ପ୍ରମୂଖ ଖବର
  • ସାରା ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା, ୧୦୦ ଦିନ ଭିତରେ ହେବ କାର୍ଯ୍ୟକାରୀ
  • ||
  • ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମା' ତାରିଣୀ ପୀଠ ପାଇଁ ୫୦ କୋଟିର ଅନୁଦାନ
  • ||
  • T-20 ବିଶ୍ୱକପ୍ ସୁପର ୮ ରାଉଣ୍ଡ, ୨୧ ରନ୍‌ରେ କଙ୍ଗାରୁ ବାହିନୀ ଚିତ୍ ପଟାଙ୍ଗ, ଆଫଗାନିସ୍ତାନ ପ୍ରଥମ ବିଜୟ
  • ||
  • ଯୌନ ନିର୍ଯାତନା ମାମଲା, ପ୍ରଜ୍ବଳଙ୍କ ଭାଇ ସୂରଜ ରେଭାନ୍ନାକୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରି ସହରର ଡିଏନ୍‌କେ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମହିଳା ମୃତ
  • ||
  • ସାଲେପୁର: ବାଇକ୍‌ ସହ ପୋଲରୁ ଖସି ପଡ଼ିଲେ ୨ ଆରେହୀ, ଜଣେ ମୃତ ,ଜଣେ ଗୁରୁତର
  • ||
  • ରବିବାରଠୁ ୨ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କୁ ଦର୍ଶନ ପରେ ଜନସମାବେଶରେ ହେବେ ସାମିଲ
  • ||
  • ଶ୍ରୀମନ୍ଦିରରେ ପଟିଦିଅଁ ବିଜେ, ଜ୍ୱରରୁ ମୁକ୍ତି ପାଇଁ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା ଆରମ୍ଭ
  • ||
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

ବିଶ୍ୱ ମହାସାଗର ଦିବସ: ସମୁଦ୍ର ଓ ସମୃଦ୍ଧି

ଭୁବନେଶ୍ୱର: ଅସରନ୍ତି ଶକ୍ତିର ଭଣ୍ଡାର ସମୁଦ୍ର । ଜୀବସତ୍ତାର ପ୍ରଥମ ଉତ୍ସ ।  ସମୁଦ୍ର ଶଯ୍ୟାତଳେ ସାଇତା ହୋଇ ରହିଛି ଅକଳନ  ପ୍ରାକୃତିକ ସଂପଦ । ସେଥିପାଇଁ ତାର ଅନ୍ୟ ନାମ ରତ୍ନାକର ।  ଜଳଚକ୍ରର ସେ ମୁଖ୍ୟ କାରକ ଏବଂ ତା’ ଢେଉରୁ ଉତ୍ପନ୍ନ ହେଉଛି  ବିଜୁଳି ଶକ୍ତି । ପାଣିପାଗକୁ ସମୁଦ୍ର ନିୟନ୍ତ୍ରଣ କରେ ଏବଂ ସମୁଦ୍ର  ଯୋଗୁଁ ସମ୍ଭବ ହୁଏ ମୌସୁମୀ ପ୍ରବାହ । ସୂର୍ଯ୍ୟରୁ ଆସୁଥିବା  ଉତ୍ତାପକୁ ଅର୍ଦ୍ଧାଧିକ ଶୋଷଣ କରିନିଏ ସମୁଦ୍ର । କୋଟି କୋଟି  ବର୍ଷ ହେଲା ସମୁଦ୍ର ଯୋଗାଇ ଆସିଛି ସମୃଦ୍ଧ ଜୈବବିବିଧତା ।  ସମୁଦ୍ରରୁ ମିଳେ ଔଷଧୀୟ ସାମଗ୍ରୀ । ଲକ୍ଷ ଲକ୍ଷ ମତ୍ସଜୀବୀ  ପରିବାରକୁ ସମୁଦ୍ର ଯୋଗାଏ ଜୀବିକା । ସମୁଦ୍ରରୁ ମିଳେ ଆମର  ଅତ୍ୟାବଶ୍ୟକ ସାମଗ୍ରୀ ଲୁଣ । ବିଶାଳ ସମୁଦ୍ରର ଉନ୍ମୁକ୍ତ ବକ୍ଷରେ  ଲୁଣର ତରଳ ସମ୍ଭାର ଦିନେ ଭାରତୀୟଙ୍କ ମନରେ ତିଆରି  କରିଥିଲା ମୁକ୍ତିର ଉନ୍ମାଦନା । ସାରାଦେଶରେ ଜଳେଇ ଦେଇଥିଲା  ବିଦ୍ରୋହର ନିଆଁ । ବହିଃବାଣିଜ୍ୟ ନିମନ୍ତେ ସମୁଦ୍ରପଥ ହିଁ ସବୁଠାରୁ  ସୁଲଭ ଓ ନିର୍ଭରଯୋଗ୍ୟ । ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଥାଏ  କୃଷିପାଇଁ ବିକାଶର ଉଜ୍ୱଳ ସମ୍ଭାବନା । ସେଥିପାଇଁ ସମୁଦ୍ରକୂଳିଆ  ଦେଶ ଓ ରାଜ୍ୟର ଆର୍ଥିକ ସ୍ଥିତି ବେଶ୍‌ ସୁଦୃଢ଼, ଯଦିଓ ଆମ ରାଜ୍ୟ  ଓଡ଼ିଶା ତା'ର ଏକ ବ୍ୟତିକ୍ରମ । 

ଭାରତର ଦୁଇ-ତୃତୀୟାଂଶ ରାଜ୍ୟ  ସମୁଦ୍ରକୁ କେବଳ ଛବିରେ ଦେଖୁଥିଲା ବେଳେ, ଆମ ପାଖରେ  ରହିଛି ୪୮୦ କି.ମି. ସୁଦୀର୍ଘ ବେଳାଭୂମି । ମାତ୍ର ୯ଟି ଉପକୂଳବର୍ତ୍ତୀ  ରାଜ୍ୟ ମଧ୍ୟରେ ଆମ ଓଡ଼ିଶା ଦରିଦ୍ରତମ । ସମୁଦ୍ରକୁ ସମୃଦ୍ଧିର  ସୋପାନରେ ପରିଣତ କରିବାର ଅକ୍ଷମତା ଏହାର ବଡ଼ କାରଣ ।  ସମୁଦ୍ର କହିଲେ ଆମେ ବୁଝୁ ପୁରୀ, କୋଣାର୍କ, ଗୋପାଳପୁର ଓ  ଚାନ୍ଦିପୁର ବେଳାଭୂମିର ସୌନ୍ଦର୍ଯ୍ୟ । ବେଳାଭୂମିରେ ଠିଆହୋଇ  ସମୁଦ୍ରର ଗର୍ଜନ ଶୁଣୁ ଏବଂ ଢେଉ ଗଣିବାରେ ପାଉ ଆନନ୍ଦ ।  ଓଡ଼ିଶାରେ ଅଳ୍ପ କିଛି ମତ୍ସ୍ୟଜୀବୀ ଅଛନ୍ତି, ଯେଉଁମାନେ ସମୁଦ୍ର  ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି ଏବଂ ସମୁଦ୍ର  ବକ୍ଷରେ ଲେଖନ୍ତି ନିଜର କଥା ଓ ବ୍ୟଥା । ମାତ୍ର ଏହି ସମୁଦ୍ର ମଣିଷଙ୍କ ସଂଖ୍ୟା ଅତି ନଗଣ୍ୟ । ଏମାନଙ୍କୁ ବାଦ୍‌ଦେଇ ଓଡ଼ିଶାରେ  ଏକଭାଗ ଲୋକ ବି ନାହାଁନ୍ତି, ଯେଉଁମାନଙ୍କ ପାଖରେ ଅଛି  ସମୁଦ୍ରବକ୍ଷରେ ବିଚରଣ କରିବାର ଅଭିଜ୍ଞତା । ସମୁଦ୍ରଠାରୁ ଏହି  ଦୂରତ୍ୱ ହିଁ ସମୁଦ୍ର ପ୍ରତି ଭୟର କାରଣ । ସମୁଦ୍ର ମାଡ଼ିଆସିବ,  ସମୁଦ୍ର ଆଁ'ରେ ଗାଁ ବିଲୀନ ହୋଇଯିବ ଆଦି କଥା ଶୁଣିଲେ ଆମ  ଛାତିରେ ଖେଳିଯାଏ ଛନକା । 

ଇତିହାସ କହେ, ଓଡ଼ିଆ ଜାତି ଯେତିକି ସମରକୁଶଳୀ,  ସେତିକି ସାଗରବିଳାସୀ । ପାଇକ ପୁଅର ରଣକୌଶଳ ବଳରେ  ଯେମିତି ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିଲା  କଳିଙ୍ଗର ସୀମା, ସେମିତି ସାଗରକୁ ସାମ୍ରାଜ୍ୟରେ ପରିଣତ  କରିଥିଲା କଳିଙ୍ଗର ସାଧବପୁଅ । ଖ୍ରୀଷ୍ଟପୂର୍ବ କାଳରୁ ଦରିଆପାରି  ନୌବାଣିଜ୍ୟକୁ ନେଇ ଇତିହାସ ସୃଷ୍ଟି କରିଥିଲା ତେଜସ୍ୱୀ ଓଡ଼ିଆ  ଜାତି । ଉପରେ ଭାସମାନ ମେଘମାଳା ଓ ତଳେ ତରଙ୍ଗସଂକୁଳ  ଓ ବାତ୍ୟା ବିକ୍ଷୁବ୍ଧ ମହାସମୁଦ୍ର । ପ୍ରତିମୁହୂର୍ତ୍ତରେ ଥିଲା ମୃତ୍ୟୁଦୂତ  କୋଳାଗ୍ରତ କରିବାର ଆଶଙ୍କା । ଝଡ଼, ବତାସ ଓ ସାମୁଦ୍ରିକ  ଜୀବ ଆକ୍ରମଣ ଆଦି ଦୁର୍ଘଟଣାରେ କେତେ ମୂଲ୍ୟବାନ ଜୀବନ  ସମୁଦ୍ର ଗର୍ଭରେ ସଲୀଳ ସମାଧି ଲଭିଥିବ, ତାହା କେବଳ  ସେହି ସମୁଦ୍ରକୁ ଜଣା । 

ସେହି ବିପଦପୂର୍ଣ୍ଣ ସମୁଦ୍ର ଯାତ୍ରାକୁ ଏକ  ଆହ୍ୱାନ ଭାବେ ଗ୍ରହଣ କରି କାଠତିଆରି ବୋଇତରେ ଲଙ୍ଗର  ଉଡ଼ାଇ ସାତ ସମୁଦ୍ର ତେର ନଈ ପାରି ହେଉଥିଲା ଦୁର୍ଦ୍ଧର୍ଷ ଓଡ଼ିଆ  ଜାତି । ସେତେବେଳେ ନା ଥିଲା ଦିଗ ନିର୍ଣ୍ଣୟ ଯନ୍ତ୍ର ନା ଆପଦ  ବିପଦରେ ସମ୍ବାଦ ସଂଯୋଗ ବା ଆଗୁଆ ସଂକେତ ପାଇବାର  ସୁଯୋଗ । ଦିନରେ ସୂର୍ଯ୍ୟ ଓ ରାତିରେ ଆକାଶର ଧ୍ରୁବତାରା,  ସପ୍ତର୍ଷିମଣ୍ଡଳ ଓ ଶିଶୁମାର ଆଦି ନକ୍ଷତ୍ର ସହାୟତାରେ ଦିଗ  ନିର୍ଣ୍ଣୟ କରି ତାର ପଣ୍ୟଭରା ବୋଇତ ପହଞ୍ଚୁଥିଲା ବାଲି,  ଜାଭା, ସୁମାତ୍ରା, ବୋର୍ଣ୍ଣିଓ, ବର୍ମା ଓ ସିଂହଳ ଆଦି ଦେଶରେ ।  