ପ୍ରମୂଖ ଖବର
  • ଭୋଗରାଇ : ସ୍କୁଲରେ ଭିଜିଲାନ୍ସ ଚଢ଼ାଉ, ମୋ ସ୍କୁଲ ଯୋଜନାରେ ୬୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ରେଡ୍‌
  • ||
  • ଅକ୍ଷୟ ତୃତୀୟ ସିଏମ୍ କିଷାନ ଟଙ୍କା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ
  • ||
  • ଅକ୍ଟୋବରରେ ୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଟକ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା, କେବଳ ପରିବେଶ ଅନୁକୂଳ ବାଣ ପାଇଁ ପ୍ରସ୍ତାବ
  • ||
  • ରାଜଧାନୀରେ ପୁଣି ଅମାନିଆଙ୍କ ଉତ୍ପାତ, ରସୁଲଗଡ ଓଭର ବ୍ରିଜ ଉପରେ ପାୱାର ଶୋ' କରି ରାସ୍ତା ଅବରୋଧ
  • ||
  • ଡିସେମ୍ୱର ୨୬ରୁ ଯୁକ୍ତ ଦୁଇ ପରୀକ୍ଷା, ଫେବୃୟାରୀ ୧୫ରୁ ମେନ୍‌ ଏକ୍ସଜାମ୍: ୪୫ ଦିନ ଭିତରେ ବାହାରିବ ରେଜଲ୍ଟ
  • ||
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

୨୦୧୨ର ବିଷାକ୍ତ କଫ୍‌ ସିରପ୍‌ ମୃତ୍ୟୁ ବିଭୀଷିକା: ଲିଭିଥିଲା ୫୦ ଜଣଙ୍କ ଜୀବନଦୀପ,୧୧ ବର୍ଷ ହେବ କ୍ଷତିପୂରଣକୁ ଚାହିଁ ବସିଛନ୍ତି ମୃତକଙ୍କ ପରିବାର

କଟକ/ଫୁଲନଖରା,(ଗୋପାଳକୃଷ୍ଣ ସ୍ୱାଇଁ ଓ ଅଜୟ କୁମାର ଦାଶ): ୨୦୧୨ ଫେବ୍ରୁଆରୀ ୭ ତାରିଖ ।  ହଠାତ୍‌ ଖବର ପ୍ରଚାରିତ ହେଲା, ଚୋରା ମଦ ବେପାରୀ ବାଇଧର ଭୋଇଙ୍କର ହୃଦ୍‌ଘାତରେ ମୃତ୍ୟୁ  ଘଟିଛି । ବାଇଧରଙ୍କ ଶବ ସତ୍କାର ପାଇଁ ଗାଁର ଅନ୍ୟ  ଲୋକଙ୍କ ଭଳି ଟୁକୁଲିପଡ଼ାର ଛବିନ୍ଦ୍ର ଓରଫ ଜଗନ୍ନାଥ ଭୋଇ ମଧ୍ୟ ଘରୁ ବାହାରିଗଲେ । ଗଲାବେଳେ  ବାଇଧରଙ୍କ ଘରୁ ହାତରେ କେଇ ବୋତଲ କଫ୍‌ ସିରପ୍‌ (ପାନୀୟ ଔଷଧ) ନେଇଯାଇଥିଲେ ।  

