ସୁବର୍ଣ୍ଣପୁର, ୦୪/୦୮: ବେଆଇନ କେନ୍ଦୁପତ୍ର ଚାଲାଣ ବେଳେ ମାଡ଼ି ବସିଲା ବନବିଭାଗ । ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଜବତ । ଏହା ବାହାର ରାଜ୍ୟକୁ ଚାଲାଣ ହେଉଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ବେଆଇନ କେନ୍ଦୁପତ୍ର ଚାଲାଣ ହେଉଥିବା ନେଇ ପୂର୍ବରୁ ଖବର ପାଇଥିଲା ବନବିଭାଗ । ରେଢ଼ାଖୋଲରୁ କେନ୍ଦୁପତ୍ର ବିଡ଼ା ଅଣାଯାଇ ସୁବର୍ଣ୍ଣପୁର ଜିଲ୍ଲା ଦୂର୍ଜନତଇଲାର ଏକ ଘରେ ରଖାଯାଇଥିଲା । ଖବର ପାଇ ବନବିଭାଗ ସେହି ସ୍ଥାନରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ପ୍ରାୟ ୧ କୁଇଣ୍ଟାଲ ଓଜନର ୪ ଶହ ୫୨ ବିଡ଼ା କେନ୍ଦୁପତ୍ର ଜବତ ହୋଇଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଏହି କେନ୍ଦୁପତ୍ର ବାହାର ରାଜ୍ୟକୁ ଚାଲାଣ କରାଯିବା ପାଇଁ ଦୂର୍ଜନତଇଲାରେ ବେଆଇନ ଭାବେ ଗଚ୍ଛିତ ରଖୁଥିବା ବନବିଭାଗ କହିଛି ।