ପୁରୀ,୦୮/୧୨: ଟାଉନ୍ ଥାନା ନିକଟସ୍ଥ ଏକ ସପିଙ୍ଗ୍ ମଲ୍ରୁ ଚୋରି କରିବାବେଳେ ଧରାପଡ଼ିଲେ ଜଣେ ଯୁବତୀ । ଯୁବତୀଙ୍କ ସହ ଥିବା ଜଣେ ଯୁବକଙ୍କୁ ମଧ୍ୟ କାବୁ କଲେ ମଲ୍ କର୍ମଚାରୀ । ସେମାନଙ୍କ ଠାରୁ ଚୋରି ଜିନିଷ ଜବତ କରାଯାଇଥିବାବେଳେ ପୁଲିସ ଉଭୟଙ୍କୁ ଗିରଫ କରିଛି । ୨୪ ବର୍ଷିୟା ଯୁବତୀ ଜଣକ ଡେଲାଙ୍ଗ ଥାନା ଅଧୀନ ଘୋରଡ଼ିଆ କୁଆପଡ଼ା ଅଞ୍ଚଳରହୋଇଥିବାବେଳେ ୨୫ ବର୍ଷିୟ ଯୁବକ ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅଧୀନ ତାଳପଡ଼ା ତିଆଡ଼ି ସାହିର ବୋଲି ଜଣାପଡ଼ିଛି ।
ପୁଲିସ କହିଛି ଯେ, ଗୁରୁବାର ପୂର୍ବାହ୍ଣରେ ଉଭୟ ଉକ୍ତ ମଲ୍କୁ ଯାଇଥିଲେ । ଯୁବକ ବାହାରେ ଛିଡ଼ା ହୋଇଥିବାବେଳେ ଯୁବତୀ ଛୁରି, କଇଁଚି, କସ୍ମେଟିକ୍ସ, ଏକାଧିକ ଜିନ୍ସ ପ୍ୟାଣ୍ଟ୍, ଟି-ସାର୍ଟ, ଅନ୍ତଃବସ୍ତ୍ର ଓ ସାନିଟାରୀ ପ୍ୟାଡ୍ ଚୋରି କରିଥିଲେ । ଏକାଧିକ ଥର ଟ୍ରାଏଲ୍ ରୁମ୍ରେ ପଶି ଏହି ଜିନିଷର ଟ୍ୟାଗ୍ କାଟି ବ୍ୟାଗ୍ରେ ଭର୍ତ୍ତି କରିଥିଲେ ଯୁବତୀ । ଏପରିକି କିଛି ବସ୍ତ୍ର ସେ ପିନ୍ଧି ଦେଇଥିଲେ। ଯୁବତୀ ଜଣକ ଟ୍ରାଏଲ୍ ରୁମ୍ରୁ ବାହାରିବାବେଳେ ଜଣେ କର୍ମଚାରୀଙ୍କ ସନ୍ଦେହ ହୋଇଥିଲା । ଆସିବାବେଳେ ଯୁବତୀ ଯେଉଁଭଳି ଦେଖାଯାଉଥିଲେ ଯିବାବେଳେ ଚେହେରାରେ ପରିବର୍ତ୍ତନ ଲକ୍ଷ୍ୟ କରି ଅନ୍ୟ କର୍ମଚାରୀଙ୍କୁ ସେ ଜଣାଇଥିଲେ । ପରେ ତାଙ୍କୁ ଅଟକାଇ କର୍ମଚାରୀମାନେ ଯାଞ୍ଚ୍ କରିଥିଲେ। ଏହାପରେ ଚୋରି ଘଟଣା ପଦାକୁ ଆସିଥିଲା । ପୁଲିସ ଉପସ୍ଥିତିରେ ଯୁବତୀ ପିନ୍ଧିଥିବା ଚୋରି ବସ୍ତ୍ର ଓହ୍ଲାଇଥିଲେ ମଲ୍ କର୍ମଚାରୀ । ତାଙ୍କ ବ୍ୟାଗ୍ରେ ଥିବା ଚୋରି ଜିନିଷ ମଧ୍ୟ ବାହାର କରାଯାଇଥିଲା । ମଲ୍ର ଷ୍ଟୋର୍ ମ୍ୟାନେଜର୍ କୁମ୍ଭାରାପଡ଼ା ଥାନା ଅଧୀନ ହେରାଗୋହିରୀ ସାହି ତଳନୂଆସାହିର ଅମିତ କୁମାର ପାଢ଼ୀଙ୍କ ଏତଲା କ୍ରମେ ପୁଲିସ ଚୋରି ମାମଲା (୪୩୩/୨୩) ରୁଜୁ କରିଥିଲା । ମାମଲାରେ ଉଭୟଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ଆଇଆଇସି ସୁନୀଲ ପ୍ରଧାନ ।