ସାଧବପୁଅର ବ୍ୟାବସାୟିକ ଦକ୍ଷତା ଓ ସ୍ୱଚ୍ଛତା ପାଇଁ ବିଦେଶରେ  ବଢ଼ିଥିଲା ତା'ର ଆଦର ଓ ସମ୍ମାନ । ଶାନ୍ତି, ସଦ୍ଭାବନା ଓ ଭ୍ରାତୃତ୍ୱ  ଭାବ ନେଇ ସମୟକ୍ରମେ ସେ ଉପନିବେଶ ପ୍ରତିଷ୍ଠା କରିବାରେ  ସକ୍ଷମ ହୋଇଥିଲା ଇଣ୍ଡୋନେସିଆ, ବ୍ରହ୍ମଦେଶ ଓ ମାଳୟ ଆଦି  ପୂର୍ବାଞ୍ଚଳ ଦ୍ୱୀପପୁଞ୍ଜରେ । ସେହି ବାଟଦେଇ ଆସିଥିଲା ପ୍ରାଚୀନ  ଉତ୍କଳର ସମୃଦ୍ଧି ଓ ଗୌରବ । 

ଭାରତର ଅନ୍ୟ ଅନେକ ରାଜ୍ୟ ବଙ୍ଗୋପସାଗର କୂଳରେ  ଅବସ୍ଥିତ ଥିଲେ ମଧ୍ୟ ତାର ବିସ୍ତୃତ ଅଞ୍ଚଳରେ ଏକକ ଆଧିପତ୍ୟ  ବିସ୍ତାର କରିଥିଲା ଓଡ଼ିଆ ଜାତି । ସେଥିପାଇଁ ବଙ୍ଗୋପସାଗରକୁ  କଳିଙ୍ଗସାଗର ବୋଲି କୁହାଯାଏ, ଯାହା ଉଲ୍ଲେଖ ରହିଛି ପ୍ରାଚୀନ  ବୌଦ୍ଧଶାସ୍ତ୍ର ‘ଆର୍ଯ୍ୟ ମଞ୍ଜୁଶ୍ରୀ ମୂଳକଳ୍ପ'ରେ । ସେହି ସଫଳତା  ମୂଳରେ ରହିଛି ଓଡ଼ିଆ ନାବିକର ଅକଳ୍ପନୀୟ ସାହସିକତା ।  ବୋଇତ ସଭ୍ୟତା ଦ୍ୱାରା ଯେ ବିଦେଶରୁ କେବଳ ଧନ ସଂପତ୍ତି  ଆସିଥିଲା ତା’ ନୁହେଁ, ଦରିଆପାରି ଦେଶରେ ସ୍ୱୀକୃତି ଲାଭ  କରିଥିଲା ଓଡ଼ିଶାର କଳା, ସଂସ୍କୃତି ଓ ଭାସ୍କର୍ଯ୍ୟ । 

ବାଲିଦ୍ୱୀପରେ  ଥିବା ବିଶାଳ ବୌଦ୍ଧମନ୍ଦିର ଓ ଶହ ଶହ ସଂଖ୍ୟାର ବୌଦ୍ଧମୂର୍ତ୍ତି  ଭିତରେ ଉତ୍କଳର କଳାକୌଶଳକୁ ଅନୁଭବ କରି ବିଶିଷ୍ଟ  ଲେଖକ ମନୋଜ ଦାସ ତାଙ୍କ ଭ୍ରମଣ କାହାଣୀ ‘ଇଣ୍ଡୋନେସିଆ  ଅନୁଭୂତି'ରେ ଲେଖିଛନ୍ତି "ଶତାବ୍ଦୀ ଶତାବ୍ଦୀ ଧରି ପ୍ରାଚ୍ୟର ଏହି ଇତିହାସ ପ୍ରସିଦ୍ଧ ମନ୍ଦିର ଭାରତୀୟ ଭାସ୍କର୍ଯ୍ୟର ଅମଳିନ ଦୃଷ୍ଟାନ୍ତ  ହୋଇ ଠିଆ ହୋଇଛି ଏବଂ ତାର ମୂର୍ତ୍ତିସବୁର ଗଠନ ପ୍ରଣାଳୀ ଦେଖିଲେ ମନେହୁଏ ଯେଉଁ ଭାସ୍କରମାନେ କୋଣାର୍କ ଗଢ଼ିଛନ୍ତି  ଏମାନେ ତାର ସମଗୋତ୍ରୀୟ । ଓଡ଼ିଆ ଜାତି ବୋଇତ ଯାତ୍ରାରେ  ଯେତିକି ପାରଦର୍ଶୀ, ବୋଇତ ନିର୍ମାଣରେ ସେତିକି ପୋଖତ ।  ସେତେବେଳେ କଳିଙ୍ଗର ବର୍ଦ୍ଧକୀକୁ ଜଣାଥିଲା ଏକାଧିକ  ନୌକାକୁ ଯୋଡ଼ି ବିଶାଳକାୟ ବୋଇତ(ଗୋରାପ) ନିର୍ମାଣର  ସ୍ୱଦେଶୀ ଜ୍ଞାନକୌଶଳ । ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓଡ଼ିଶାର  ବିଭିନ୍ନ ନଦୀକୂଳରେ ବୋଇତ କୁଦ ଓ ଟାପୁମାନ ଗଢ଼ିଉଠିଥିଲା  ଏବଂ ବାଲେଶ୍ୱର, କନିକା ଓ ପିପିଲି ଆଦି ବନ୍ଦର ନିକଟରେ  ବର୍ଷତମାମ ଚାଲୁଥିଲା ବୋଇତ ନିର୍ମାଣ ଓ ମରାମତି କାର୍ଯ୍ୟ । 

ଦରିଆପାରି ନୌବାଣିଜ୍ୟ ଯୋଗୁଁ ଓଡ଼ିଶାରେ ପ୍ରତିଷ୍ଠା  ହୋଇଥିଲା ସାଧବ ସଂସ୍କୃତି । ସାଧବମାନେ ଏତେ ସଂପତ୍ତିର  ଅଧିକାରୀ ଥିଲେ ଯେ, ସେମାନଙ୍କ ପ୍ରାସାଦରେ ଖଞ୍ଜାଯାଉଥିଲା  ହାତୀଦାନ୍ତର ବିଭିନ୍ନ କାରୁକାର୍ଯ୍ୟ । ସେଥିପାଇଁ ସାଧବମାନଙ୍କ  ପ୍ରାସାଦକୁ କୁହାଯାଏ ଦନ୍ତାଗୃହ । ଏବେ ଯେଉଁ କୈବର୍ତ୍ତ, ବୋତାଇ,  ତରାଇ, ପୋଥାଳ (ପୋତ ଚାଳକ) ସାଥୁଆ, ପାଠିଆ, ସାସମଲ୍ଲ  ଓ ସାହୁ ଆଦି ସଂଜ୍ଞାଧାରୀମାନେ ଉପକୂଳବର୍ତ୍ତୀ ଅଞ୍ଚଳରେ ବାସ  କରୁଛନ୍ତି, ସେମାନଙ୍କ ପୂର୍ବଜ ଥିଲେ ବୋଇତ ବାହିନୀର ସଦସ୍ୟ ।  ସେତେବେଳେ ଏମାନେ ମଧ୍ୟ ଥିଲେ ସମାଜର ସ୍ୱଚ୍ଛଳବର୍ଗର  ଲୋକ । ବୋଇତ ଯାତ୍ରା ସହିତ ଓଡ଼ିଆ ଜାତିର ସଂପର୍କ ଯେତିକି  ପୁରାତନ, ସେତିକି ଭାବମୟ । 

ଅଥଚ ନୌବାଣିଜ୍ୟ ଆଜି କେବଳ  ଇତିହାସର ବିଷୟ । ପ୍ରାୟତଃ ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ  ଆରମ୍ଭ ହେଲା ବୋଇତଯାତ୍ରାର ଅବକ୍ଷୟ ପର୍ବ । ଜଳପଥରେ  ଆମଦାନୀ ଓ ରପ୍ତାନିରେ ପୂର୍ଣଚ୍ଛେଦ ପଡ଼ିବା ସହିତ ତୁଟିବାକୁ  ଲାଗିଲା ବୋଇତ ଓ ସାଧବ ମଧ୍ୟରେ ଗଢ଼ିଉଠିଥିବା ଭାବମୟ  ସଂପର୍କ । ନଅଙ୍କ ଦୁର୍ଭିକ୍ଷ(୧୮୬୬) ବେଳେ ଆମ ଦରିଆପାରି  ନୌବାଣିଜ୍ୟ ଏମିତି ସ୍ଥିତିରେ ପହଞ୍ଚିଥିଲା ଯେ, ଚାନ୍ଦବାଲି ଓ ପୁରୀ ବନ୍ଦରରେ ବୋଇତ ନଥିଲା ବର୍ମାରୁ ଚାଉଳ ଆଣିବା ପାଇଁ ।  