ଭୁବନେଶ୍ୱର, ୧୮/୦୬ : ଡବଲ ଇଞ୍ଜିନ ନୁହେଁ ଟ୍ରିପଲ ଇଞ୍ଜିନ ସରକାର । ଏହାର ଲାଭ ଓଡ଼ିଶାକୁ କେତେ ମିଳିବ ତାହା ଏବେ ବଡ଼ ପ୍ରଶ୍ନ । ଓଡ଼ିଆ ଅସ୍ମିତା ଓ ଓଡ଼ିଆ ସ୍ୱାଭିମାନକୁ ପ୍ରସଙ୍ଗ କରି ରାଜ୍ୟରେ କ୍ଷମତାକୁ ଆସିଛି ବିଜେପି ସରକାର । ମହାନଦୀ, କୋଟିଆ ଓ ପୋଲାଭରମ ବିବାଦରେ ରାଜ୍ୟ ଛଟପଟ । ଏ ବିବାଦ ସହ ଜଡ଼ିତ ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ଏନଡିଏ ସରକାର । କେନ୍ଦ୍ରରେ ଓ ଛତିଶଗଡ଼ରେ ବିଜେପି ସରକାର । ଏହି ବିବାଦର ସମାଧାନ ପାଇଁ ସ୍ଥିତି ଅନୁକୂଳ ରହିଛି । ରାଜ୍ୟର ସ୍ୱାର୍ଥ ସମ୍ବଳିତ ଏ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନୂଆ ସରକାରଙ୍କ ଆଭିମୁଖ୍ୟ ଓ ଆନ୍ତରିକତା କେତେ ରହିବ ଏବେ ତା ଉପରେ ସମସ୍ତଙ୍କ ଆଖି ।
ଓଡ଼ିଶାର ସାମାଜିକ ଓ ଆର୍ଥିକ ପ୍ରଗତିରେ ମହାନଦୀର ଭୂମିକା ହେଉଛି ବେଶ୍ ଗୁରୁତ୍ୱପୂର୍ଣ୍ଣ । ୯୦୦ କିମି ଲମ୍ବ ଏ ନଦୀର ୫୦୦ କିମି ରହିଛି ଓଡ଼ିଶାରେ । ସମ୍ବଲପୁରରୁ ଆରମ୍ଭ କରି ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼ ସହ ତ୍ରିକୋଣଭୂମି ଅଞ୍ଚଳ କଟକ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ ଖୋର୍ଦ୍ଧା ଜିଲ୍ଲା ପାଇଁ ଏ ନଦୀ ହେଉଛି ଜୀବନ ରେଖା । ମାତ୍ର ପଡ଼ୋଶୀ ଛତିଶଗଡ଼ ମନଇଛା ଉପରମୁଣ୍ଡରେ ଗୋଟିଏ ପରେ ଗୋଟିଏ ବ୍ୟାରେଜ୍ କରି ମହାନଦୀର ପାଣିକୁ ଅଟକାଇ ଆମ ପାଇଁ ବିପଦ ଛିଡ଼ା କରାଇଛି । ୫ ବର୍ଷର ଲଢ଼େଇରୁ ଫଳ ବି ଶୂନ । ମହାନଦୀ ଟ୍ରିବ୍ୟୁନାଲର ଆୟୁଷ ବଢ଼ୁଛି । ମାତ୍ର ଆମକୁ ନ୍ୟାୟ ମିଳିଲାନି । ଜଳ ସଂକଟରେ ଓଡ଼ିଶା ଏବେ ଛଟପଟ । କେନ୍ଦ୍ର, ଛତିଶଗଡ଼ ଓ ଆମ ରାଜ୍ୟରେ ଏବେ ବିଜେପିର ‘ଟ୍ରିପଲ ଇଞ୍ଜିନ ସରକାର’ । ଆପୋଷ ସମାଧାନ ପାଇଁ ସ୍ଥିତି ପୂରା ଅନୁକୂଳ ରହିଛି । ଏ ଦିଗରେ ନୂଆ ସରକାର କେତେ ନିଷ୍ଠାପଣ ଦେଖାଉଛନ୍ତି ତା ଉପରେ ଅନେକ କିଛି ନିର୍ଭର କରୁଛି ।
ସୀମାନ୍ତରେ ଆନ୍ଧ୍ର ସରକାର ଗତ କିଛି ବର୍ଷ ହେବ ଆମକୁ ନାଲିଆଖି ଦେଖାଇ ଆସୁଛି । କୋଟିଆରେ ଆନ୍ଧ୍ର ଗତ କିଛି ବର୍ଷ ହେବ ମନମାନି ଚଳାଇଛି । ଏ ଅଞ୍ଚଳକୁ ନିଜର ଦର୍ଶାଇବାକୁ ସବୁ ପ୍ରକାର କଳ, ବଳ ଓ କୌଶଳ ପ୍ରୟୋଗ କରୁଛି । ଏପରିକି ଓଡ଼ିଶା ସୀମାରେ ଆନ୍ଧ୍ର ସରକାର ଉନ୍ନୟନ କାମ ହାତକୁ ନେଉଛି । ତେଲୁଗୁ ଭାଷାର ଅଧିକ ବ୍ୟବହାର ସହ ପ୍ରସାର ନେଇ ଯୋଜନାବଦ୍ଧ ଭାବେ କାମ କରୁଛି । ଏ ନେଇ ଆମ ସରକାର ମଝିରେ ବେଶ ଗମ୍ଭୀର ହେଲେ । ବିଧାନସଭାରେ ପ୍ରସଙ୍ଗ ଉଠିଲା । ଗଠନ ହେଲା ଗୃହ କମିଟି । ସରକାରଙ୍କୁ ପରାମର୍ଶ ଦେଇ ଗୃହ କମିଟି ଏ ପ୍ରସଙ୍ଗକୁ ପାଶୋରି ଦେଲା । ଆନ୍ଧ୍ରର କିନ୍ତୁ ଲୋଭ ଛାଡ଼ୁନି । ଏଯାଏ କୋଟିଆ ଅଞ୍ଚଳରେ ଲୋଲୁପ ଦୃଷ୍ଟି ଏଡ଼ାଉନି । ଓଡ଼ିଆ ସ୍ୱାଭିମାନ ଓ ଅସ୍ମିତା ସହ ‘କୋଟିଆ’ ର ଅଛି ବେଶ୍ ସଂପର୍କ । ଆନ୍ଧ୍ରରେ ଏବେ ଏନ୍ଡିଏ ସରକାର । ଗୋଟିଏ ଟେବୁଲରେ ବସି ସମାଧାନର ବାଟ ଏବେ ପ୍ରଶସ୍ତ । ଚାନ୍ଦିଲି ଗାଁ ଅଞ୍ଚଳରେ ଛତିଶଗଡ଼ ନିଜ ଦବଦବା ଜାହିର କରିବାକୁ ସବୁପ୍ରକାର ଉଦ୍ୟମ ଜାରି ରଖିଛି । ନରବଙ୍ଗପୁରର ୪ ଓ ଝାରସୁଗୁଡ଼ାର ୨ ଖଣ୍ଡ ଗାଁ ଉପରେ ଛତିଶଗଡ଼ର ଲୋଭ ଛାଡୁନି । ଓଡ଼ିଆ ଅସ୍ମିତାର ନୂଆ ସରକାର ଏ ଦିଗରେ ଆନ୍ତରିକତା ଦେଖାଇବାର ସମୟ ଆସିଛି ।
ପୋଲାଭରମ୍ ପ୍ରକଳ୍ପ ଓଡ଼ିଶାର ମାଲକାନଗିରି ଅଞ୍ଚଳ ପାଇଁ ବଡ଼ ବିପଦ ଛିଡ଼ା କରାଇଛି । ଆନ୍ଧ୍ର ପ୍ରଦେଶର ଗୋଦାବରୀ ନଦୀ ଉପରେ ନିର୍ମିତ ବହୁମୁଖୀ ପ୍ରକଳ୍ପ ନିର୍ମାଣ ପାଇଁ ଆନ୍ଧ୍ର ସରକାର ଉପଯୁକ୍ତ ପରିବେଶଗତ ଅନୁଧ୍ୟାନ, ଜନଶୁଣାଣି ଆଦି କରିନାହାନ୍ତି । ପୋଲାଭରମ୍ ଡ୍ୟାମ୍ ନିର୍ମାଣ ଓ ଏହାର ଉଚ୍ଚତା ବୃଦ୍ଧି ଯୋଗୁଁ ସୃଷ୍ଟ ଜଳଭଣ୍ଡାରର ପଛୁଆ ପାଣି ଗୋଦାବରୀର ଉପନଦୀ ଶାବେରୀ ଓ ସିଲେରୁ ଦେଇ ୧୫୦ କିମି ପଛଯାଏ ବୁଡ଼ି ଅଞ୍ଚଳ ସୃଷ୍ଟି କରିବାର ଆଶଙ୍କା ରହିଛି । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସୋମବାର ପ୍ରଥମ ସରକାରୀ ଗସ୍ତରେ ଯାଇ ଚନ୍ଦ୍ରାବାବୁ ନାଇଡୁ ପୋଲାଭରମ୍ ପ୍ରକଳ୍ପ କାମର ସମୀକ୍ଷା କରିଛନ୍ତି । ଏହି ପ୍ରକଳ୍ପ କାମକୁ ତ୍ୱରାନ୍ୱିତ କରିବା ଉପରେ ସେ ଜୋର ଦେଇଛନ୍ତି । ଏହାକୁ ନେଇ ମାଲକାନଗିରି ଜିଲ୍ଲାର ଆଦିବାସୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ପ୍ରକଳ୍ପ ଯୋଗୁଁ ଓଡ଼ିଶାର ଆଦିବାସୀ ବହୁଳ ମାଲକାନଗିରିର ବହୁ ଆଦିବାସୀ ଗ୍ରାମ, ଚାଷଜମି ଏବଂ ଜଙ୍ଗଲ ଜଳାର୍ଣ୍ଣବ ହେଉଛି । ଓଡ଼ିଶାର ଏ ସଂପର୍କିତ ଆପତ୍ତିକୁ ନା କେନ୍ଦ୍ର ନା ଆନ୍ଧ୍ର ସରକାର କେହି ଧ୍ୟାନ ଦେଇନାହାନ୍ତି । ସମୟ ବଦଳିଛି । ଏ ବିବାଦର ସମାଧାନ ପାଇଁ ଆସିଛି ଅନୁକୂଳ ପରିବେଶ । କେନ୍ଦ୍ର ଓ ଆନ୍ଧ୍ରରେ ଏବେ ଏନ୍ଡିଏ ସରକାର । ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ମଧ୍ୟ ଆଦିବାସୀ ପରିବାରର ପୁଅ । ଆଦିବାସୀଙ୍କ ଜନଜୀବନ ସହ ଜଡ଼ିତ ଏ ସମସ୍ୟା ନେଇ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚନ୍ଦ୍ରବାବୁଙ୍କ ସହ ଆଲୋଚନା କରିବାକୁ ଦାବି ଉଠିଛି । ଏପରିକି କେନ୍ଦ୍ର ସରକାର ମଧ୍ୟ ଏ ଗମ୍ଭୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବା ଉପରେ ବହୁ ସଂଗଠନ ଦାବି କରୁଛନ୍ତି । ଦୀର୍ଘଦିନର ଏ ପ୍ରସଙ୍ଗରେ ରାଜ୍ୟର ବିଜେପି ସରକାର କି ପଦକ୍ଷେପ ନେଉଛନ୍ତି ତାହାକୁ ମାଲକାନଗିରିର ଆଦିବାସୀ ପରିବାରଗୁଡ଼ିକ ଚାତକ ଭଳି ଚାହିଁ ରହିଛନ୍ତି ।