ଶ୍ମଶାନରେ ଅନ୍ୟମାନଙ୍କ ସହ ଉକ୍ତ ଔଷଧକୁ  ପିଇ ଘରକୁ ଫେରିଲା ବେଳକୁ ଆଖିକୁ କିଛି ଦିଶିଲାନି । ଯନ୍ତ୍ରଣାରେ ଛଟପଟ ଛବିନ୍ଦ୍ରଙ୍କୁ ତୁରନ୍ତ ଏସ୍‌ସିବିରେ ଭର୍ତ୍ତି କରାଗଲା । ରାତି ସାଢ଼େ  ୮ଟା ବେଳକୁ ଛବିତ୍ର ଆଖି ବୁଜିଦେଲେ ।  ଛବିନ୍ଦ୍ରଙ୍କ ମୃତ୍ୟୁ ପରେ ପରେ  ସତେଯେମତି ଟୁକୁଲିପଡ଼ା ନିକଟସ୍ଥ  ଅଞ୍ଚଳରେ ମୃତ୍ୟୁର ବିଭୀଷିକା ଛାଇଗଲା । ଯଦିଓ  ବାଇଧରଙ୍କ ମୃତ୍ୟୁ ପୂର୍ବରୁ ଆଖପାଖ କିଛି ଗାଁରେ  ହାତଗଣତି ଲୋକଙ୍କର ସନ୍ଦେହଜନକ ଢଙ୍ଗରେ  ଆକସ୍ମିକ ମୃତ୍ୟୁ ହୋଇଥିଲା । ମାତ୍ର ତାହା ବିଷାକ୍ତ  ତଥା ଅପମିଶ୍ରିତ ଔଷଧ ବା କଫ୍‌ ସିରପ୍‌ ସେବନ ପାଇଁ  ବୋଲି ଜଣା ପଡ଼ିନଥିଲା । ତେବେ ଖୋଦ୍‌ ବାଇଧରଙ୍କ  ମୃତ୍ୟୁର ଦୁଇ-ତିନି ଦିନ ମଧ୍ୟରେ ଅଞ୍ଚଳରୁ ପ୍ରାୟ  ୫୦ ଜଣଙ୍କ ଜୀବନଦୀପ ଲିଭିଗଲା । କାରଣ  ସମାନ । ବିଷାକ୍ତ କଫ୍‌ ସିରପ୍‌ । ମଦର  ଶସ୍ତା ବିକଳ୍ପ ଭାବେ ନିଶା ସେବନ ପାଇଁ  ଯେଉଁମାନେ ବାଇଧରଙ୍କଠାରୁ ସେହି  ବିଷାକ୍ତ ପାନୀୟ ଔଷଧ ବୋତଲ  କିଣିଥିଲେ, ସମସ୍ତେ ଊଣା ଅଧିକେ  ପ୍ରଭାବିତ ହେଲେ । ଶତାଧିକ  ଲୋକ କଟକ-ଭୁବନେଶ୍ୱରର  ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି  ହେଲେ । କେତେ ଜଣ ସମ୍ପୂର୍ଣ୍ଣ  ସୁସ୍ଥ ହୋଇ ଫେରିଲେ ତ, ଆଉ  କେହି ପଙ୍ଗୁ ହୋଇଗଲେ ।  

ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ୫୦  ଜଣ ନିରୀହଙ୍କ ଜୀବନ ନେବାର ସୂତ୍ରଧର  ବାଇଧର ମଧ୍ୟ ସେଇ ବିଷାକ୍ତ କଫ୍‌  ସିରପ୍‌ ବା ଔଷଧ ପିଇ ମୃତ୍ୟୁ ବରଣ  କରିଥିବା ପରେ ଜଣାପଡ଼ିଲା ।  ସେ ଅଘଟଣକୁ ଇତିମଧ୍ୟରେ  ୧୨ ବର୍ଷରୁ ଅଧିକ ସମୟ  ବିତିଲାଣି । ଚୋରା ମଦ  ତଥା ନିଶା ଔଷଧ ବା  ବିଷ ଔଷଧ ଜନିତ ମୃତ୍ୟୁର  ସେହି କଳାଦାଗଟି ଟୁକୁଲିପଡ଼ାର  କପାଳରୁ ଏଯାଏ ବି ଲିଭିନି । ହଁ  ଏହା ସତ ଯେ ସମୟ ବିତିବା ସହ  ସେ ଅଘଟଣକୁ କିଛି ଲୋକ ଭୁଲିଯାଇ ସେ  ଅଞ୍ଚଳରେ ପୁଣି ଚୋରା ନିଶା କାରବାର ଆରମ୍ଭ  କରିଦେଲେଣି । ଯାହାକୁ ଦେଖି ଟୁକୁଲିପଡ଼ା ଏବେ  ବି ହୁଏତ ଗୁମୁରି କାନ୍ଦୁଛି ।  କଟକ ସଦର ଥାନା ତଥା ବାରଙ୍ଗ ବ୍ଲକ ଅନ୍ତର୍ଗତ  କୁରାଙ୍ଗ ଶାସନ ପଞ୍ଚାୟତର ବିଲଗହୀର ମଝିରେ ଥିବା  ଛୋଟିଆ ପଡ଼ା ଗାଁ ‘ଟୁକୁଲିପଡ଼ା’ । ଗାଁର ବାଇଧର ଭୋଇ  ଦୀର୍ଘ ବର୍ଷ ଧରି ଚୋରା ଦେଶୀ ରନ୍ଧା ମଦ ବେପାର  କରୁଥିଲେ।

୨୦୧୨ ଜାନୁଆରୀ-ଫେବ୍ରୁଆରୀ ମାସରେ  ପଞ୍ଚାୟତ ନିର୍ବାଚନ ଚାଲିଥାଏ । ଚାରିଆଡେ ପୁଲିସ ଓ  ଅବକାରୀ ବିଭାଗର ଚଢ଼ଉ । ମଦ ମିଳୁନଥିବାରୁ ବାଇଧର  ବିକଳ୍ପ ନିଶା ଭାବେ କିଛି ପେଟି ନିଶା ଔଷଧ କଫ୍‌ ସିରପ୍‌  ଯୋଗାଡ଼ କରିଥିଲା । ସେ ସମୟରେ କିଛି ନିଷିଦ୍ଧ ହୋଇଥିବା  କଫ୍‌ ସିରପ୍‌କୁ ଲୋକେ ନିଶାର ବିକଳ୍ପ ଭାବେ ପିଉଥିଲେ । ତେଣୁ  ବାଇଧର ଶସ୍ତାରେ ‘ଇପିକାର୍ମ’ ‘ସିନାମନ୍‌’ ଓ ‘ଟିଙ୍କଚର’ ଭଳି  ଔଷଧ ଆଣି ତାର ପୁରୁଣା ଗରାଖଙ୍କୁ ଦେବାରୁ ଖୁବ୍‌ କମ୍‌ ଦିନ  ଭିତରେ ତାହା ନିଶାଡ଼ିଙ୍କ ମଧ୍ୟରେ ଲୋକପ୍ରିୟ ହୋଇଗଲା ।  କମ୍‌ ପଇସା, ପାଟିରୁ ଗନ୍ଧ ନାହିଁ³ ନିଶା ପୁଣି  ଜବରଦସ୍ତ । ବାଇଧର  ଏହି ଔଷଧକୁ ତାର ଗରାଖଙ୍କୁ ବିକୁଥାଏ । ସମ୍ଭବତଃ ଫେବ୍ରୁଆରୀ  ୬ ତାରିଖ ଦିନ ବାଇଧର ନୂଆ ମାଲ୍‌ ଆଣି ବିକିବା ଆରମ୍ଭ  କରିଥିଲା । ୭ ତାରିଖ ଦିନ ସେ ନିଜେ ଏହାକୁ ପିଇବା ପରେ  ମୃତ୍ୟୁବରଣ କରିଥିଲା । ମାତ୍ର ନିଶା ଔଷଧରେ  ବାଇଧର ମରିଛି ବୋଲି କେହି ଜାଣିନଥିଲେ । ଯେଉଁମାନେ ବାଇଧରଠାରୁ ୬ ତାରିଖ  ସନ୍ଧ୍ୟା ଓ ୭ ତାରିଖ ସକାଳେ ଆସି  ଔଷଧ ବୋତଲ ନେଇଯାଇଥିଲେ  ସେମାନେ ଧିରେ ଧିରେ ପିଇବା  ପରେ ଆକ୍ରାନ୍ତଙ୍କ ସଂଖ୍ୟା  ବଢ଼ିବାରେ  ଲାଗିଲା । ୭  ତାରିଖ ସନ୍ଧ୍ୟା  ସୁଦ୍ଧା ଟୁକୁଲିପଡ଼ା  ନିକଟସ୍ଥ ଓ ଆଖପାଖ  ଅଞ୍ଚଳରେ ଏକପ୍ରକାର  କୋକୁଆ ଭୟ ଖେଳିଗଲା ।  

କଟକ ସଦର ଥାନା ଅନ୍ତର୍ଗତ କୋଠପାଟଣା, ବଡ଼ଝରିଲୋ,  ଗଙ୍ଗେଶ୍ୱରଗଡ଼, ବ୍ରାହ୍ମଣଝରିଲୋ, ଗୋପାଳନଗର, କ୍ୱାଇଁଲୋ  ଭଳି ଅଞ୍ଚଳ ସହିତ ବାଲିଅନ୍ତା ଥାନାର ଏକାଧିକ ଗାଁରୁ ସମାନ  ଲକ୍ଷଣ ଥିବା ବିଷାକ୍ତ ଔଷଧ ଜନିତ ମୃତ୍ୟୁର ଖବର ଆସିଲା ।  କେଉଁ ଗାଁରେ ଜଣେ ତ’ ଆଉ କେଉଁଠି ଏକାଧିକ ଲୋକ ବିଷ  ଔଷଧ ପିଇ ପ୍ରଭାବିତ ହୋଇ ମେଡ଼ିକାଲ୍‌ ଧାଇଁଲେ । ଟୁକୁଲିପଡ଼ା  ଗାଁଠାରୁ ପ୍ରାୟ ୧ କିଲୋମିଟର ଦୂରରେ ଅର୍ଥାତ୍‌ ବାଲିଅନ୍ତା ଥାନା  ଅନ୍ତର୍ଗତ ଏକ ଇଟା ଭାଟିରେ ଯେମିତି ଶବର ପଟାଳି ପଡ଼ିଗଲା ।  ବ୍ରହ୍ମପୁର ଓ ବଲାଙ୍ଗିର ଅଞ୍ଚଳରୁ ଆସି କାମ କରୁଥିବା ପ୍ରାୟ  ୨୩ ଜଣ ଶ୍ରମିକ ସେଠାରେ ମୃତ୍ୟୁ ମୁଖରେ  ପଡ଼ିଥିଲେ । 

ଏ ଅଘଟଣ ପରେ ପୁଲିସ ଓ ପ୍ରଶାସନ ଟୁକୁଲିପଡ଼ାରେ ପହଞ୍ଚି ତନାଘନା କଲେ ।  ମାମଲାର ଗୁରୁତ୍ୱକୁ ଦେଖି ତୁରନ୍ତ ବିଚାର ବିଭାଗୀୟ ତଦନ୍ତ  କମିସନ ବସିଲା । ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି  ଜଷ୍ଟିସ୍‌ ଏ.ଏସ୍‌. ନାଇଡୁ ତଦନ୍ତ ଆରମ୍ଭ କଲେ । ଦୀର୍ଘ ୧୩ ମାସ ପରେ ଅର୍ଥାତ୍‌ ୨୦୧୩ ଏପ୍ରିଲ୍‌ ୬ରେ ରିପୋର୍ଟ ପ୍ରଦାନ କଲେ ।  ସଦର ଥାନା ଅଞ୍ଚଳରେ ୧୩, ବାଲିପାଟଣା ଥାନା ଅଞ୍ଚଳର ୧୪  ଓ ଅନ୍ୟ ଜିଲ୍ଲାରୁ ଆସି ଇଟାଭାଟିରେ କାମ କରୁଥିବା ୨୩ ଜଣଙ୍କ  ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଗଲା । ଏଥିରେ ମୋଟ୍‌  ୧୧୦ ଜଣ ଆକ୍ରାନ୍ତ ମଧ୍ୟ ହୋଇଥିଲେ । ତେବେ ମଦ ବ୍ୟବସାୟୀ  ବାଇଧରକୁ ଛାଡ଼ି ମରିଥିବା ଅନ୍ୟ ସମସ୍ତଙ୍କୁ ଦେଢ଼ ଲକ୍ଷ ଟଙ୍କା  କରି କ୍ଷତିପୂରଣ ଦେବାକୁ କମିସନ ସୁପାରିସ କରିଥିଲେ ।  ମାତ୍ର ବିଡ଼ମ୍ବନା, ୧୧ ବର୍ଷ ହେବ ମୃତକଙ୍କ ପରିବାର  ସଦସ୍ୟ କ୍ଷତିପୂରଣ ରାଶି ପାଇବା ପାଇଁ ଚାହିଁ ବସିଛନ୍ତି ।  