ଜନ୍‌ ବିମ୍‌ସ ସାହେବ ବାଧ୍ୟହୋଇ କଲିକତାରୁ ଭଡ଼ାରେ ବୋଇତ ଆଣିଥିଲେ, ଯାହାର ସୂଚନା ଦେବାକୁ ଯାଇ ସେ କ୍ଷୋଭର ସହ  ଲେଖିଛନ୍ତି- ଦିନେ ବିଶ୍ୱରେ ସମୃଦ୍ଧ ନୌବାଣିଜ୍ୟ ଥିବା ଏକ  ଦେଶ କିପରି ନିଜ ଉପକୂଳରେ ଗୋଟିଏ ଜାହାଜ ଚଳାଚଳ  କରିପାରିଲାନି, ତାହା ହିଁ ବିସ୍ମୟର ବିଷୟ । 

ନୌଯାତ୍ରା ଥିଲା ଆମ ଐତିହ୍ୟର ଜୟଯାତ୍ରା। ମାତ୍ର ସେ  ଯାତ୍ରାପଛରେ କେବଳ ସୁଦୀର୍ଘ ଓ ଦନ୍ତୁରିତ ସମୁଦ୍ର ଉପକୂଳ  ଏବଂ ସମୁଦ୍ରକୁ ସଂଯୋଗ କରୁଥିବା ମହାନଦୀ, ବୈତରଣୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଋଷିକୁଲ୍ୟା ଓ କୁଶଭଦ୍ରା ଆଦି  ସୁନାବ୍ୟା ନଦୀସମୂହର ଅବଦାନ ନଥିଲା, ଏଥିସହିତ ଥିଲା  ରାଜା ମହାରାଜାଙ୍କର ପ୍ରୋତ୍ସାହନ। ସେମାନଙ୍କ ପ୍ରୋତ୍ସାହନ  ଊଣା ପଡ଼ିବା ସାଙ୍ଗକୁ ଇଂରେଜମାନଙ୍କ ସ୍ପର୍ଦ୍ଧିତ ବାଣିଜ୍ୟଲିପ୍ସା  ତଥା ଏକଚାଟିଆ ଆଧିପତ୍ୟ ଆଗରେ ଆଉ ତିଷ୍ଠିପାରିଲାନି  ବୋଇତ ସଭ୍ୟତା । ଅବସାନ ହେଲା ନୌବାଣିଜ୍ୟର ଯୁଗ । ଦେଶ ସ୍ୱାଧୀନ ହେଲାପରେ ସମୁଦ୍ରକୁ ସମୃଦ୍ଧିର ସୋପାନ କରି  ଗଢ଼ିତୋଳିବାରେ ପ୍ରକାଶ ପାଇଲାନି ରାଜନୈତିକ ତତ୍ପରତା ।  ଗଣତାନ୍ତ୍ରିକ ବ୍ୟବସ୍ଥାର ନୂଆ ରାଜାମାନେ ନୌବାଣିଜ୍ୟର ସୁବର୍ଣ୍ଣ  ସ୍ମୃତି ଚାରଣ ପାଇଁ ବୋଇତ ବନ୍ଦାଣ ଉତ୍ସବ ଉପରେ ଯେତିକି  ପ୍ରାଧାନ୍ୟ ଦେଲେ, ସେତିକି ଗୁରୁତ୍ୱ ଦେଲେନାହିଁ ବନ୍ଦର ନିର୍ମାଣ  ଓ ସଂପ୍ରସାରଣ ଉପରେ । ଫଳରେ ସମୁଦ୍ର ସହିତ ଓଡ଼ିଆ ଜାତିର  ଭାବମୟ ସଂପର୍କ ପୁନଃପ୍ରତିଷ୍ଠା ହେବା ପରିବର୍ତ୍ତେ ବଢ଼ିଲା  ବ୍ୟବଧାନ । ସମୁଦ୍ରକୁ ସମୃଦ୍ଧିର ସୋପାନ କରିବାରେ ବିଫଳ  ହୋଇ ଦାରିଦ୍ର‌୍ୟର ଶିକାର ହେଲା ଓଡ଼ିଶା।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.