ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରତ୍ନଭଣ୍ଡାର ରହସ୍ୟ ଉନ୍ମୋଚନ ଅପେକ୍ଷାରେ ଭକ୍ତ, ଦୂର ହେବ ଦୁଃଖ

ଭୁବନେଶ୍ୱର, ୦୮/୦୬ : ଏଥର ନିର୍ବାଚନରେ ଢେର ଉଠିଲା ଶ୍ରୀମନ୍ଦିର ପ୍ରସଙ୍ଗ । କେବେ ଚାରିଦ୍ୱାର, କେବେ ରତ୍ନଭଣ୍ଡାରକୁ ନେଇ ବିଜେପି ଜୋରଦାର ଆକ୍ରମଣ କରିଥିଲା ବିଜେଡି ବିରୋଧରେ । ଏମିତିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କଠାରୁ ଆରମ୍ଭ କରି ବିଜେପିର ସମସ୍ତ ରାଷ୍ଟ୍ରୀୟ ନେତା, ରାଜ୍ୟ ନେତା ଏ ପ୍ରସଙ୍ଗ ଉଠାଇଥିଲେ । ଶେଷରେ ଶ୍ରୀମନ୍ଦିର ପ୍ରସଙ୍ଗ ଓଡ଼ିଶାବାସୀଙ୍କ ମନକୁ ଛୁଇଁଲା । ଓଡ଼ିଶାବାସୀ ଅଜାଡ଼ି ଦେଲେ ପଦ୍ମକୁ ଭୋଟ । ଏବେ ଭକ୍ତ ମନରେ ନୂଆ ଆଶା-ଶ୍ରୀମନ୍ଦିରକୁ ଯିବାବେଳେ ଆଉ ସହିବାକୁ ପଡ଼ିବନି ଏତେ ଯାତନା । ଉତ୍କଣ୍ଠା ବଢ଼ିଲାଣି, କେବେ ଦୂର ହେବ ଭକ୍ତର ଦୁଃଖ । ବିଜେପି ଓଡ଼ିଶା ପାଇଁ ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା, ଭକ୍ତଙ୍କ ପାଇଁ ଜଗନ୍ନାଥଙ୍କ ଚାରିଦ୍ୱାର ଖୋଲାଯିବ । ରତ୍ନ ଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ହେବ । ରତ୍ନ ଭଣ୍ଡାର ଖୋଲି ଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତ୍ତିର ତାଲିକା ପ୍ରସ୍ତୁତ କରି ରିପୋର୍ଟକୁ ରାଜ୍ୟବାସୀଙ୍କ ପାଇଁ ସାର୍ବଜନୀନ କରାଯିବ । ପୁରୀ ପରିକ୍ରମା ଯୋଜନାରେ ଭଙ୍ଗା ଯାଇଥିବା ମଠଗୁଡ଼ିକୁ ଯଥାରୀତ କାର୍ଯ୍ୟକ୍ଷମ କରାଯିବ । 

