ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ବିଶ୍ୱକପ୍ ୨୦୨୩ ଫାଇନାଲ ରେସ୍ : ସେମିରେ ଭାରତ, ବିଶ୍ୱକପ୍‌ ଇତିହାସରେ ଭାରତକୁ ମିଳିଛି ୩ ବିଜୟ, ୪ ପରାଜୟ

ମୁମ୍ବାଇ, ୧୫/୧୧ : ଆଜି ଚଳିତ ବିଶ୍ୱକପ୍‌ର ପ୍ରଥମ ସେମି ଫାଇନାଲ୍‌ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ଉଭୟ ୨୦୧୯ ବିଶ୍ୱକପ୍‌ ସେମି ଫାଇନାଲ୍‌ରେ ମଧ୍ୟ ସାମ୍ନା ସାମ୍ନି ହୋଇଥିଲେ । ଭାରତ ଉକ୍ତ ମ୍ୟାଚ୍‌ରେ ପରାଜିତ ହୋଇ ଟାଇଟଲ ଦୌଡ଼ରୁ ବାଦ ପଡ଼ିଥିଲା । ମାତ୍ର ଏଥର ଭାରତ ଘରୋଇ ଗ୍ରାଉଣ୍ଡ୍‌ରେ ବିଶ୍ୱକପ୍‌ ଖେଳୁଛି । ଏଠାରେ ଘରୋଇ ସମର୍ଥକ ଭାରତୀୟ ଦଳର ଦ୍ୱାଦଶ ଖେଳାଳି ଭଳି ସହାୟତା କରୁଛନ୍ତି । ତେଣୁ ନ୍ୟୁଜିଲାଣ୍ଡକୁ ହରାଇ ଭାରତ ୪ବର୍ଷ ତଳେ ଲଭିଥିବା ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ ଓ ଚତୁର୍ଥ ଥର ପାଇଁ ଫାଇନାଲ୍‌ରେ ପ୍ରବେଶ କରିବ । ବିଶ୍ୱକପ୍‌ ଇତିହାସରେ ଭାରତ ଏ ପର୍ଯ୍ୟନ୍ତ ୭ଥର ସେମି ଫାଇନାଲ୍‌ ଖେଳି ସାରିଛି । ଏଥିରୁ ଦଳ ୩ ଥର ବିଜୟୀ ହୋଇଛି । 

୧୯୮୩ : ଭାରତ ଜିତିଲା

ଭାରତ ୧୯୮୩ ବିଶ୍ୱକପ ସେମି ଫାଇନାଲ୍‌ରେ ଇଂଲଣ୍ଡକୁ ଭେଟିଥିଲା । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ ୬୦ ଓଭରରେ ୨୧୩ ରନ୍‌ କରି ଅଲ୍‌ ଆଉଟ୍‌ ହୋଇ ଯାଇଥିଲା । ଭାରତ ପକ୍ଷରୁ କପିଳ ଦେବ ୩ଟି ୱିକେଟ୍‌ ଅକ୍ତିଆର କରିଥିବାବେଳେ ରୋଜର ବିନ୍ନି ଓ ମହିନ୍ଦର ଅମରନାଥ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ । ଜବାବରେ ଭାରତ ୫୪.୪ ଓଭରରେ ୪ ୱିକେଟ୍‌ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ଦଳ ପକ୍ଷରୁ ୟଶପାଲ ଶର୍ମା ସର୍ବାଧିକ ୬୧ ରନ୍‌ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସନ୍ଦିପ ପାଟିଲ ୫୧ ଓ ମହିନ୍ଦର ଅମରନାଥ ୪୬ ରନ୍‌ର ଉପଯୋଗୀ ପାଳି ଖେଳିଥିଲେ । 

୧୯୮୭: ଇଂଲଣ୍ଡ ନେଲା ପ୍ରତିଶୋଧ 

ଭାରତ ୧୯୮୭ ବିଶ୍ୱକପ୍‌ ସେମି ଫାଇନାଲରେ ପୁଣିଥରେ ଇଂଲଣ୍ଡକୁ ଭେଟିଥିଲା । ଏଥର ଇଂଲଣ୍ଡ ବିଜୟ ହାସଲ କରିଥିଲା । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୬/୨୫୪ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଗ୍ରାହମ ଗୁଚ୍‌ ୧୧୫ ରନ୍‌ କରିଥିଲେ । ଭାରତ ପକ୍ଷରୁ ମନିନ୍ଦର ସିଂହ ୩ଟି ୱିକେଟ୍‌ ନେଇଥିଲେ । ଜବାବରେ ଭାରତ ୪୫.୩ ଓଭରରେ ୨୧୯ ରନ୍‌ କରି ଅଲ୍‌ ଆଉଟ୍‌ ହୋଇଯାଇଥିଲା । ମହମ୍ମଦ ଆଝାରୁଦ୍ଦିନ ୬୪ ରନ୍‌ କରିଥିଲେ । ଅନ୍ୟ କେହି ତାଙ୍କୁ ସହାୟତା କରିନଥିଲେ । ଇଂଲଣ୍ଡ ପକ୍ଷରୁ ଏଡି ହେମିଙ୍ଗ୍‌ସ ୪ଟି ୱିକେଟ୍‌ ନେଇ ଭାରତର ବିପର୍ଯ୍ୟୟ ଘଟାଇଥିଲେ । 

