ଚନ୍ଦନେଶ୍ୱର/କମର୍ଦ୍ଦା, ୧୪/୦୮ (ରାଧାକାନ୍ତ ପ୍ରଧାନ/ ରାଜକୁମାର ଜେନା): ସୁବର୍ଣ୍ଣରେଖା ନଦୀ ଉତ୍ତର ବାଲେଶ୍ୱରବାସୀଙ୍କ ଦୁଃଖ । ଝାଡ଼ଖଣ୍ଡରୁ ବାହାରି ଭୋଗରାଇର କୀର୍ତ୍ତନିଆରେ ବଙ୍ଗୋପସାଗର ସହିତ ମିଶିଥିବା ଏହି ନଦୀ ବହୁ ଲୋକଙ୍କ ଘରଦ୍ୱାର, ଜମିବାଡ଼ି ନିଜ ଗର୍ଭକୁ ନେଇ ଯାଇଛି । ଏହାର ଅଙ୍କାବଙ୍କା ଗତିପଥ ଚାଷ ଜମି ଉଜାଡ଼ି ଦେବା ସହ ଲୋକଙ୍କ ଦୁର୍ଦ୍ଦଶାକୁ ବହୁ ପରିମାଣରେ ବଢ଼ାଇ ଦେଇଛି । ଏହି ନଦୀ କାରଣରୁ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ଲୋକଙ୍କୁ ମୌଳିକ ଅଧିକାର ପାଇଁ ସଂଘର୍ଷ କରିବାକୁ ପଡୁଛି । ଭତ୍ତା ପାଇଁ ବୃଦ୍ଧବୃଦ୍ଧାଙ୍କୁ ବିପଦସଂକୁଳ ଭାବେ ନଦୀ ପାର ହୋଇ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ହେଉଛି । ଆଉ ବ୍ଲକ୍, ଥାନା, ଡାକ୍ତରଖାନା କଥା ନ କହିବା ଭଲ । ସକାଳୁ ଗଲେ ଫେରିବାକୁ ସଞ୍ଜ ହୁଏ । ପାନୀୟ ଜଳ, ରାସ୍ତାଘାଟ, ବିଜୁଳି ସବୁକିଛି ସ୍ୱପ୍ନ । କୌଣସି କାମରେ ବ୍ଲକ୍ କିମ୍ବା ଡାକ୍ତରଖାନା ଗଲେ କାର୍ଯ୍ୟ ହେଉ ଅଥବା ନ ହେଉ ସଞ୍ଜ ହେବା ପୂର୍ବରୁ ଘରକୁ ଫେରିବାକୁ ବାଧ୍ୟ ।
ଏଭଳି ଅଭିଶପ୍ତ ଜୀବନ ଜୀଉଁଛନ୍ତି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ କୁମ୍ଭୀରଗଡ଼ି ପଞ୍ଚୟତ କୁହ୍ଲା ଗାଁ ଏବଂ ବାଲିଆପାଳ ବ୍ଲକ୍ ବିଷ୍ଣୁପୁର ପଞ୍ଚାୟତ ଅଧୀନ ରାମନଗର ରସଲପୁର ଗାଁର ୩ଟି ୱାର୍ଡବାସୀ । ଗାଁର ବିକାଶ ସହ ଗ୍ରାମାଞ୍ଚଳ ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ଏବେ ବି କୁହ୍ଲା ଏବଂ ରାମନଗର ରସଲପୁରବାସୀଙ୍କ ପାଇଁ ବିକାଶ ସ୍ୱପ୍ନ ପାଲଟିଛି । ଖରସ୍ରୋତା ସୁବର୍ଣ୍ଣରେଖା ନଦୀର ବିପରୀତ ଦିଗରେ ରହି ଦୁର୍ଦ୍ଦଶା ଭୋଗୁଛନ୍ତି ଉଭୟ ଗାଁର ଲୋକେ । ଏକପ୍ରକାର ବିଚ୍ଛିନ୍ନାଞ୍ଚଳ ଭାବେ ରହିଛନ୍ତି ଏମାନେ । ତେଣୁ ନଦୀର ଯେଉଁ ଦିଗରେ ଗାଁ ଅଛି, ସେଇ ବ୍ଲକ୍ରେ ମିଶିବାକୁ ଉଭୟ ଗାଁ ଲୋକ ଦାବି କରିଛନ୍ତି । ଭୋଗରାଇର କୁମ୍ଭୀରଗଡ଼ି ପଞ୍ଚାୟତ କୁହ୍ଲା ଗାଁଟି ସୁବର୍ଣ୍ଣରେଖା ନଦୀର ବିପରୀତ ଦିଗ ବାଲିଆପାଳ ପଟେ ରହିଛି । ଏହି ଗାଁରେ ୧୦୪ ପରିବାର ବସବାସ କରୁଥିବା ବେଳେ ଲୋକସଂଖ୍ୟା ୪୩୫ । ଏଠାରେ ହରିଜନ, ସଂଖ୍ୟାଲଘୁ ଓ ସାଧାରଣ ବର୍ଗର ଲୋକ ବସବାସ କରନ୍ତି । ପ୍ରାୟ ୧୦୪ ପରିବାରକୁ ରାସନ କାର୍ଡ ମିଳିଥିବା ବେଳେ ନଦୀର ବିପରୀତ ଦିଗରେ ଥିବା କୁମ୍ଭୀରଗଡ଼ି ଓ ଖଳାବାଡ଼ିଆ ଗାଁରୁ ରାସନ ସାମଗ୍ରୀ ନିଅନ୍ତି । ରାସନ୍ ମିଳିବାଠୁ ଆଣିବା ଯନ୍ତ୍ରଣା ବଳିଯାଉଛି ।
ଅନ୍ୟପଟେ କୌଣସି ସମସ୍ୟା ହେଲେ ନଦୀ ପାର ହୋଇ ପ୍ରାୟ ୧୫ କିମି ଦୂର ଭୋଗରାଇ ଥାନାକୁ ଆସିବାକୁ ପଡ଼େ । ସ୍ୱାସ୍ଥ୍ୟ ସେବା, ବାର୍ଦ୍ଧକ୍ୟ ଭତ୍ତା ପାଇଁ ହେଉ ଅବା ଭୋଟ୍ ଦେବା ପାଇଁ ସେମାନଙ୍କୁ କୁମ୍ଭୀରଗଡ଼ି ପଞ୍ଚାୟତକୁ ଆସିବାକୁ ପଡ଼େ । ଗର୍ଭବତୀ ଓ ଛୋଟ ପିଲାଙ୍କ ବିଭିନ୍ନ ଟିକା ପାଇଁ ବିପଦସଙ୍କୁଳ ଭାବେ ଡଙ୍ଗାରେ ନଦୀ ପାର ହୋଇ ଖଳାବାଡ଼ିଆ ଏଏନ୍ଏମ୍ କେନ୍ଦ୍ରକୁ ନିଆଯାଏ । ଗାଁରେ ଏକ ଅଙ୍ଗନବାଡ଼ି କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟଟିଏ ରହିଛି । ପିଲାଙ୍କ ପାଇଁ ଛତୁଆ, ଅଣ୍ଡା, ଚାଉଳ ଆଦି ସାମଗ୍ରୀ ପାଇଁ ନାହିଁ ନ ଥିବା ସମସ୍ୟା । ହେଲେ ଉଚ୍ଚ ବିଦ୍ୟାଳୟ ଓ କଲେଜ ପାଇଁ ପିଲାଙ୍କୁ ବାଲିଆପାଳକୁ ଯିବାକୁ ପଡୁଛି । ଗାଁର ଅନେକ ହିତାଧିକାରୀ ଆବାସ ଯୋଜନା ପାଇଁ ଯୋଗ୍ୟ ଥିଲେ ବି ସେମାନଙ୍କୁ ଏଯାଏ ଘର ମିଳୁନି । ଜରୁରୀ ସ୍ଥିତିରେ ଆମ୍ବୁଲାନ୍ସ ଗାଁକୁ ଆସିପାରେ ନାହିଁ । ଆଉ ପାନୀୟ ଜଳ, ରାସ୍ତାଘାଟ, ସ୍ଥାୟୀ ବାସିନ୍ଦା, ଜାତିଗତ ପ୍ରମାଣପତ୍ର ପାଇଁ ନାହିଁ ନଥିବା ସମସ୍ୟା । ଏହି ସବୁ ସମସ୍ୟାକୁ ଦୃଷ୍ଟିରେ କୁହ୍ଲା ଗାଁକୁ ବାଲିଆପାଳ ବ୍ଲକ୍ ସହ ମିଶାଇ ଦେବାକୁ ଦାବି କରିଛନ୍ତି ଗାଁର ପ୍ରଭାତ ପିଳା, ବିଜୟ ପିଳା, ରାମଚନ୍ଦ୍ର ସାହୁ, ସୁଲେଖା ପିଳା, ବାସନ୍ତୀ ପିଳା, ଜୟନ୍ତ ପିଳା, ସୌମ୍ୟ ରଞ୍ଜନ ପିଳା ପ୍ରମୁଖ ।
