ଯାଜପୁର,୧୯/୦୯: ଖରସ୍ରୋତା ବ୍ରିଜ୍ ଉପରୁ ନଦୀକୁ ଡେଇଁଲେ ଯୁବତୀ। ବ୍ରିଜ୍ ଉପରେ ନିଜର ସ୍କୁଟି ଜୋତା,ମୋବାଇଲ୍ ଫୋନ୍ ଥୋଇ ନଦୀକୁ ଡେଇଁ ପଡ଼ିଲେ ଯୁବତୀ । ଯୁବତୀ ଜଣକ ମନ୍ଦାକିନୀ ସାମଲ ଏବଂ ସେ କୁଆଖିଆ ଥାନା ଅନ୍ତର୍ଗତ ଶ୍ରିବନ୍ତପୁର ଅଞ୍ଚଳରେ ରହୁଥିବା ଜଣାପଡ଼ିଛି । ଯାଜପୁର ଖରସ୍ରୋତା ବ୍ରିଜ୍ରେ ଏଭଳି ଅଘଟଣ ଘଟିଛି ।
ସୂଚନା ମୁତାବକ, ଗୁରୁବାର ମନ୍ଦାକିନୀ ଖରସ୍ରୋତା ବ୍ରିଜ୍ ଉପର ଦେଇ ଯାତ୍ରା କରୁଥିଲେ । ଏହି ସମୟରେ ସେ ବ୍ରିଜ୍ ଉପରେ ନିଜର ସ୍କୁଟି, ଜୋତା ,ମୋବାଇଲ୍ ଫୋନ୍ ଥୋଇ ନଦୀକୁ ଡେଇଁ ପଡ଼ିଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବାହୀନିକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ଏକ ଟିମ୍ ପହଞ୍ଚି ଯୁବତୀଙ୍କ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ଅନ୍ୟପଟେ ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଯୁବତୀଙ୍କ ଗାଡ଼ି, ମୋବାଇଲ୍ ଫୋନ୍, ଜୋତାକୁ ପୋଲିସ ଜବତ କରିଛି । ତେବେ ଯୁବତୀଙ୍କ ସ୍କୁଟିରେ କେତେକ କାଗଜ ପତ୍ର ରହିଥିବାର ଦେଖିବାକୁ ମିଳିଛି । ତେବେ ଯୁବତୀ ଜଣକ କାହିଁକି ନଦୀକୁ ଡେଇଁ ପଡ଼ିଲେ, ତାହାର କାରଣ ଜଣାପଡ଼ି ନାହିଁ ।