ପ୍ରମୂଖ ଖବର

ପୁରୀରେ ମାତିଛନ୍ତି ପିଲାଚୋର, ଗୋଟିଏ ଦିନରେ ୩ ସନ୍ଦିଗ୍ଧଙ୍କୁ କାବୁ କଲେ ଲୋକେ

ପୁରୀ ୧୯।୦୩ : ସାବଧାନ୍। ପୁରୀରେ ମାତିଛନ୍ତି ପିଲାଚୋର। ପୁରୀ ସହର ସମେତ ସଦର ଅଞ୍ଚଳରୁ ତିନିଜଣ ସନ୍ଦିଗ୍ଧଙ୍କୁ କାବୁ କଲେ ସ୍ଥାନୀୟ ଲୋକେ। ପୁରୀ ସହରର ବଳିଆପଣ୍ଡା ଅଞ୍ଚଳରୁ ଜଣେ ଅଜଣା ବ୍ୟକ୍ତି ପିଲା ଚୋରି କରୁଥିବା ସନ୍ଦେହ କରି ସ୍ଥାନୀୟଲୋକେ ତାକୁ କାବୁ କରିବା ସହ ନିସ୍ତୁକ ମାଡ଼ ମାରିଛନ୍ତି। ସେପଟେ ପୁରୀ ସଦର ପିଳିପିଳା ଓ ବାଲିପାଟଣା ଅଞ୍ଚଳରୁ ମଧ୍ୟ ଗ୍ରାମବାସୀମାନେ ଦୁଇଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପ୍ରବଳ ମାଡ ମାରିଛନ୍ତି।

ତେବେ ପିଲାଚୋରି କରି ପଳାଉଥିବା ସମ୍ପୃକ୍ତ ବ୍ୟକ୍ତିମାନେ କେଉଁଠୁ ଆସୁଛନ୍ତି ସେନେଇ ଏପର୍ଯ୍ୟନ୍ତ ପୋଲିସ ପାଖରେ କୌଣସି ସୂଚନା ନାହିଁ। ଜିଲ୍ଲାରେ ପିଲାଚୋରି ଗ୍ୟାଙ୍ଗ କାମ କରୁଛି। ସନ୍ଦିଗ୍ଧମାନେ ବାଲାଂଦେଶୀ ବୋଲି ଅନୁମାନ କରାଯାଉଛି। ତେବେ ଗୋଟିଏ ଦିନରେ ପୁରୀ ସହର ଓ ସଦରରୁ ତିନି ତିନି ଜଣ ପିଲାଚୋରଙ୍କୁ ଲୋକମାନେ କାବୁ କରିବା ପୋଲିସର ନିଷ୍କ୍ରିୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏମାନେ ଜିଲ୍ଲାରେ ଆଉ କେଉଁ କେଉଁ ଅଞ୍ଚଳରେ ସକ୍ରିୟ ରହିଛନ୍ତି ତାହା ପୋଲିସ ପ୍ରଶାସନ ଅନୁସନ୍ଧାନ କରିବାକୁ ସାଧାରଣରେ ଦାବି ହୋଇଛି। 

ଅନ୍ୟପଟେ ପୁରୀ ଜିଲ୍ଲାରେ ପିଲାଚୋରି ଘଟଣାକୁ ନେଇ ସାମାଜିକ ଗଣମାଧ୍ୟମରେ ଏସପି ପିନାକ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ଏଭଳି ଘଟଣା ଆମ ନଜରକୁ ଆସିଛି ବୋଲି ଏସପି କହିଛନ୍ତି। ସନ୍ଦିଗ୍ଧ ପିଲାଚୋରମାନଙ୍କୁ ମାଡ ନମାରିବାକୁ ପୋଲିସକୁ ଜଣାନ୍ତୁ ବୋଲି କହିଛନ୍ତି। ପୋଲିସ ଘଟଣାର ସବିଶେଷ ତଦନ୍ତ କରିବ ବୋଲି ସୂଚନା ଦେଇଛନ୍ତି ପୁରୀ ଏସପି ପିନାକ ମିଶ୍ର।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.