ନୂଆଦିଲ୍ଲୀ: ତିରୁପତି ଲଡୁ ବିବାଦକୁ ନେଇ ସମଗ୍ର ଦେଶ ଏବେ ଉଠୁଚି ପଡୁଛି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦାବି କରିଛନ୍ତି ଯେ ଲଡୁ ପ୍ରସାଦରେ ପଶୁ ଚର୍ବି ମିଶ୍ରିତ ହେଉଥିଲା । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ ରେଡ୍ଡୀ ମୁହାଁମୁହିଁ ହୋଇଛନ୍ତି।
ଘଟଣାକୁ ନେଇ YSRCP ମୁଖ୍ୟ ଜଗନ୍ ମୋହନ ରେଡ୍ଡୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି । ଏହି ଚିଠିରେ ସେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଉପରେ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ର ପବିତ୍ରତାକୁ ଅପବିତ୍ର କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି । କେବଳ ଏତିକି ନୁହେଁ, ନାଇଡୁଙ୍କୁ ତାଗିଦ କରିବା ସହ ସତ୍ୟର ଖୁଲାସା କରିବାକୁ ଜଗନ୍ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।
ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ସେ କହିଛନ୍ତି," ଆନ୍ଧ୍ରପ୍ରଦେଶ ରାଜ୍ୟରେ ଘଟୁଥିବା ଅପମାନଜନକ ଘଟଣା ଏବଂ ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ମୁଁ ଏହି ଚିଠି ଆପଣଙ୍କୁ ଲେଖୁଛି । ତିରୁମାଲା ତିରୁପତି ଦେବସ୍ଥାନର ପବିତ୍ରତା, ଅଖଣ୍ଡତା ଏବଂ ସମ୍ମାନ ଅପୂରଣୀୟ କ୍ଷତି ଘଟାଇଛି । ଭଗବାନ ଭେଙ୍କଟେଶ୍ବରଙ୍କର କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ କୋଟି କୋଟି ହିନ୍ଦୁ ଭକ୍ତ ଅଛନ୍ତି, ତେବେ ଏହି ମିଥ୍ୟା ପରିସ୍ଥିତି ଅନେକ କ୍ଷତି ଘଟାଇପାରେ ।
ସେ ଆହୁରି ମଧ୍ୟ ଲେଖିଛନ୍ତି, "ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଟିଟିଡିର କାର୍ଯ୍ୟକଳାପ ବିରୁଦ୍ଧରେ ମିଥ୍ୟା ପ୍ରଚାର କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ତିରୁମାଲା ମନ୍ଦିରରେ ପ୍ରସାଦ ତିଆରିରେ ବ୍ୟବହାର କରାଯାଉଥିବା ଘିଅ ଅପମିଶ୍ରିତ ହୋଇଛି ଏବଂ ଘିଅରେ ପଶୁ ଚର୍ବି ରହିଛି ।