କଲମ୍ବୋ,୧୭/୦୯: ଏସିଆ କପ୍ ଫାଇନାଲ୍ । ଗୋଟିଏ ପଟେ ୭ଥର ଚାମ୍ପିଅନ୍ ଭାରତ । ଅନ୍ୟ ପଟରେ ଡିଫେଣ୍ଡିଂ ଚାମ୍ପିଅନ ଶ୍ରୀଲଙ୍କା । ପ୍ରେମଦାସା ଷ୍ଟାଡିୟମ୍ ପ୍ରସ୍ତୁତ । ସ୍ପିନ୍ରଙ୍କ ପାଇଁ ପ୍ରସ୍ତୁତ ପିଚ୍ରେ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଶ୍ରୀଲଙ୍କା ବଦ୍ଧ ପରିକର । ରୋହିତ ବାହିନୀ ମଧ୍ୟ ୫ବର୍ଷ ପରେ ଏସିଆ କପ୍ ଟ୍ରଫି ସହ ସ୍ୱଦେଶ ଫେରିବାକୁ ବ୍ୟଗ୍ର । ଉଭୟ ଦଳଙ୍କ ପ୍ରସ୍ତୁତି ମଧ୍ୟରେ ବର୍ଷା ମଧ୍ୟ ତାଣ୍ଡବ ରଚିବାକୁ ଯୋଜନା କରୁଛି ।
ଭାରତ ସୁପର-୪ ରାଉଣ୍ଡ୍ରେ ଶ୍ରୀଲଙ୍କାକୁ ହରାଇ ସାରିଛି । ଏଥର ଶ୍ରୀଲଙ୍କା ଜବାବ ଦେବାକୁ ଲକ୍ଷ୍ୟ ରଖିଛି । ମାତ୍ର ଭାରତକୁ ହରାଇବା ସହଜ ହେବ ନାହିଁ । ସବୁ ପ୍ରକାର ପିଚ୍ରେ ଘାତକ ସାବ୍ୟସ୍ତ ହେବା ଭଳି ବୋଲିଂ ବାହିନୀ ଭାରତ ନିକଟରେ ରହିଛି ।
ଭାରତର ପଲା ଭାରି ଜଣା ପଡ଼ୁଥିଲେ ହେଁ ରବିବାର ଶ୍ରୀଲଙ୍କା ବିପର୍ଯ୍ୟୟ ଘଟାଇବାକୁ ପ୍ରୟାସ କରିବ। ଫାଇନାଲ୍ ଜିତିଲେ ଶ୍ରୀଲଙ୍କା ମଧ୍ୟ ସର୍ବାଧିକ ୭ଥର ଏସିଆ କପ୍ ଚାମ୍ପିଅନ ହୋଇ ଭାରତ ସହ ସମକକ୍ଷ ହେବ। ପାକିସ୍ତାନ ବିପକ୍ଷରେ ବିଜୟପରେ ଶ୍ରୀଲଙ୍କା ଦଳର ମନୋବଳ ବୃଦ୍ଧି ହୋଇଛି । ଏସିଆ କପ୍ ଇତିହାସରେ ଶ୍ରୀଲଙ୍କା ସର୍ବାଧିକ ୧୨ଥର ଫାଇନାଲ୍ରେ ପ୍ରବେଶ କରିଛି । ଭାରତ ଦଶମ ଫାଇନାଲ୍ ଖେଳିବାକୁ ଯାଉଛି ।
ଭାରତକୁ ହରାଇବାକୁ ହେଲେ ଶ୍ରୀଲଙ୍କାକୁ ପ୍ରଥମେ କୁଲଦୀପ ଯାଦବଙ୍କ ମୁକାବିଲା କରିବା ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ହେବ । ଚଳିତ ବର୍ଷ କୁଲଦୀପ ୩୧ଟି ୱିକେଟ ଅକ୍ତିଆର କରିସାରିଛନ୍ତି ।
୨୫୦ତମ ମ୍ୟାଚ୍ ଖେଳିବେ ରୋହିତ: ଅଧିନାୟକ ରୋହିତ ଶର୍ମା ରବିବାର ଦିନିକିଆ କ୍ରିକେଟ୍ରେ ୨୫୦ତମ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି। ବାଂଲାଦେଶ ବିପକ୍ଷରେ ଖାତା ଖୋଲିପାରି ନଥିବା ରୋହିତ ଏକ ସ୍ମରଣୀୟ ଇନିଂସ ଖେଳିବେ ବୋଲି ଆଶା କରାଯାଉଛି । ସେ ୨୪୯ଟି ଦିନିକିଆ ଖେଳି ୪୮.୬୯ ହାରରେ ମୋଟ୍ ୧୦,୦୩୧ ରନ୍ ସଂଗ୍ରହ କରିସାରିଛନ୍ତି । ଏଥିରେ ୩ଟି ଦ୍ୱିଶତକ, ୨୭ଟି ଶତକ ଓ ୫୧ଟି ଅର୍ଦ୍ଧଶତକ ରହିଛି । ଦିନିକିଆ କ୍ରିକେଟ୍ରେ ସେ ୨୮୬ଟି ଛକା ମାରି ସାରିଛନ୍ତି ।