ଏବେ ରାଜ୍ୟରେ ବିଜେପି ସରକାର ଗଢ଼ିବାକୁ ଯାଉଛି । ଭକ୍ତଙ୍କ ମନରେ ଆଶା ବଢ଼ିଲାଣି- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଏଣିକି ଆରାମରେ ହେବ । ଘଣ୍ଟାଘଣ୍ଟା ଲମ୍ବା ଧାଡ଼ିରେ ଅପେକ୍ଷା କରିବାକୁ ପଡ଼ିବନି କିମ୍ବା ଠେଲାପେଲା ହେବନି । ସୁରୁଖୁରୁରେ ମିଳିବ ପ୍ରଭୁଙ୍କ ଦର୍ଶନ ବୋଲି ଭକ୍ତଙ୍କ ଆଶା ରଖିଛନ୍ତି । ଏବେ ସଭିଙ୍କ ଅପେକ୍ଷାକେବେ ଖୋଲିବ ଚାରିଦ୍ୱାର, କେବେ ଭକ୍ତ ନୟନ ଭରି ଦେଖିବ ମହାବାହୁଙ୍କୁ । ଶ୍ରୀମନ୍ଦିରର ବିଭିନ୍ନ ବ୍ୟବସ୍ଥାରେ ସଂସ୍କାର ଆସିବ ବୋଲି ଭକ୍ତମାନେ ଆଶାବାଦୀ । ଖାଲି ସେତିକି ନୁହେଁ, ପରିକ୍ରମା ପ୍ରକଳ୍ପ ହେବା ପରଠାରୁ ସିଂହଦ୍ୱାର ସାମ୍ନା ଓ ଚାରିପାଖରୁ ଦୋକାନ ବଜାର ସବୁ ହଟିଯାଇଛି । ନା ସ୍ଥାୟୀ ଦୋକାନ ଅଛି ନା ଉଠାଦୋକାନ । ଏମିତିରେ ପରିକ୍ରମାରେ ବୁଲିବା ଓ ସିଂହଦ୍ୱାର ସାମ୍ନାରେ ଛିଡ଼ା ହୋଇ ନୀଳଚକ୍ରକୁ ଦର୍ଶନ କରୁଥିବା ଭକ୍ତଙ୍କୁ ସାମାନ୍ୟ କିଛି ଲୋଡ଼ା ପଡ଼ିଲେ, ଚାଲିବାକୁ ପଡ଼ୁଛି ଲମ୍ବା ରାସ୍ତା । ସୌନ୍ଦର୍ଯ୍ୟକରଣକୁ ଭକ୍ତମାନେ ଭୂରିଭୂରି ପ୍ରଶଂସା କରୁଛନ୍ତି ସତ, ମାତ୍ର ସମସ୍ତ ଦୋକାନ ବଜାର ହଟିଯାଇଥିବାରୁ ଭକ୍ତଗଣ ଅନେକ ସମୟରେ ପରିକ୍ରମା ମାର୍ଗ ଓ ସିଂହଦ୍ୱାର ସାମ୍ନାରେ କୌଣସି ସାମଗ୍ରୀ ପାଉନାହାନ୍ତି । 

ଏହାବାଦ୍‌ ରତ୍ନ ଭଣ୍ଡାର ଭିତରେ କ’ଣ ଅଛି, ସେ କଥା ଜାଣିବାକୁ ସାରା ଓଡ଼ିଶା ଚାହିଁ ବସିଛି । ଚାବି ହଜିବା ପଛରେ କିଏ? କେମିତି ହଜିଲା? ଦାୟୀ କିଏ? ଏହାର ଖୋଳତାଡ଼କୁ ବି ଭକ୍ତଗଣ ଅପେକ୍ଷା କରିଛନ୍ତି । ଭକ୍ତ ମନରେ ଆଶା- ନୂଆ ସରକାର ଆସିଲେ ତୁରନ୍ତ ବଡ଼ ପଦକ୍ଷେପ ନେବେ । ସଂସ୍କାର ଆସିବ । ଖୋଲିବ ଚାରିଦ୍ୱାର । ଶୃଙ୍ଖଳିତ ହେବ ଦର୍ଶନ ବ୍ୟବସ୍ଥା । ଏ ପ୍ରସଙ୍ଗରେ ବିଜେପି ବିଧାୟିକା ପ୍ରଭାତି ପରିଡ଼ା କହିଛନ୍ତି, ରାଜ୍ୟ ବିଜେପି ସରକାର କରିବାର ୬ ଘଣ୍ଟା ଭିତରେ ଶ୍ରୀମନ୍ଦିର ଚାରିଦ୍ୱାର ଭକ୍ତଙ୍କ ପ୍ରବେଶ ନିମନ୍ତେ ଖୋଲିଯିବ । ଠାକୁରଙ୍କ ନିର୍ଦ୍ଦେଶରେ ହିଁ ରାଜ୍ୟରେ ବିଜେପି ସରକାର ହୋଇଛି । ଆସନ୍ତା ୧୦ ତାରିଖରେ ନୂଆ ମନ୍ତ୍ରୀମଣ୍ଡଳ ହେବ । ବିରୋଧୀ ଦଳ ଭାବେ ଯେଉଁ କଥା ଉଠାଉଥିଲୁ ତାହାକୁ ଏବେ ପୂରଣ କରାଯିବ ବୋଲି ସେ କହିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.