ନୂଆଦିଲ୍ଲୀ: ରେଭ୍ ପାର୍ଟିକୁ ସାପ ବିଷ ଯୋଗାଇବା ମାମଲାରେ ଜଣାଶୁଣା ୟୁଟ୍ୟୁବର ତଥା ବିଗ୍ ବସ୍ ବିଜେତା ଏଲଭିସ୍ ଯାଦବଙ୍କୁ ଅଟକ ରଖିଛି ଉତ୍ତର ପ୍ରଦେଶ ପୋଲିସ । ଏହି ଘଟଣାରେ ପୋଲିସ ଯାଦବଙ୍କ ବ୍ୟତୀତ ୬ ଜଣଙ୍କ ନାମରେ ମାମଲା ପଞ୍ଜିକୃତ କରିଛି । ଆଇପିସିର ବନ୍ୟଜନ୍ତୁ ସଂରକ୍ଷଣ ଆଇନ୍ ୯, ୩୯, ୪୯, ୫୦ର ଧାରା ୧୨୦ ବି ଅଧିନରେ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ ।
ସୂତ୍ର ଅନୁଯାୟୀ, ସାପ ବିଷ ଯୋଗାଣକୁ ବିରୋଧ କରି ନୋଇଡା ପୋଲିସ, ଜଙ୍ଗଲ ବିଭାଗ, ପିପୁଲ ଫର ଆନିମଲ ଏବଂ ଏକ ଏନଜିଓ ମିଳିତ ଭାବରେ ଏକ ରେଭ୍ ପାର୍ଟିରେ ଚଢାଉ କରିଥିଲେ । ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି । ତେବେ ସେମାନଙ୍କୁ ପଚରାଉଚୁରା ବେଳେ ଏହି ଗ୍ୟାଙ୍ଗରେ ଏଲଭିସ୍ ଯାଦବଙ୍କ ସଂପୃକ୍ତି ରହିଛି ବୋଲି ପୋଲିସ ଜାଣିବାକୁ ପାଇଛି । ତେବେ ଚଢାଉ ବେଳେ ଏମାନଙ୍କ ନିକଟରୁ ୫ କୋବ୍ରା, ୨ଟି ଦୁଇ ମୁଣ୍ଡିଆ ସାପ, ଗୋଟିଏ ନାଲି ରଙ୍ଗର ସାପ ଏବଂ ଗୋଟିଏ ଅଜଗର ଉଦ୍ଧାର ହୋଇଛି । ଏକ ପ୍ଲାଷ୍ଟିକ ବୋତଲରେ ୨୦-୨୫ ମିଲିଗ୍ରାମର ସାପ ବିଷ ଏହି ପାର୍ଟିରୁ ଜବତ କରାଯାଇଛି ।
#WATCH | Noida, UP: On an FIR registered against six people, including YouTuber and Bigg Boss winner Elvish Yadav, over allegedly supplying snake poison at a rave party, Ram Badan Singh, DCP, says, "...An FIR was registered by Gaurav Gupta, an Animal Welfare Association Officer,… pic.twitter.com/avyOCEZybH
— ANI (@ANI) November 3, 2023
ତେବେ ଏହି ଘଟଣାରେ ସୋସିଆଲ ମିଡିଆରେ ସ୍ପଷ୍ଟୀକରଣ ରଖିଛନ୍ତି ୨୬ ବର୍ଷିୟ ୟୁଟ୍ୟୁବର ଏଲଭିସ୍ । କହିଛନ୍ତି ଯେ, ‘ମୋ ବିରୋଧରେ ଆସିଥିବା ଏହି ଅଭିଯୋଗ ସଂମ୍ପୂର୍ଣ୍ଣ ଆମୂଳକ ଏବଂ ଭିତ୍ତିହୀନ । ମାମଲାର ତଦନ୍ତ ପାଇଁ ପୋଲିସକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ମୁଁ ପ୍ରସ୍ତୁତ’ । ଉତ୍ତରପ୍ରଦେଶ ପୋଲିସ ପ୍ରଶାସନ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିବେଦନ କରି ସେ କହିଛନ୍ତି ଯେ, ଯଦି ଏହି ମାମଲାରେ ମୋର ସମ୍ପୃକ୍ତି ମିଳେ ତେବେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଁ ପ୍ରସ୍ତୁତ ।
ସେପଟେ ଏହି ଘଟଣାରେ ବିଜେପି ସାଂସଦ ମାନେକା ଗାନ୍ଧୀ ଏବଂ ପିପୁଲ ଫର୍ ଆନିମଲ୍ର ସଦସ୍ୟ ଗୌରବ ଗୁପ୍ତା ଏଲଭିସ୍ଙ୍କ ଗିରଫ ଦାବି କରିଛନ୍ତି । ଏମାନଙ୍କ ଅଭିଯୋଗ ଅନୁସାରେ ଏଲଭିସ୍ ଏବଂ ସହଯୋଗୀ ଏହି ରେଭ୍ ପାର୍ଟିକୁ ବେଆଇନ୍ ଭାବେ ଚଳାଉଥିଲେ । ଏଥିରେ ସାପ ମାନଙ୍କ ସହ ସର୍ଟ ଭିଡିଓ କରାଯାଉଥିଲା । ଏଥି ସହ ସାପ ବିଷକୁ ନୋଇଡାର ବିଭିନ୍ନ ସ୍ଥାନକୁ ଯୋଗାଉଥିଲେ ।