ପ୍ରମୂଖ ଖବର

ବରଗଡ଼ ଲୋକସଭା ସମେତ ୩ ବିଧାନସଭା ଆସନରୁ କିଏ ? ବିଜେଡ଼ି ଟିକେଟ୍‌କୁ ନେଇ ଦ୍ୱନ୍ଦରେ ଆଶାୟୀ

ବରଗଡ଼, ୨୮/୦୩: ବିଜେଡ଼ି ସୁପ୍ରିମୋ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ପ୍ରଥମ ପର୍ଯ୍ୟାୟରେ ବରଗଡ଼ ଜିଲ୍ଲାର ୫ଟି ବିଧାନସଭା ଆସନରୁ ୪ଟି ଆସନର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ପଦ୍ମପୁର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କ ନାମ ଘୋଷଣା କରିନଥିବାରୁ ସସପେନ୍ସ  ବୃଦ୍ଧିପାଇଛି । ସେହିଭଳି ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରସୁଗୁଡ଼ା ଜିଲ୍ଲାର ଝାରସୁଗୁଡ଼ା ଓ ବ୍ରଜରାଜନଗର ବିଧାନସଭା ଆସନ ସହିତ ବରଗଡ଼ ଲୋକସଭା ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷଣା କରାଯାଇନଥିବାରୁ ସଂଶୟ ନା ସଙ୍କଟ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।   

ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରଗଡ଼ ଜିଲ୍ଲାର ୪ଟି ଆସନ ବିଜେପୁର,  ବରଗଡ଼, ଅତାବିରା ଓ ଭଟଲି ପାଇଁ ବିଜେଡ଼ି ପ୍ରାର୍ଥୀ ଘୋଷଣା କରିଛି । ଜିଲ୍ଲାର ପଦ୍ମପୁର ଆସନ  ସମେତ ଝାରସୁଗୁଡ଼ା ଜିଲ୍ଲାର ଉଭୟ ଝାରସୁଗୁଡ଼ା  ଓ ବ୍ରଜରାଜନଗର ଆସନର ପ୍ରାର୍ଥୀ ଚୟନକୁ  ଝୁଲାଇ ରଖିଥିବାରୁ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ  ସଂଶୟ ବହୁଗୁଣିତ ହୋଇଛି । ବରଗଡ଼ ଜିଲ୍ଲାର ଚାରି ପ୍ରାର୍ଥୀଙ୍କୁ ରିପିଟ କରାଯାଇଥିବାରୁ ବାକି  ତିନି ଆସନକୁ ନେଇ ଦ୍ୱିଧା ବଢ଼ିଛି । ବିଜେଡିର  ତିନି ଦିବଙ୍ଗତ ବିଧାୟକ ସ୍ୱର୍ଗତ ବିଜୟ ରଞ୍ଜନ  ସିଂହବରିହା, ସ୍ୱର୍ଗତ ନବ ଦାସ ଓ ସ୍ୱର୍ଗତ କିଶୋର  ମହାନ୍ତିଙ୍କ ମହିଳା ଉତ୍ତରାଧିକାରୀ ଏହି ଆସନ ତ୍ରୟରୁ ନିର୍ବାଚିତ ହୋଇଥିଲେ ମଧ୍ୟ ଏହାକୁ ସ୍ଥଗିତ ରଖାଯାଇଥିବାରୁ ନାନା କଳ୍ପନା ଜଳ୍ପନା ସାମାନକୁ ଆସିଛି । ସ୍ୱର୍ଗତ ବରିହାଙ୍କ କନ୍ୟା ବର୍ଷା, ସ୍ୱର୍ଗତ ଦାସଙ୍କ କନ୍ୟା ଦିପାଳୀ ଓ ସ୍ୱର୍ଗତ ମହାନ୍ତିଙ୍କ ସ୍ତ୍ରୀଙ୍କୁ ପୁନର୍ବାର ଦଳ ଟିକଟ ଦେବ କି ଅନ୍ୟ କୋଉଠି ଥଇଥାନ କରିବ ଅଥବା ଅନ୍ୟ କାହାକୁ ଦେବ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ଏପଟେ ବରଗଡ଼ ଲୋକସଭା ଆସନ ପାଇଁ  ମଧ୍ୟ ବିଜେଡିର ନୀରବତା ଲୋକସଭା ସମେତ ଉପରୋକ୍ତ ତିନି ବିଧାନସଭା ପ୍ରାର୍ଥୀ ଚୟନକୁ ଆପେକ୍ଷିତ ହୋଇଛି ।   

