ବାରିପଦା, ୨୦/୦୯ : ଏକାଦଶାହ ଭୋଜି ଖାଇ ୩ ମୃତ ୨୦ରୁ ଉର୍ଦ୍ଧ୍ଵ ଆକ୍ରାନ୍ତ। ବାରିପଦା ବଡସାହି ଥାନା ଅନ୍ତର୍ଗତ ଗୁଡିଆଲବନ୍ଧ ପଞ୍ଚାୟତ 'ଆଲବନ୍ଧ ବାଥୁଡି ସାହି'ରେ ଏଭଳି ଅଘଟଣ ଘଟିଛି। ଅସୁସ୍ଥମାନଙ୍କୁ ବାରିପଦା ପିଆରଏମ୍ ହସପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ମେଡିକାଲ ଟିମ୍ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏନେଇ ସୂଚନା ଦେଇଛନ୍ତି। ମୃତକମାନେ ହେଲେ ଆଲବନ୍ଧ ଗ୍ରାମର ରାଜକିଶୋର ନାଏକ (୬୨ ବର୍ଷ), କରଞ୍ଜିଆର ନିଦ୍ରାବତୀ ନାଏକ (୫୦ ବର୍ଷ) ଓ ଚଉଳିଆଶୋଳ ଗ୍ରାମର ଜଣେ ନାବାଳକ ମଧ୍ୟ ଅଛନ୍ତି।
ସୂଚନାନୁଯାୟୀ, ଗତ ୧୬ ତାରିଖରେ ନିକଟସ୍ଥ ବାଥୁଡ଼ି ସାହିର ଜଣେ ସମ୍ପର୍କୀୟଙ୍କ ଘରେ ସମସ୍ତେ ଏକାଦଶାହ ଭିଜିରେ ମାଛ ଭାତ ଖାଇବା ପରେ କୂଅ ପାଣି ପିଇଥିଲେ। ସେଠାରୁ ଆସିବା ପରେ ଜଣକ ପରେ ଜଣେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ସେହି ଦିନଠାରୁ କିଛି ଲୋକ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟ କିଛି ଜଣ ସିକିତ୍ସାଧିନ ଅଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଛି।