ନୂଆଦିଲ୍ଲୀ,୧୯/୦୯: ପିଲାଙ୍କ ପାଇଁ ଖେଳ ପଡ଼ିଆ ଅଭାବକୁ ନେଇ ଜାରି ହୋଇଥିବା କ୍ରିକେଟର ବିରାଟ କୋହଲିଙ୍କର ଏକ ଭିଡିଓକୁ ନେଇ ଉତ୍ତରାଖଣ୍ଡ ହାଇକୋର୍ଟ ସ୍ବଆବେଦନ କରି ସୋମବାର ଏହାର ଶୁଶାଣି କରିଛନ୍ତି। ଅଦାଲତ ଏହି ମାମଲାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦୁଇ ସପ୍ତାହ ମଧ୍ୟରେ ଲିଖିତ ଜବାବ ଦାଖଲ କରିବାକୁ କହିଛନ୍ତି। ମୁଖ୍ୟ ବିଚାରପତି ବିପିିନ ସାଙ୍ଘି ଏବଂ ବିଚାରପତି ରାକେଶ ଥପଲିୟାଲଙ୍କ ଖଣ୍ଡପିଠ ଉତ୍ତରାଖଣ୍ଡର କ୍ରିଡ଼ା ସଚିବ, ସହର ବିକାଶ ସଚିବ ଏବଂ ଭାରତ ସରକାରଙ୍କ ଖେଳ ସଚିବଙ୍କ ସମେତ ଅନ୍ୟ କେତେଜଣଙ୍କୁ ଏହି ନୋଟିସ୍ ଜରି କରି ଏହି ପ୍ରଶ୍ନ ଉଠାଇଛନ୍ତି।
ଜାରି କରାଯାଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ, ଏଥିରେ କିଛି ଛୋଟ ଛୁଆଙ୍କ ସହିତ କୋହଲି କଥାବାର୍ତ୍ତା ହେଉଛନ୍ତି। ଏଥିରେ କ୍ରିଡ଼ା ବିଭାଗର ବାସ୍ତବ ସତ୍ୟକୁ ଉଲ୍ଲେଖ କରାଯାଇଛି। ତେବେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ଏହାକୁ ନେଇ ହଙ୍ଗାମା ଆରମ୍ଭ ହୋଇଯାଇଛି। ତମାମ ମାମଲାରେ କିଛି ପିଲା ମୁଖ୍ୟ ବିଚାରପତିଙ୍କୁ ଚିଠି ମଧ୍ୟ ଲେଖିଥିଲେ। ପିଲାମାନେ ତାଙ୍କ ଚିଠିରେ ଲେଖିଛନ୍ତି ଯେ,'ଯେତେବେଳେ ସେମାନେ ଗଳିରେ କ୍ରିକେଟ ଖେଳୁଥିଲେ, ତେବେ ଜାଗା କମ୍ ଥିବା କାରଣରୁ ତାଙ୍କ ଖେଳ ସହିତ ପଡ଼ୋଶୀଙ୍କ ଶାନ୍ତିରେ ମଧ୍ୟ ବାଧା ସୃଷ୍ଟି ହେଉଛି।
ତେବେ ଏହି ଭିଡିଓକୁ ଗୁରୁତର ସହିତ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କଡ଼ା ପ୍ରଶ୍ନ କରିଛନ୍ତି। ହାଇକୋର୍ଟ କହିଛନ୍ତି ଯେ, ଅନେକ ସ୍ଥାନରେ ପିଲାଙ୍କ ପାଇଁ ଖେଳ ପଡ଼ିଆ ନାହିଁ। ପିଲାମାନେ ଖେଳିବାରୁ ବଞ୍ଚିତ ହେଉଛନ୍ତି। ପିଲାଙ୍କ ଖେଳ ପାଇଁ ପଡ଼ିଆ କରିବାକୁ ନେଇ ସରକାର କି ନିୟମ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଉତ୍ତରାଖଣ୍ଡ ହାଇକୋର୍ଟ। ଏବଂ ଏହି ମାମଲାର ପରବର୍ତ୍ତି ଶୁଣାଣୀ ଆସନ୍ତା ୯ରେ ହେବ ବୋଲି କୁହାଯାଉଛି।