ନୂଆଦିଲ୍ଲୀ, ୨୮/୦୯: ଭେଟେରାନ ବିରାଟ କୋହଲିଙ୍କ ବ୍ୟାଟିଂ ଦେଖିବା ପାଇଁ ୧୫ ବର୍ଷର ବାଳକ କାର୍ତ୍ତିକେ ୫୮ କି.ମି ସାଇକେଲ ଯାତ୍ରା କରି ଚର୍ଚ୍ଚାକୁ ଆସିଛନ୍ତି । ସେ ଉତ୍ତର ପ୍ରଦେଶର ଉନ୍ନାଓରୁ ଶୁକ୍ରବାର ସାଇକେଲ ଚଳାଇ କାନପୁରରେ ପହଞ୍ଚିଥିଲେ । ୭ ଘଣ୍ଟାରେ ୫୮ କି.ମି ଯାତ୍ରା କରିଥିଲେ । ଭୋର ୪ଟାରୁ ସେ ଘରୁ ବାହାରିଥିଲେ, ପୂର୍ବାହ୍ନ ୧୧ଟା ବେଳକୁ କାର୍ତ୍ତିକେ ଷ୍ଟାଡିୟମ ନିକଟରେ ପହଞ୍ଚିଥିଲେ । ତାଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।
ଶୁକ୍ରବାର ଭାରତ-ବାଂଲାଦେଶ ଦ୍ୱିତୀୟ ଟେଷ୍ଟ କାନପୁରରେ ଆରମ୍ଭ ହୋଇଛି । ପ୍ରଥମ ଦିନରେ ବର୍ଷା ଯୋଗୁ ଅଧା ଦିନ ଖେଳ ସମ୍ଭବ ହୋଇ ନଥିଲା । ଭାରତ ଟସ୍ ଜିତିଥିଲେ ବି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ବାଂଲାଦେଶ ମାତ୍ର ୩୫ ଓଭର ବ୍ୟାଟିଂ କରି ୩ ୱିକେଟ୍ ହରାଇ ୧୦୩ ରନ୍ କରିଛି ।
କାର୍ତ୍ତିକେ ପିଲା ଦିନରୁ କ୍ରିକେଟ୍କୁ ଭଲ ପାଆନ୍ତି । ସାଙ୍ଗ ସାଥିଙ୍କ ସହ ଖେଳନ୍ତି । ବିରାଟ କୋହଲିଙ୍କର ସେ ବଡ଼ ପ୍ରଶଂସକ । ସ୍କୁଲ୍ ବ୍ୟାଗ୍ ଏବଂ ବହି ଭିତରେ ନିଜର ପ୍ରିୟ ଖେଳାଳିଙ୍କ ଫଟୋ ଲୁଚାଇ ରଖନ୍ତି । କୋହଲି ଖେଳୁଥିବା ପ୍ରତ୍ୟେକ ମ୍ୟାଚ୍ ସେ ଟେଲିଭିଜନରେ ଦେଖନ୍ତି। ଷ୍ଟାଡିୟମରେ ବସି ତାଙ୍କ ଖେଳ ଦେଖିବାର କେବେ ସୁଯୋଗ ପାଇ ନାହାନ୍ତି କାର୍ତ୍ତିକେ ।
କିନ୍ତୁ କାନପୁରରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବା ପୂର୍ବରୁ ମ୍ୟାଚ ଦେଖିବା ନେଇ ସେ ମନସ୍ତ କରିଥିଲେ । ପାଖରେ ଟଙ୍କା ନଥିଲା କିମ୍ବା ଅନ୍ୟ ସାଙ୍ଗସାଥି ବି ଏ ଦିଗରେ କେହି ସମର୍ଥନ କରି ନଥିଲେ । ପ୍ରତିଦିନ ଯେଉଁ ସାଇକେଲରେ କାର୍ତ୍ତିକେ ସ୍କୁଲ ଯାଆନ୍ତି, ଶେଷରେ ତାକୁ ହିଁ ନିଜ ପ୍ରିୟ ଖେଳାଳିଙ୍କ ଖେଳ ଦେଖିବା ନେଇ ସାଥି କରିଥିଲେ । ସାଇକେଲଟି ବି ପୁରୁଣା ହୋଇ ଗଲାଣି ।
ଶେଷରେ ଶୁକ୍ରବାର ଭୋର ୪ଟାରୁ କାର୍ତ୍ତିକେ ଉନ୍ନାଓରୁ ଯାତ୍ରା ଆରମ୍ଭ କରିଥିଲେ । ପହଞ୍ଚୁ ପହଞ୍ଚୁ କାଳେ ବିଳମ୍ବ ହୋଇଯିବ ସେଥିପାଇଁ ସେ କେଉଁଠି ବିଶ୍ରାମ ନେଇ ନଥିଲେ । ତାଙ୍କର କେବଳ ଗୋଟିଏ ଲକ୍ଷ୍ୟ ଥିଲା କୋହଲିଙ୍କ ଖେଳ ଦେଖିବା । ତେଣୁ କୋହଲିଙ୍କ ଛବି ତାଙ୍କ ଆଖିରେ ନାଚି ଯାଉଥିଲା । ତାଙ୍କ ଖେଳର ବହୁ ପୁରୁଣା କଥା ତାଙ୍କ ମନକୁ ଆନ୍ଦୋଳିତ କରୁଥାଏ । ବେଶ ଉତ୍ସାହିତ ହୋଇ ପଡ଼ୁଥିଲେ, ପେଡାଲ ଜୋରରେ ମାଡ଼ି ଚାଲିଥିଲେ । ଠିକ୍ ପୂର୍ବାହ୍ନ ୧୧ଟା ବେଳକୁ କାନପୁର ଷ୍ଟାଡିୟମ ନିକଟରେ ପହଞ୍ଚି ଯାଇଥିଲେ ସେ ।
ମାତ୍ର ଷ୍ଟାଡିୟମରେ ପହଞ୍ଚି ଜାଣିବାକୁ ପାଇଥିଲେ ଯେ ଭାରତ ପ୍ରଥମେ ବୋଲିଂ କରୁଛି । ତେଣୁ କୋହଲିଙ୍କ ଖେଳ ଦେଖିବାର ସୁଯୋଗ ପାଇ ନଥିଲେ । କିନ୍ତୁ ସେ କାନପୁରରେ ରହିବେ ନା ଘରକୁ ଫେରିଯିବେ ସେନେଇ କୌଣସି ବିଶେଷ ସୂଚନା ମିଳି ପାରି ନାହିଁ । କେବଳ ଭାରତରେ ନୁହେଁ, ବିଦେଶରେ ବି କୋହଲିଙ୍କର ଏମିତି ପ୍ରଶଂସକ ରହିଛନ୍ତି । ସାମ୍ପ୍ରତିକ କ୍ରିକେଟରେ ସେ ହେଉଛନ୍ତି ଚଳନ୍ତି କିମ୍ବଦନ୍ତୀ ।