ନୂଆଦିଲ୍ଲୀ ୨୯/୦୮: ଆଜି ଭାରତୀୟ ନୌସେନାକୁ ମିଳିବ ଦେଶର ୨ୟ ପରମାଣୁ ବୁଡ଼ାଜାହାଜ ‘ଅରିଘାତ’ । ୨୦୧୭ ମସିହାରେ ଏହାକୁ ଲଞ୍ଚ୍ କରାଯାଇଥିଲା । ସେବେଠୁ ଏହାର ପରୀକ୍ଷଣ ଚାଲିଥିଲା । ଶେଷରେ ଏବେ ଏହାକୁ ସେନାରେ ମୁତୟନ କରାଯିବ । ଅରିଘାତ ଆଇଏନ୍ଏସ୍ ଅରିହନ୍ତର ଉନ୍ନତ ସଂସ୍କରଣ । ବିଶାଖାପଟ୍ଟନମ୍ରେ ଭାରତୀୟ ନୌସେନାର ଶିପ୍ ବିଲ୍ଡିଂ ସେଣ୍ଟର୍ (ଏସ୍ବିସି)ରେ ଏହା ନିର୍ମିତ ହୋଇଛି ।
ଅରିହନ୍ତ ଭଳି ଅରିଘାତରେ ମଧ୍ୟ ୭୫୦ କିମି ଦୂରତାବିଶିଷ୍ଟ କେ-୧୫ ମିସାଇଲ ରହିଛି । ଅରିଘାତର ଓଜନ ୬ ହଜାର ଟନ୍ (୬୦ ହଜାର କ୍ୱିଣ୍ଟାଲ) । ଲମ୍ବା ୧୧୧.୬ ମିଟର, ଚଉଡ଼ା ୧୧ ମିଟର । ସମୁଦ୍ର ପୃଷ୍ଠରେ ଏହାର ବେଗ ଘଣ୍ଟା ପ୍ରତି ୨୨ରୁ ୨୮ କିମି । ପାଣି ଭିତରେ ଏହା ଘଣ୍ଟା ପ୍ରତି ୨୪ ସାମୁଦ୍ରିକ ମାଇଲରେ ଗତି କରେ । ୯.୫ ମିଟର ଗଭୀରରେ ଏହା ଗତି କରିବ । ଏଥିରେ କେ-୧୫ ବା ବିଓ୫ ଶର୍ଟ ରେଞ୍ଜ୍ର ୨୪ ସିମାଇଲ ମୁତୟନ କରାଯାଇଛି । ୭୦୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟକୁ ଏହା ଭେଦ କରିପାରେ । ଭାରତୀୟ ନୌସେନା ଅଦ୍ୟାବଧି ୩ ପରମାଣୁ ବୁଡ଼ାଜାହାଜ ପ୍ରସ୍ତୁତ କରିଛି । ତନ୍ମଧ୍ୟରୁ ଗୋଟିଏ ଅରିହନ୍ତ ପୂର୍ବରୁ ସେନାରେ ସାମିଲ ହୋଇଛି । ଅରିଘାତ ଏବେ ନୌସେନାରେ ସାମିଲ ହୋଇଥିବାବେଳେ ୩ୟ ବୁଡ଼ାଜାହାଜ ଏସ୍-୩ର ପରୀକ୍ଷଣ ଜାରି ରହିଛି । ଏ ସମସ୍ତ ବୁଡ଼ାଜାହାଜ ଜରିଆରେ ଶତ୍ରୁ ଦେଶ ଉପରେ ପରମାଣୁ ମିସାଇଲ ମାଡ଼ କରାଯାଇ ପାରିବ ।
୨୦୦୯ ମସିହାରେ ପ୍ରଥମ ଥର ସାଙ୍କେତିକ ଭାବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପତ୍ନୀ କାଗରିଲ ବିଜୟ ଦିବସ ଅବସରରେ ଆଇଏନ୍ଏସ୍ ଅରିହନ୍ତକୁ ଲଞ୍ଚ୍ କରିଥିଲେ । ଏହା ପରେ ୨୦୧୬ ମସିହାରେ ଏହାକୁ ନୌସେନାରେ ସାମିଲ କରାଯାଇଥିଲା । ଆଗାମି ୫ ବର୍ଷରେ ଆଉ ଦୁଇଟି ବୁଡ଼ାଜାହାଜକୁ ଭାରତୀୟ ନୌସେନା ଲଞ୍ଚ୍ କରିଛି । ୨୦୦୯ରେ ବୁଡ଼ାଜାହାଜ ଲଞ୍ଚ୍ ପୂର୍ବରୁ ଭାରତ ବିଶ୍ୱଠୁ ଲୁଚାଇ ରଖିଥିଲା । ୧୯୯୦ ମସିହାରେ ଭାରତ ସରକାର ଏଟିଭି ଅର୍ଥାତ୍ ଆଡ୍ଭାନ୍ସ ଟେକ୍ନୋଲୋଜି ଭେସେଲ ପ୍ରୋଗ୍ରାମ୍ ଆରମ୍ଭ କରିଥିଲା । ଏହା ଅନ୍ତର୍ଗତ ଏ ସମସ୍ତ ବୁଡ଼ାଜାହାଜ ନିର୍ମାଣ ଆରମ୍ଭ ହୋଇଥିଲା ।