୧୯୯୬: ଭାରତର ନୈରାଶ୍ୟ ପ୍ରଦର୍ଶନ

ସଚିନ ତେନ୍ଦୁଲକରଙ୍କ ବଳିଷ୍ଠ ପ୍ରଦର୍ଶନ ବଳରେ ଭାରତ ସେମି ଫାଇନାଲ୍‌ରେ ପ୍ରବେଶ କରିଥିଲା । ମାତ୍ର ଶ୍ରୀଲଙ୍କା ବିପକ୍ଷରେ ପରାଜିତ ହୋଇ ବିଦାୟ ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୮/୨୫୧ ରନ୍‌ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଅରବିନ୍ଦ ଡି ସିଲଭା ୬୮ ଓ ରୋଶନ ମହାନାମା ୫୮ ରନ୍‌ କରିଥିଲେ । ଜବାବରେ ଭାରତ ୩୪.୧ ଓଭରରେ ୮ ୱିକେଟ୍‌ ହରାଇ ୧୨୦ ରନ୍‌ କରିଥିଲା । ଭାରତର ନୈରାଶ୍ୟଜନକ ପ୍ରଦର୍ଶନରେ ଅସନ୍ତୁଷ୍ଟ ଦର୍ଶକ ଖେଳରେ ବାଧା ଉପୁଯାଇଥିଲେ । ଆଉ ଖେଳ ସମ୍ଭବ ହୋଇ ନଥିଲା । ଶ୍ରୀଲଙ୍କାକୁ ବିଜେତା ଘୋଷିତ କରାଯାଇଥିଲା । 

୨୦୦୩: କେନିଆକୁ ହରାଇ ଫାଇନାଲରେ

ସଚିନଙ୍କ ଚିତ୍ତାକର୍ଷକ ପ୍ରଦର୍ଶନ ବଳରେ ଭାରତ ୨୦୦୩ ବିଶ୍ୱକପ୍‌ ଫାଇନାଲ୍‌ରେ ପ୍ରବେଶ କରିଥିଲା । ମାତ୍ର ଅଷ୍ଟ୍ରେଲିଆ ଠାରୁ ପରାଜିତ ହେବା ଫଳରେ ଭାରତର ଟାଇଟଲ ସ୍ୱପ୍ନ ଧୂଳିସାତ୍‌ ହୋଇଯାଇଥିଲା । ଭାରତ ସେମି ଫାଇନାଲ୍‌ରେ କେନିଆକୁ ଭେଟିଥିଲା । ଡର୍ବାନରେ ଅନୁଷ୍ଠିତ ଉକ୍ତ ମ୍ୟାଚ୍‌ରେ ସୌରଭ ଗାଙ୍ଗୁଲିଙ୍କ ୧୧୧ରନ୍‌ର ଇନିଂସ ବଳରେ ଭାରତ ୪/୨୭୦ରନ୍‌ କରିଥିଲା । ତେନ୍ଦୁଲକର ମଧ୍ୟ ୮୩ ରନ୍‌ କରିଥିଲେ । ଜବାବରେ ଜାହିର ଖାନ ୩ଟି, ତେନ୍ଦୁଲକର ଓ ଆଶିଷ ନେହରା ୨ଟି ଲେଖାଏଁ ୱିକେଟ୍‌ ନେଇ କେନିଆକୁ ୧୭୯ ରନ୍‌ରେ ଅଲ୍‌ ଆଉଟ୍‌ କରିଦେଇଥିଲେ । 