ମଦ ମାଫିଆ ବାଇଧର ଘରଠୁ ମାତ୍ର ହାତ କେଇଟା ଦୂରରେ  ରହୁଥିବା ମୃତ ଜଗନ୍ନାଥ ଭୋଇଙ୍କ ପତ୍ନୀ ପ୍ରତିମା ଭୋଇଙ୍କ  କହିବାନୁସାରେ, ସ୍ୱାମୀ ଛାଡ଼ି ଗଲା ବେଳେ  ପୁଅକୁ ୧୦ ବର୍ଷ ଓ ଝିଅ ୭ ବର୍ଷର  ହୋଇଥିଲେ । ବିନା ସରକାରୀ ସହାୟତାରେ ଗଲା ୧୨ ବର୍ଷ  ହେବ ଦୁଇ ପିଲାଙ୍କୁ ପାଳିପୋଷି  ବଢ଼ାଇବାର ଦୁଃଖ ଭଗବାନ  ହିଁ ଜାଣନ୍ତି । ସରକାର ଆମ ଗରିବ ସହିତ  ଖେଳିଛନ୍ତି । ଏବେ ନୂଆ ସରକାରଙ୍କୁ ଗୁହାରି କରୁଛୁ, ଆମକୁ  କ୍ଷତିପୂରଣ ଦିଅନ୍ତୁ । ସେହିପରି  ବିଷାକ୍ତ ନିଶା ଔଷଧରେ ଜୀବନ  ହରାଇଥିବା ନିକଟସ୍ଥ କ୍ୱାଇଁଲୋ ଗାଁର  ଦେବ ସେନାପତିଙ୍କ ପତ୍ନୀ ପ୍ରଭାତୀଙ୍କ  ଆଖିରୁ ଏବେ ବି ଲୁହ ଶୁଖିନି ।  ସରକାର କୋଟି କୋଟି ଟଙ୍କା  ଖର୍ଚ୍ଚ କରୁଛନ୍ତି । ଦିନ ମଜୁରିଆ ପରିବାରକୁ ହାତ ଗଣତି  କିଛି ଟଙ୍କା ଦେବାକୁ ୧୨  ବର୍ଷ ସମୟ ନେଲେଣି ।  ଟଙ୍କା ଦେବେ କି ନାହିଁ  ତାହା ବି ସ୍ପଷ୍ଟ ନୁହେଁ ।  ଭଗବାନ ଏଭଳି ଦୁଃଖ  ଆଉ କାହାକୁ ଦିଅନ୍ତୁ ନାହିଁ  ବୋଲି ପ୍ରଭାତୀ କହିଛନ୍ତି ।  

ପୂରା ଘଟଣାକୁ ଅଙ୍ଗେ  ନିଭେଇଥିବା କୁରାଙ୍ଗଶାସନ  ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ  କୈଳାସ ଚନ୍ଦ୍ର ସାହୁ ମଧ୍ୟ ପ୍ରଶାସନର ଦୋମୁହାଁ ନୀତିକୁ  କଟୁ ସମାଲୋଚନା କରିଛନ୍ତି । ବାରମ୍ବାର କମିସନଙ୍କ ପାଖକୁ  ଦୌଡ଼ି ଦୌଡ଼ି ନୟାନ୍ତ ହେବା ସହ ଅବକାରୀ ମନ୍ତ୍ରୀଙ୍କଠାରୁ  ଆରମ୍ଭ କରି ସଚିବଙ୍କୁ ଜଣାଇବା ପରେ ବି କେତୋଟି ଗରିବ ପରିବାରକୁ ସରକାର କ୍ଷତିପୂରଣ ନଦେବା ଦୁର୍ଭାଗ୍ୟଜନକ  ବୋଲି ଶ୍ରୀ ସାହୁ କହିଛନ୍ତି । ଏବେ ସରକାର ଜଷ୍ଟିସ୍‌ ନାଇଡୁ  କମିସନଙ୍କ ରିପୋର୍ଟକୁ କାର୍ଯ୍ୟକାରୀ କରିବା ସହିତ କ୍ଷତିପୂରଣ  ରାଶି ପ୍ରଦାନ କରନ୍ତୁ ବୋଲି ସେ ଦାବି କରିଛନ୍ତି । ଅନ୍ୟପଟେ  କୁରାଙ୍ଗଶାସନ ପଞ୍ଚାୟତରେ ପୁଣି ଆରମ୍ଭ ହୋଇଥିବା ଚୋରା  ନିଶା ବେପାରକୁ ତୁରନ୍ତ ବନ୍ଦ କରାଯିବା ପାଇଁ ସ୍ଥାନୀୟ ଲୋକେ  ଦାବି କଲେଣି । ଅଞ୍ଚଳରେ ପୁଣି ନିଶା କାରବାର ମୁଣ୍ଡ ଟେକୁଥିବା  ବେଳେ ପୁଲିସ ଓ ଅବକାରୀ ବିଭାଗ ଚୁପ୍‌ ରହୁଥିବାରୁ ପୁଣି  ଯେ ବିଭୀଷିକାର ପୁନରାବୃତ୍ତି ନହେବ ତାହା କହିବା ମୁସ୍କିଲ୍‌  ବୋଲି ଅନେକ ମତ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.