କୁହାଯାଉଥିଲା । ଏ ନିର୍ବାଚନରେ ସେ ସମ୍ବଲପୁର ଲୋକସଭାରୁ ଲଢ଼ି ଲକ୍ଷାଧିକ ଭୋଟରେ ନିର୍ବାଚିତ ହୋଇଛନ୍ତି । ରାଜ୍ୟଯାକ ବୁଲି ବିଜେଡି ସରକାର ବିରୋଧରେ ଘନଘନ ପ୍ରଚାର କରିବା ସହ ବିଜେପି ସପକ୍ଷରେ ଜନମତ ସୃଷ୍ଟି କରିବା ଦିଗରେ ଅତି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି । ଏଣୁ ମୁଖ୍ୟମନ୍ତ୍ରୀ ଦୌଡ଼ରେ ସେ ଆଗରେ ବୋଲି ଚର୍ଚ୍ଚା ହେଉଛି, ଯଦିଓ ସେ ବିଧାନସଭା ନିର୍ବାଚନ ଲଢ଼ି ନାହାନ୍ତି । 

ବାଲେଶ୍ୱରରୁ ଲଗାତାର ଦ୍ୱିତୀୟ ଥର ସାଂସଦ ନିର୍ବାଚିତ ହୋଇଥିବା ପୂର୍ବତନ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନାମ ମଧ୍ୟ ଉଠୁଛି ମୁଖ୍ୟମନ୍ତ୍ରୀ ପଦ ପାଇଁ । ୨୦୦୪ ଓ ୨୦୦୯ରେ ସେ ନୀଳଗିରିରୁ ବିଧାୟକ ଥିଲେ । କେନ୍ଦ୍ରାପଡ଼ାର ନବନିର୍ବାଚିତ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାମ ମଧ୍ୟ ଆଲୋଚନା ହୋଇପାରେ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ବିଜେପି ଏକୁଟିଆ ନିର୍ବାଚନ ଲଢ଼ି ଏ ସଫଳତା ହାସଲ କରିଛି । ପ୍ରଥମରୁ ହିଁ ସେ ବିରୋଧ କରିଥିଲେ ବିଜେଡି ସହ ପ୍ରାକ୍‌ ନିର୍ବାଚନୀ ମେଣ୍ଟ କରିବାକୁ । କିନ୍ତୁ ଦୁର୍ଭାଗ୍ୟର କଥା ହେଉଛି ସେ ନିଜେ ଚାନ୍ଦବାଲି ଆସନରୁ ନିର୍ବାଚନ ହାରି ଯାଇଛନ୍ତି । କିନ୍ତୁ ବିଧାନସଭା ନିର୍ବାଚନ ଜିଣିଥିବା ଅନେକ ବରିଷ୍ଠ ନେତା ମୁଖ୍ୟମନ୍ତ୍ରୀ ଦୌଡ଼ରେ ସାମିଲ ହୋଇ ପାରନ୍ତି । ପାଟଣାଗଡ଼ ବିଧାୟକ କନକବର୍ଦ୍ଧନ ସିଂହଦେଓ, ପୂର୍ବ ବିଧାନସଭାର ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର , ବିଜେପି ବିଧାୟକ ଦଳ ଉପନେତା ତଥା କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ, ବ୍ରଜରାଜନଗରୁ ନିର୍ବାଚନ ଜିତିଥିବା ସୁରେଶ ପୂଜାରୀ, ରଣପୁର ବିଧାୟିକା ସୁରମା ପାଢ଼ୀଙ୍କ ନାମ ବି ଆଲୋଚନା ହେଉଛି । 

ବିଜେଡି-ବିଜେପି ମେଣ୍ଟ ସରକାର ଚାଲିଥିବା ବେଳେ ୨୦୦ରୁ ୨୦୦୯ ମଧ୍ୟରେ ନବୀନ ମନ୍ତ୍ରିମଣ୍ଡଳରେ ଶିଳ୍ପ ଓ ସରକାରୀ ଉଦ୍ୟୋଗ, ନଗର ଉନ୍ନୟନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀପଦ ସମ୍ଭାଳିଥିଲେ କନବର୍ଦ୍ଧନ । ପାଟଣାଗଡ଼ରୁ ସେ ୧୯୯୫ରୁ ଲଗାତାର ୫ ଥର ବିଧାୟକ ନିର୍ବାଚିତ ହୋଇଥିଲେ । ୨୦୧୯ରେ ପରାଜିତ ହେବା ପରେ ପୁଣି ଏବେ ବିଜୟୀ ହୋଇଛନ୍ତି । ରଣପୁର ବିଧାୟିକା ସୁରମା ପାଢ଼ୀ ବି ନବୀନ ମନ୍ତ୍ରିମଣ୍ଡଳରେ ସଦସ୍ୟା ଥିଲେ । ସମବାୟ ବିଭାଗ ଦାୟିତ୍ୱ ତୁଲାଇଥିଲେ । ଏଣୁ ସରକାର ଚଳାଇବା ଅଭିଜ୍ଞତା ରହିଛି ତାଙ୍କର । ସେହିଭଳି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ବି ପରିବହନ ବିଭାଗ ମନ୍ତ୍ରୀ ଥିଲେ । ଚତୁର୍ଥ ଥର ପାଇଁ ସେ ବିଧାୟକ ନିର୍ବାଚିତ ହୋଇଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.