୨୦୧୧: ପାକିସ୍ତାନ ବିଦା  

ଏଥର ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କରି ଫାଇନାଲ୍‌ରେ ପହଞ୍ଚିଥିଲା । ମୋହାଲିରେ ଅନୁଷ୍ଠିତ ଉକ୍ତ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୯/୨୬୦ ରନ୍‌ ସଂଗ୍ରହ କରିଥିଲା । ତେନ୍ଦୁଲକର ସର୍ବାଧିକ ୮୫ ରନ୍‌ର ଇନିଂସ ଖେଳିଥିଲେ । ପାକିସ୍ତାନ ପକ୍ଷରୁ ୱାହବ ରିୟାଜ ୫ଟି ୱିକେଟ୍‌ ନେଇଥିଲେ । ଜବାବରେ ପାକିସ୍ତାନ ୪୯.୫ ଓଭରରେ ୨୩୧ ରନ୍‌ କରି ଅଲ୍‌ ଆଉଟ୍‌ ହୋଇଯାଇଥିଲେ । ଭାରତର ୫ଜଣ ଯାକ ବୋଲର (ଜାହିର ଖାନ, ଆଶିଷ ନେହରା, ମୁନାଫ ପଟେଲ, ହରଭଜନ ସିଂହ, ଯୁବରାଜ ସିଂହ) ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ । 

୨୦୧୫: ଟିମ୍‌ ଇଣ୍ଡିଆକୁ ବିଦା କଲା କଙ୍ଗାରୁ

ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ସେମି ଫାଇନାଲ୍‌ରେ ଅଷ୍ଟ୍ରେଲିଆ ଠାରୁ ୯୫ ରନ୍‌ରେ ପରାଜିତ ହୋଇ ବିଶ୍ୱକପ୍‌ରୁ ବିଦାୟ ନେଇଥିଲା । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୭/୩୨୮ ରନ୍‌ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଷ୍ଟିଭେନ ସ୍ମିଥ୍‌ ୧୦୫ ଓ ଆରୋନ ଫିଞ୍ଚ ୮୧ ରନ୍‌ କରିଥିଲେ । ଜବାବରେ ଭାରତ ୪୬.୫ ଓଭରରେ ୨୩୩ରନ୍‌ କରି ଅଲ୍‌ ଆଉଟ୍‌ ହୋଇ ଯାଇଥିଲା । ଦଳ ପକ୍ଷରୁ ଧୋନି ୬୫, ଅଜିଙ୍କ୍ୟ ରାହାଣେ ୪୪, ଶିଖର ଧାୱନ ୪୫ ରନ୍‌ କରିଥିଲେ । 

୨୦୧୯: ବାଧା ଦେଲା ନ୍ୟୁଜିଲାଣ୍ଡ  

ଲିଗ୍‌ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ କରି ଭାରତ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିବା ସହ ସେମି ଫାଇନାଲ୍‌ରେ ପ୍ରବେଶ କରିଥିଲା । ମାତ୍ର ନ୍ୟୁଜିଲାଣ୍ଡ ଠାରୁ ପରାଜିତ ହେବା ସହ କୋହଲି ବାହିନୀର ବିଶ୍ୱକପ୍‌ ଟ୍ରଫି ସ୍ୱପ୍ନ ମଉଳି ଯାଇଥିଲା । ଓଲ୍ଡ ଟ୍ରାଫୋର୍ଡରେ ଅନୁଷ୍ଠିତ ଉକ୍ତ ମ୍ୟାଚ୍‌ରେ ଭାରତ ଶୃଙ୍ଖଳିତ ବୋଲିଂ କରି ନ୍ୟୁଜିଲାଣ୍ଡକୁ ୮/୨୩୯ ରନ୍‌ରେ ସୀମିତ ରଖିବାରେ ସଫଳ ହୋଇଥିଲା । ରସ ଟେଲର ୭୪ ଓ କେନ ୱିଲିୟମସନ ୬୭ ରନ କରିଥିଲେ । ବର୍ଷା ଯୋଗୁଁ ମ୍ୟାଚ୍‌ ରିଜର୍ଭ ଦିବସକୁ ଯାଇଥିଲା । ଭାରତ ୨୪୦ ରନ୍‌ ଲକ୍ଷ୍ୟର ପିଛା କରୁଥିବାବେଳେ ମାଟ୍‌ ହେନରୀ ଓ ଟ୍ରେଣ୍ଟ ବୋଲ୍ଟଙ୍କ ଘାତକ ସୁଇଂ ବୋଲିଂର ମୁକାବିଲା କରିନପାରି ୯୨ ରନ୍‌ରେ ୬ଟି ୱିକେଟ୍‌ ହରାଇଥିଲା । ଧୋନି ଓ ରବିନ୍ଦ୍ର ଜାଡେଜା ୧୧୬ରନ୍‌ର ଭାଗିଦାରୀ ଗଢି ବିଜୟ ଆଶା ଉଜ୍ଜ୍ୱଳ ରଖିଥିଲେ । ମାତ୍ର ଧୋନି (୫୦) ରନ୍‌ ଆଉଟ୍‌ ହେବା ପରେ ଭାରତର ବିଜୟ ସ୍ୱପ୍ନ ମଉଳି ଯାଇଥିଲା ।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.