ଏକାଦଶରେ ହେବ ପରିବର୍ତ୍ତନ: ଫାଇନାଲ ମ୍ୟାଚରେ ଉଭୟ ଦଳ ଏକାଦଶରେ ପରିବର୍ତ୍ତନ କରିବା ନିଶ୍ଚିତ । ଭାରତର ଅକ୍ଷର ପଟେଲ ଓ ଶ୍ରୀଲଙ୍କାର ବିସ୍ମୟୀ ସ୍ପିନର ମହୀଶ ତୀକ୍ଷଣା ଆହତ ହୋଇଛନ୍ତି । ତୀକ୍ଷଣାଙ୍କ ସ୍ଥାନରେ ଶ୍ରୀଲଙ୍କା ଯୁବ ସ୍ପିନର ଦୁସାନ ହେମନ୍ତଙ୍କୁ ଖେଳାଇବା ଆଶା କରାଯାଉଛି । ଅକ୍ଷର ପଟେଲଙ୍କ ସ୍ଥାନରେ ଭାରତ ୱାସିଂଟନ ସୁନ୍ଦରଙ୍କୁ ଡକାଇଛି । ମାତ୍ର ପିଚ୍କୁ ଦେଖି ଭାରତ ଚୂଡ଼ାନ୍ତ ଏକାଦଶ ଘୋଷଣା କରିବ । ସର୍ଦୁଲ ଠାକୁର ପଞ୍ଚମ ବୋଲର ଭାବେ ଖେଳିବାକୁ ସୁଯୋଗ ପାଇବେ ବୋଲି ଆଶା କରାଯାଉଛି । ଇଶାନ କିଷନଙ୍କ ସ୍ଥାନରେ ତିଳକ ବର୍ମା ଖେଳିବେ ଓ ଅତିରିକ୍ତ ସ୍ପିନର ଦାୟିତ୍ୱ ତୁଲାଇବେ ।
ସ୍ପିନରଙ୍କୁ ସୁହାଇବ ପିଚ: ପ୍ରେମଦାସା ଷ୍ଟାଡିୟମ୍ରେ ଗତ ୯ ଦିନ ମଧ୍ୟରେ ୬ଟି ମ୍ୟାଚ୍ ଖେଳାଯାଇସାରିଛି । ଫଳରେ ପିଚ୍କୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ମୋଟ୍ ଉପରେ ଦେଖିବାକୁ ଗଲେ ପିଚ୍ ସାମାନ୍ୟ ମନ୍ଥର ରହିବ ଓ ସ୍ପିନରଙ୍କୁ ସହାୟତା କରିବ । ପାଗ ଶୁଖିଲା ରହିଲେ ବଲ୍ ମାତ୍ରାଧିକ ଟର୍ଣ୍ଣ କରିବ। ଟସ୍ ବିଜୟୀ ଦଳ ପ୍ରଥମେ ବ୍ୟାଟିଂ କରିବା ଉପଯୁକ୍ତ ନିଷ୍ପତ୍ତି ହେବ । ଏଠାରେ ଖେଳାଯାଇଥିବା ଶେଷ ୬ଟି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୫ଟି ମ୍ୟାଚ୍ରେ ବିଜୟ ହାସଲ କରିଛନ୍ତି । କେବଳ ପାକିସ୍ତାନ ବିପକ୍ଷରେ ଶ୍ରୀଲଙ୍କା ଦ୍ୱିତୀୟରେ ବ୍ୟାଟିଂ କରି ବିଜୟୀ ହୋଇଥିଲା ।
ସମ୍ଭାବ୍ୟ ଦଳ
ଭାରତ: ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, କେଏଲ ରାହୁଲ, ଇଶାନ କିଷନ/ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ସର୍ଦୁଲ ଠାକୁର/ ୱାସିଂଟନ ସୁନ୍ଦର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଯଶପ୍ରୀତ ବୁମରା ।
ଶ୍ରୀଲଙ୍କା: କୁଶଲ ପେରେରା, ପଥୁମ ନିଶଙ୍କା, କୁଶଲ ମେଣ୍ଡିସ, ସଦିରା ସମରବିକ୍ରମା, ଚରିଥ ଆଶାଲଙ୍କା, ଧନଞ୍ଜୟ ଡି ସିଲ୍ଭା, ଡାସୁନ ଶଣକା(ଅଧିନାୟକ), ଦୁନିଥ ୱେଲାଲଗେ, ଦୁସାନ ହେମନ୍ତ, ମଥିଶା ପତିରଣା, କାସୁନ ରଜିଥା ।