ପାରାଦୀପ, ୨।୧୨: ପାରାଦୀପ ବନ୍ଦରରେ ବିଦେଶୀ ଜାହାଜରୁ ୨୨୦ କୋଟି ଟଙ୍କାର କୋକେନ୍ ଜବତ ଘଟଣା। ପାରାଦୀପରେ ପହଞ୍ଚିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଟିମ୍ । ଏନସିବି ସହକାରୀ ନିର୍ଦ୍ଦେଶକ କୁଲଦୀପ ଶର୍ମାଙ୍କ ନିର୍ଦ୍ଦେଶରେ ଟିମ୍ ଛାନଭିନ୍ ଚଳାଇଛି। ଅପର ପକ୍ଷରେ ଆଜିବି ଜାହାଜରେ କଷ୍ଟମ, ଏସଟିଏଫ୍ ଓ ଡଗ୍ ସ୍କ୍ଵାଡ୍ ଛାନଭିନ୍ କରୁଛନ୍ତି। ୨୧ କ୍ରିଉ ମେମ୍ଵରଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି। ଜାହାଜ ଲାଗିଥିବା PICTବର୍ଥରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ସୂଚନାନୁଯାୟୀ, ପାନାମା ଦେଶରେ ପଞ୍ଜିକୃତ ହୋଇଥିବା ତଥା ଏସିଆ ପାସିଫିକ୍ ସିପିଙ୍ଗ କମ୍ପାନୀ ଲିମିଟେଡ୍ ଦ୍ୱାରା ପରିଚାଳିତ ଦେବୀ ପନୋରମା (ଆଇଏମ୍ଓ -୯୬୧୮୭୩୫) ନାମକ ଜାହାଜ କିଛି ଦିନ ତଳେ ଇଜିପ୍ଟରୁ ଯାତ୍ରା ଆରମ୍ଭ କରିଥିଲା । ପରେ ଜାହାଜଟି ଇଣ୍ଡୋନେସିଆର ଗ୍ରେସିକ ବନ୍ଦରରୁ ବାହାରି ଗତ ୨୨ ତାରିଖରେ ପାରାଦୀପରେ ପହଞ୍ଚିଥିଲା । ଲୁହା ପ୍ଲେଟ୍ ବୋଝେଇ ପାଇଁ ଗତକାଲି ଜାହାଜଟି ପାରାଦୀପ ବନ୍ଦରରେ ଥିବା ପିଆଇସିଟି (ପାରାଦୀପ ଇଣ୍ଟର୍ନାସନାଲ୍ କାର୍ଗୋ ଟର୍ମିନାଲ୍ ପ୍ରାଇଭେଟ୍ ଲିମିଟେଡ୍) ବର୍ଥରେ ଲାଗିଥିଲା । ଗତକାଲି ରାତିରେ ଜାହାଜର କ୍ରେନ୍ ଅପରେଟର୍ କଳା ରଙ୍ଗର କିଛି ପ୍ୟାକେଟ୍ ଚୁମ୍ବକ ଦ୍ୱାରା କ୍ରେନ୍ରେ ଲାଗିଥିବା ଦେଖି ଚିଫ୍ ଅଫିସର୍ଙ୍କୁ ଜଣାଇଥିଲେ । ଏ ସମ୍ପର୍କରେ ଜାହାଜର କ୍ୟାପଟେନ୍ ଅବଗତ ହେବା ପରେ ତାହା ବିସ୍ଫୋରକ ହୋଇଥାଇପାରେ ବୋଲି ସନ୍ଦେହ କରାଯାଇ ସିଆଇଏସ୍ଏଫ୍ର ସନ୍ଧାନୀ କୁକୁର ଆଣି ତଲାସୀ ନିଆଯାଇଥିଲା । ହେଲେ ଡଗ୍ ସ୍କ୍ୱାଡ୍ ଏହାକୁ ଚିହ୍ନଟ କରିବାରେ ବିଫଳ ହେବା ପରେ ଏସ୍ଟିଏଫ୍ର ଡଗ୍ ସ୍କ୍ୱାଡ୍କୁ ଡକାଯାଇଥିଲା । ସ୍କ୍ୱାଡ୍ରେ ଥିବା ସନ୍ଧାନୀ କୁକୁର ନିକଟରେ ରାଜସ୍ଥାନରୁ ଓଡ଼ିଶାକୁ ଅଣାଯାଇଥିବା ସୂଚନା ମିଳିଛି । ଏସ୍ଟିଏଫ୍ ଡଗ୍ ସ୍କ୍ୱାଡ୍ ଦ୍ୱାରା ତାହା ବିସ୍ଫୋରକ ନୁହେଁ ବୋଲି ଜଣାପଡ଼ିଥିଲା ।
ମାତ୍ର ପ୍ୟାକେଟ୍ ଖୋଲିବା ପରେ ସେଥିରେ ଧଳା ରଙ୍ଗର ସନ୍ଦେହଜନକ ପଦାର୍ଥ ରହିଥିବା ଦେଖିବାକୁ ମିଳିଥିଲା । ରାତିରେ ୯ଟି ପ୍ୟାକେଟ୍କୁ କଷ୍ଟମ୍ସ୍ ବିଭାଗ ଜବତ କରିବାକୁ ସକ୍ଷମ ହୋଇଥିବା ବେଳେ ଆଜି ଦିନ ବେଳେ ପୁଣି ଖାନ୍ତଲାସ କରି ଆହୁରି ୧୩ ପ୍ୟାକେଟ୍ ଜବତ କରାଯାଇଥିଲା । ଏଥିରେ ମୋଟ ୨୨ କିଲୋ କୋକେନ୍ ଥିଲା । ପାରାଦୀପରେ କାର୍ଯ୍ୟରତ କଷ୍ଟମ୍ସ୍ ଅଫିସର୍ମାନେ କୋକେନ୍ ଭଳି ନିଶା ଦ୍ରବ୍ୟ ଏତେ ପରିମାଣରେ ଆଗରୁ କେବେ ଦେଖି ନ ଥିବା ବେଳେ ସେମାନଙ୍କ ହୋସ୍ ଉଡ଼ି ଯାଇଥିଲା । ତୁରନ୍ତ ଦିଲ୍ଲୀରୁ ଏନ୍ସିବି (ନାର୍କୋଟିକ୍ସ କଂଟ୍ରୋଲ୍ ବ୍ୟୁରୋ)ର ଏକ ସ୍ୱତନ୍ତ୍ର ଟିମ୍ ହେଲିକପ୍ଟର୍ରେ ଆସି ପାରାଦୀପରେ ପହଞ୍ଚିଥିଲା । ସେମାନେ ଯାଞ୍ଚ କରିବା ପରେ ଏହା କୋକେନ୍ ବୋଲି ସ୍ପଷ୍ଟ କରିଥିଲେ । ଭୁବନେଶ୍ୱରରୁ କଷ୍ଟମସ୍ର ଅଧିକାରୀମାନେ ମଧ୍ୟ ପାରାଦୀପରେ ପହଞ୍ଚି ଏକ ସ୍ୱତନ୍ତ୍ର କିଟ୍ ମାଧ୍ୟମରେ ପରୀକ୍ଷା କରି ଜବତ ସାମଗ୍ରୀ କୋକେନ୍ ବୋଲି ସ୍ପଷ୍ଟ କରିଥିଲେ ।
ବିଗତ ବର୍ଷମାନଙ୍କରେ ଓଡ଼ିଶାରେ ବ୍ରାଉନସୁଗର୍ କାରବାର ବଢ଼ିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଥରେ ଅଳ୍ପ ପରିମାଣର କୋକେନ୍ ମଧ୍ୟ ଜବତ ହୋଇଥିଲା । ତେଣୁ ଜାହାଜରୁ ମିଳିଥିବା କୋକେନ୍ର ଗନ୍ତବ୍ୟ ସ୍ଥଳ ଡେନ୍ମାର୍କ ଥିଲା ନା ଓଡ଼ିଶା ତାହା ମଧ୍ୟ ଏକ ବିରାଟ ପ୍ରଶ୍ନବାଚୀ । ଓଡ଼ିଶାରେ ନିଶା ସାମଗ୍ରୀ କାରବାର ଉପରେ ଲଗାମ୍ ଦେବାକୁ ଅଣ୍ଟା ଭିଡ଼ିବା ସହ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ୍) ଏହି କୋକେନ୍ ଜବତ ଘଟଣାର ତଦନ୍ତ ପାଇଁ ମଧ୍ୟ ପ୍ରସ୍ତୁତ ଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ତେବେ ଏହା ବିପୁଳ ପରିମାଣର ଜବତ ହୋଇଥିବାରୁ ଏବଂ କୌଣସି ଆନ୍ତର୍ଜାତିକ ରାକେଟ୍ ଏଥିରେ ସଂପୃକ୍ତ ଥିବା ସ୍ପଷ୍ଟ ହେଉଥିବାରୁ ଏନସିବି ହାତରେ ମାମଲା ରହିବ ବୋଲି ସେ ସୂଚନା ଦେଇଛନ୍ତି ।