ଭୁବନେଶ୍ୱର,୧୪/୧୧: ‘ଘରେ ଘରେ ଶଙ୍ଖ । ବିକାଶ ଚିହ୍ନ ଶଙ୍ଖ । ପ୍ରଗତିର ଚିହ୍ନ ଶଙ୍ଖ । ବିଜେଡି... ବିଜେଡି... ।’ ଏପଟେ ପଦ୍ମ ଫୁଲର ଚିହ୍ନ ସହ ପୁଣି ‘ଆଉ ଥରେ ଅପରାଜିତା... ।’
ନିର୍ବାଚନ ପୂର୍ବରୁ କାନ୍ଥରେ ଲାଗିଲା ରାଜନୀତିର ରଙ୍ଗ । ପୋଷ୍ଟର୍, ବ୍ୟାନର ଲଢ଼େଇ ଆରମ୍ଭ ହେବା ପୂର୍ବରୁ ଚାଲିଲାଣି ୱାଲ୍ ପେଣ୍ଟିଂ । ଏବେ ଭୁବନେଶ୍ୱରର ଗଳି କନ୍ଦିରେ ଯୁଆଡ଼େ ଦେଖିବେ ସେଠି ଶଙ୍ଖ ଆଉ ପଦ୍ମ ଚିହ୍ନ । ବିଜୁ ଜନତା ଦଳ ନିଜର ଦଳୀୟ ଚିହ୍ନ ସହ ନିର୍ବାଚନକୁ ଆଖିରେ ରଖି ବିଭିନ୍ନ ସ୍ଲୋଗାନକୁ ଲେଖି ଚାଲିଛି । ଏହାକୁ ବାର୍ତ୍ତା କରି ସେ ଲୋକଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରିଛି । ଅନ୍ୟପକ୍ଷରେ ବିଜେପି ଭୁବନେଶ୍ୱର ଲୋକସଭା ସାସଂଦ ଅପରାଜିତା ଷଡ଼ଙ୍ଗୀ ପୁଣି ଥରେ ସଂସଦୀୟ କ୍ଷେତ୍ରରୁ ଲଢ଼ିବା ନେଇ ସ୍ଥିର କରି ପ୍ରଚାର ଆରମ୍ଭ କରିଛନ୍ତି । ସେ ବି କାନ୍ଥାବାଡ଼ରେ ଲେଖିବା ଆରମ୍ଭ କରିଛନ୍ତି ‘ଆଉ ଥରେ ଅପରାଜିତା’ । ବିଜେଡି ତା’ର ଦଳୀୟ ରଙ୍ଗ ସବୁଜକୁ ବ୍ୟବହାର କରି ୱାଲ୍୍ ପେଣ୍ଟିଂରେ ଶଙ୍ଖ ଚିହ୍ନ ସହ ବିଭିନ୍ନ ସ୍ଲୋଗାନ୍ ଲେଖୁଥିବାବେଳେ ଅପରାଜିତା କୃଷ୍ଣନୀଳ ରଙ୍ଗରେ ନିଜ ଲେଖା ଲେଖୁଛନ୍ତି । ଏପରିକି ବିଭିନ୍ନ ପ୍ରଚାର ଓ ସଭା ସମିତି ସମୟରେ ଯେଉଁ ସ୍ଥାନକୁ ଯାଉଛନ୍ତି ସେଠି ନିଜେ ଲୋକଙ୍କ କାନ୍ଥରେ ପଦ୍ମ ଫୁଲ ଚିହ୍ନ ଆଙ୍କି ଏହାକୁ ମନେ ରଖିବାକୁ ବାର୍ତ୍ତା ଦେଉଛନ୍ତି ।
ଶିଳ୍ପୀ ବାପୁ ଓଝା କହିଛନ୍ତି, ଏହି ୱାଲ୍ ପେଣ୍ଟିଂ ଫଳରେ କିଛି ଚିତ୍ରଶିଳ୍ପୀ କାମ ପାଇଛନ୍ତି । ସେମାନେ ପୂରା ସହର ଏବଂ ଉପକଣ୍ଠ, ପଞ୍ଚାୟତ ବୁଲି ସବୁଠି ୱାଲ୍ ପେଣ୍ଟିଂ କରୁଛନ୍ତି । ଏହାଦ୍ୱାରା ଦୀର୍ଘଦିନ ହେବ କାମ ନପାଇ ଘରେ ବସିଥିବା ଶିଳ୍ପୀମାନେ ଖୁସି ବ୍ୟକ୍ତ କରିଛନ୍ତି । ଆଗକୁ ଆହୁରି କାମ ଅଛି ବୋଲି ଆଉ ଜଣେ ଶିଳ୍ପୀ କହିଛନ୍ତି ।
ୱାଲ୍ ପେଣ୍ଟିଂ କରିବାରେ ସବୁଠୁ ଆଗରେ ରହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେ ବହୁ ଆଗରୁ ସହର ଓ ସହର ବାହାର ବିଭିନ୍ନ ସ୍ଥାନରେ ୱାଲ୍ ପେଣ୍ଟିଂ କରିସାରିଥିବାବେଳେ ଏବେ ବିଜେଡି ପକ୍ଷରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଗୋଟିଏ ଗୋଟିଏ ସ୍ଥାନରେ ଯେଉଁଠି ବିଜେଡିର ଚିତ୍ର ହୋଇଛି ତା’ ପାଖରେ ‘ଆଉ ଥରେ ଅପରାଜିତା’ ଲେଖା ହୋଇଛି । ଆହୁରି ସମୟ ଥିଲେ ବି ଏବେଠୁ ୱାଲ୍ ପେଣ୍ଟିଂରୁ ଲଢ଼େଇ ଆରମ୍ଭ ନେଇ ଜଳ ଜଳ ଦିଶୁଛି ।