ପ୍ରକାଶଥାଉକି, ବରଗଡ଼ ଲୋକସଭା ନିର୍ବାଚନ  ମଣ୍ଡଳୀ ଅନ୍ତର୍ଗତ ୭ଟି ବିଧାନସଭା ଆସନରୁ  ୪ଟି ଆସନରେ ସ୍ୱର୍ଗତ ବିଧାୟକମାନଙ୍କ ମହିଳା ଉତ୍ତରାଧିକାରୀମାନେ ଏବଂ ଅତାବିରା ଆସନରେ  ମହିଳା ବିଧାୟିକାଙ୍କୁ ନେଇ ୫ ଜଣ ମହିଳା ପ୍ରତିନିଧିତ୍ୱ କରୁଥିବା ବେଳେ ଅବଶିଷ୍ଟ ୨ଟି  ଆସନ ବରଗଡ଼ ଓ ଭଟଲିରୁ ଦୁଇଜଣ ପୁରୁଷ  ବିଧାୟକ ପ୍ରତିନିଧିତ୍ୱ କରୁଛନ୍ତି  । ଯେଉଥିରୁ ଦଳ  ମାତ୍ର ୨ ଜଣ ମହିଳାଙ୍କୁ ରିପିଟ କରିଥିବା ବେଳେ  ବାକି ୩ ଜଣ ମହିଳା ପ୍ରାର୍ଥୀଙ୍କ ଭାଗ୍ୟ ଓ ବିଜେଡ଼ି  ଗୋଟିଚାଳନା ଆପେକ୍ଷିତ ହୋଇଛି  ।    

ପଦ୍ମପୁର ବିଧାୟକ ଥିବା ଶ୍ରୀ ସିଂବରିହାଙ୍କ  ମୃତ୍ୟୁ ପରେ ତାଙ୍କ ଝିଅ ବର୍ଷା ଉପନିର୍ବାଚନରେ  ବିଜୟଲାଭ କରିଥିଲେ । ପଦ୍ମପୁରକୁ ଜିଲ୍ଲା ଘୋଷଣା ସହ ବରଗଡ଼-ନୂଆପଡ଼ା ରେଳ ଲାଇନ,  ପଦ୍ମପୁରରେ ଦ୍ୱିତୀୟ କେନ୍ଦ୍ରୀୟ ବିଦ୍ୟାଳୟ,  ଫସଲବୀମା, ଇନପୁଟ ସବସିଡ଼ି ଆଦି ଅନେକ  ଅପୂରଣୀୟ ପ୍ରତିଶ୍ରୁତିକୁ ନେଇ ଅଞ୍ଚଳବାସୀଙ୍କ  ଅସନ୍ତୋଷ ଉଭୟ  ବିଜେପି ଓ ବିଜେଡି  ପାଇଁ ଆହ୍ୱାନ  ପାଲଟିଥିବା ବେଳେ ପ୍ରାର୍ଥିତ୍ୱକୁ ନେଇ ଉଭୟ ଦଳରେ ସଙ୍କଟ ସୃଷ୍ଟି  କରିଛି । ପାରିବାରିକ ଦ୍ୱିଧା ସହ ସ୍ୱର୍ଗତ ମହେନ୍ଦ୍ର  ବଢ଼େଇଙ୍କ ଧର୍ମପତ୍ନୀଙ୍କ ଉପସ୍ଥିତି ବିଜେଡ଼ି ପାଇଁ  ଆହ୍ୱାନ ପାଲଟିଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ  ପୁରୋହିତଙ୍କୁ ଦଳ ଲୋକସଭା ଲଢ଼େଇ ପାଇଁ  ଚୟନ କରିବା ପରେ ଖାଲି ସ୍ଥାନ ପୂରଣ ବର୍ତ୍ତମାନ  ବିଜେପି ପାଇଁ ଚିନ୍ତାର କାରଣ ପାଲଟିଛି ।    