ସେହିଭଳି ବାଲିଆପାଳ ବ୍ଲକ୍ ଅଧୀନ ବିଷ୍ଣୁପୁର ପଞ୍ଚାୟତର ୨୧ଟି ୱାର୍ଡ ମଧ୍ୟରୁ ରାମନଗର ରସଲପୁର ଗାଁର ୩ଟି ୱାର୍ଡ ନଦୀର ବିପରୀତ ଦିଗ ଭୋଗରାଇ ପଟେ ରହିଛି । ସମ୍ପୂର୍ଣ୍ଣ ନଦୀ କୂଳରେ ଥିବା ଏହି ଗାଁ ଲୋକଙ୍କ ସମସ୍ୟା ଦେଖିଲେ ଯେ କେହି ମର୍ମାହତ ହେବ । ଏହି ଗାଁର ପ୍ରାୟ ୧୯୫୦ ଲୋକ ସଂଖ୍ୟା ହୋଇଥିବା ବେଳେ ୧୧୬୦ ଭୋଟର୍ ରହିଛନ୍ତି । ଗାଁରେ ୮୦ ପ୍ରତିଶତ ହରିଜନ, ଆଦିବାସୀ ଲୋକ ବାସ କରନ୍ତି । ପ୍ରମାଣପତ୍ରରେ ବାଲିଆପାଳ ଥାନା ଲେଖା ଯାଉଥିଲେ ମଧ୍ୟ କାମ ପାଇଁ ୧୫ କିମି ଦୂର ଭୋଗରାଇ ବ୍ଲକ୍ କମର୍ଦ୍ଦା ଥାନା ଉପରେ ନିର୍ଭର କରନ୍ତି । ଗାଁରେ ୩ଟି ଅଙ୍ଗନବାଡ଼ି କେନ୍ଦ୍ର, ପ୍ରାଥମିକ ବିଦ୍ୟାଳୟ ରହିଥିବା ବେଳେ ହାଇସ୍କୁଲ୍ ଶିକ୍ଷା ପାଇଁ ପିଲା ଭୋଗରାଇର ବାରବାଟିଆ ଜନାର୍ଦ୍ଦନ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଯାଉଛନ୍ତି । ସେହିପରି ଭୋଗରାଇର ଖରିଦପିପଳ ସେବା ସମବାୟ ସମିତି ଉପରେ ଲୋକେ ନିର୍ଭରଶୀଳ । ତେବେ ଲୋକଙ୍କ ଯାତାୟାତ ସମସ୍ୟା ଦେଖି ଗାଁକୁ ଆସି ସରପଞ୍ଚ ରାସନ୍ ଚାଉଳ, ଭତ୍ତା ଆଦି ବିତରଣ କରିଥା’ନ୍ତି । ମାତ୍ର ସ୍ଥାୟୀ ବାସିନ୍ଦା, ଜାତିଗତ ପ୍ରମାଣପତ୍ର ପାଇଁ ହଇରାଣ ହୋଉଛନ୍ତି ଲୋକେ ।
ଏବେବି ରାସ୍ତା, ବିଜୁଳି, ପାନୀୟ ଜଳ ଆଦି ସ୍ୱପ୍ନ । ନଦୀ କୂଳେ କୂଳେ ଥିବା ରାସ୍ତାଟି ଧୋଇଯିବା ଫଳରେ ସମସ୍ୟା ବଢ଼ି ଯାଇଛି । ନଦୀ କଡ଼େ କଡ଼େ ଥିବା ଏକ ସଂକୀର୍ଣ୍ଣ ପଥର ବନ୍ଧ ଦେଇ ଯା'ଆସ କରୁଛନ୍ତି ଲୋକେ । ଏହି ରାସ୍ତାରେ ବାଇକ୍, ସାଇକେଲ ଯିବା ମଧ୍ୟ ଅସମ୍ଭବ । ଲକ୍ଷ୍ମୀ ବସ୍ ମଧ୍ୟ ସ୍ୱପ୍ନ ପାଲଟିଛି । ବସୁଧା ଯୋଜନାରେ ପାନୀୟ ଜଳ ମିଳୁନି କି ସ୍ୱାସ୍ଥ୍ୟ ସେବାର ବ୍ୟବସ୍ଥା ନାହିଁ । କହିବାକୁ ଗଲେ ସରକାରଙ୍କ ସମସ୍ତ ଯୋଜନା ଏମାନଙ୍କଠାରୁ ବହୁ ଦୂରରେ । ଏମାନଙ୍କ ପାଇଁ ଭୋଗରାଇ ବ୍ଲକ୍ ଅଦିକ ସୁବିଧା ହେଉଥିବାରୁ ଭୋଗରାଇ ସହିତ ମିଶି ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ସାଂସଦ, ପୂର୍ବତନ ଭୋଗରାଇ ବିଧାୟକ ଅନନ୍ତ ଦାସ, ପୂର୍ବତନ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କ ସମେତ ଉଭୟ ବ୍ଲକ୍ର ତହସିଲଦାର, ବିଡିଓଙ୍କୁ ବାରମ୍ବାର ଲିଖିତ ଜଣାଇ ଆସୁଥିଲେ ବି ସୁଫଳ ମିଳୁନାହିଁ । ସେମାନଙ୍କ ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିବେଦନ କରିଛନ୍ତି ଗାଁର ଦୋଳଗୋବିନ୍ଦ ବେହେରା, ସୁଧାକୃଷ୍ଣ ଦେ, ନଳିନୀ ବେହେରା, ଆନନ୍ଦ ବେହେରା, ଖଗେନ୍ଦ୍ର ବେହେରା, ସନ୍ନ୍ୟାସୀ ମାଝୀ, ସଦାନନ୍ଦ ବେହେରା, ଶମ୍ଭୁନାଥ ଜେନା ।
ଏନେଇ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ କହନ୍ତି, ଏହା ନିଶ୍ଚିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । କୁହ୍ଲା ଗାଁର ସମସ୍ୟା ସମ୍ପର୍କରେ ପୂର୍ବରୁ ଅବଗତ ଅଛନ୍ତି । ନଦୀର ଗତିପଥ ବଦଳିବା ଫଳରେ ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ମୌଳିକ ସମସ୍ୟାରୁ ବଞ୍ଚିତ ମଧ୍ୟ ହେଉଛନ୍ତି । ଆଗାମୀ ଦିନରେ ବିଧାନସଭାରେ ଏନେଇ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି । ବସ୍ତା ବିଧାୟିକା ସୁବାସିନୀ ଜେନା କହନ୍ତି, ରାମନଗର ରସଲପୁର ଗାଁ ଲୋକେ ଏକ ବିଚ୍ଛିନ୍ନାଞ୍ଚଳର ଅଧିବାସୀ ଭଳି ସେମାନେ ଜୀବନ ବିତାଉଛନ୍ତି । ସେମାନଙ୍କ ଦାବିକୁ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସମାଧାନ କରିବାକୁ ଗୁରୁତ୍ୱ ଦେବେ ବୋଲି କହିଛନ୍ତି । ଅନ୍ୟପଟେ ଏନେଇ ପୂର୍ବତନ ସରପଞ୍ଚ ରତନ ବାଗ କହିଛନ୍ତି, କୁହ୍ଲା ଗାଁର ଲୋକଙ୍କ ସମସ୍ୟା ବାସ୍ତବିକ ବହୁ କଷ୍ଟଦାୟକ । ସେମାନଙ୍କ ଦାବି ମୁତାବକ ତାଙ୍କୁ ବାଲିଆପାଳ ବ୍ଲକ୍ରେ ମିଶାଇଦେବା ଉଚିତ୍ ବୋଲି କହିଛନ୍ତି । ବିଷ୍ଣୁପୁର ସରପଞ୍ଚ ମହେଶ୍ୱର ଜେନା କହିଛନ୍ତି, ସରକାରଙ୍କ ପକ୍ଷରୁ ଯାହା ଯୋଜନା ଆସୁଛି ନଦୀ ଆରପଟକୁ ଯାଇ ଲୋକଙ୍କୁ ଯୋଗାଇ ଦିଆଯାଉଛି । ବହୁ ସମୟରେ ସେମାନଙ୍କୁ ନଦୀ ପାର ହୋଇ ଯା'ଆସରେ ସମସ୍ୟା ମଧ୍ୟ ଉପୁଜୁଛି । ତେବେ ସେମାନଙ୍କ ସୁବିଧା ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି ।