ପାଟଣା,୧୪/୦୯: ହାଟକୁ ଯାଇ ଘରକୁ ଫେରିଲେନି ଯୁବକ । ପରଦିନ ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ । ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତକ ଭିମାପଡ଼ା ଗ୍ରାମର ବନମାଳୀ ମୁଣ୍ଡା ବୋଲି ଜଣାପଡ଼ିଛି । କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଭିମାପଡା ଗାଁ ନିକଟସ୍ଥ ପୋଖରୀରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ବନମାଳୀ ଶୁକ୍ରବାର ହାଟକୁ ଯାଇଥିଲେ । ହାଟକୁ ଯାଇ ଆଉ ଘରକୁ ଫେରି ନଥିଲେ । ସେ ଘରକୁ ନଫେରିବାରୁ ତାଙ୍କ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ । ତେବେ ଏହି ଘଟଣାର ପରଦିନ ଅର୍ଥାତ ଶନିବାର ଗାଁ ନିକଟସ୍ଥ ପୋଖରୀରେ ତାଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ଏହା ଦେଖି ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି । ଏହା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।