ପ୍ରକାଶ ଥାଉକି, ପଦ୍ମପୁର ଆସନର ବିଜେପି  ପ୍ରାର୍ଥୀ ଶ୍ରୀ ପୁରୋହିତ ଲୋଭସଭା ପାଇଁ ଦଳୀୟ  ପ୍ରାର୍ଥୀ ହେବା ପରେ ପଦ୍ମପୁର ଆସନଟି ବର୍ତ୍ତମାନ  ରିକ୍ତ ହୋଇଛି । ପଦ୍ମପୁର ଆସନ ପାଇଁ ଆଶାୟୀ  ଆଦିବାସୀ ନେତା ଗୋବର୍ଦ୍ଧନ ଭୋଏ, ପ୍ରିତେଶ  ବହିଦାର, ମହିଳା ନେତ୍ରୀ ମୁକ୍ତା ସାହୁଙ୍କ ନାମ  ଚର୍ଚ୍ଚାରେ ଥିବା ବେଳେ ଦଳ କାହା ଉପରେ ଭରସା  କରୁଛି ଦେଖିବାକୁ ବାକି ରହିଛି । ସେହିଭଳି  ଝାରସୁଗୁଡ଼ା ଓ ବ୍ରଜରାଜନଗର ଆସନର ପ୍ରାର୍ଥୀ  ଚୟନ ମଧ୍ୟ ଝୁଲିକି ରହିଯାଇଥିବା ବେଳେ  ସସପେନ୍ସରେ ଥିବା ବରଗଡ଼ ଲୋକସଭା ଆସନର  ପ୍ରାର୍ଥୀ ଚୟନ ବର୍ତ୍ତମାନ ୧୩ ଲକ୍ଷ ଭୋଟରଙ୍କ  ସମେତ ବିରୋଧୀଙ୍କ ପାଇଁ ଆପେକ୍ଷିତ ରହିଛି ।  ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅନିଚ୍ଛା  ଦଳକୁ ଅନିଦ୍ରା କରିଥିବା ବେଳେ ବିଧାୟକ ପ୍ରାର୍ଥୀଙ୍କ  ନାମ ଘୋଷଣା ପରେ ସେହି ବାଟ ମଧ୍ୟ ବନ୍ଦ  ହୋଇଛି । ଫଳରେ ଆଶାୟୀ ପୂର୍ବତନ ସାଂସଦ  ତଥା ବରଗଡ଼ ଜିଲ୍ଲା ବିଜେଡ଼ି ସଭାପତି ଡ଼.  ପ୍ରଭାସ କୁମାର ସିଂହଙ୍କ ସମେତ ଏପିକଲ ଅଧ୍ୟକ୍ଷ  ପ୍ରଭାତାଦିତ୍ୟ ମିଶ୍ର, ଜିଲ୍ଲା ପରିଷଦର ପୂର୍ବତନ  ଉପାଧ୍ୟକ୍ଷ ସୌଭାଗ୍ୟ ରଞ୍ଜନ ନାୟକ, ବରଗଡ଼  ଚିନିକଳ ପରିଚାଳନା ବୋର୍ଡ଼ର ପ୍ରାକ୍ତନ ସଭାପତି  ଲକ୍ଷ୍ମୀ ନାରାୟଣ ରଥ, ଆମ ଓଡ଼ିଶା ସଂଯୋଜକ  ଗୌରହରି ମିଶ୍ର, ବରଗଡ଼ ଓକିଲ ସଂଘ ସଭାପତି  ଭୀଷ୍ମଦେବ ସରାଫଙ୍କ ମଧ୍ୟରୁ ଦଳ କାହାକୁ ଚୟନ  କରିବ କି ବିସ୍ମୟଭାବେ କୌଣସି ଅଣରାଜନୈତିକ  ବ୍ୟକ୍ତି ବିଶେଷଙ୍କୁ ପ୍ରାର୍ଥୀ କରିବ କି ବିରୋଧୀ ଦଳରୁ  କାହାକୁ ସୁଯୋଗ ଦେବ ଚର୍ଚ୍ଚାର କେନ୍ଦ୍ର ହୋଇଛି ।    

ବିଜେପୁର ବିଧାନସଭା ଆସନରୁ ମନ୍ତ୍ରୀ  ରୀତା ସାହୁ, ବରଗଡ଼ରୁ ଦେବେଶ ଆଚାର୍ଯ୍ୟ,  ଅତାବିରାରୁ ସ୍ନେହାଙ୍ଗିନୀ ଛୁରୀଆ ଓ ଭଟଲି  ନିର୍ବାଚନ ମଣ୍ଡଳୀରୁ ସୁଶାନ୍ତ ସିଂହଙ୍କୁ ଦଳ ପ୍ରାର୍ଥୀ  କରିଥିବାରୁ ପଦ୍ମପୁର ଓ ବରଗଡ଼ ଲୋକସଭା  ଆସନରୁ କିଏ ବୋଲି ସବୁ ମହଲ ସବୁ ଖଟିର  ପ୍ରଶ୍ନ ବରଗଡ଼ ଓ ଝାରସୁଗୁଡ଼ାର ରାଜନୈତିକ  ମାହୋଲକୁ ସରଗରମ କରିଛ

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.