ଭୁବନେଶ୍ୱର, ୦୫/୧୧: ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡ଼ାରେ ଶନିବାର ଓଡ଼ିଶାକୁ ଆଉ ୩ଟି ପଦକ (୧ ରୌପ୍ୟ, ୨ ବ୍ରୋଞ୍ଜ ପଦକ ମିଳିଛି । ଜାଭେଲିନ୍ ତାରକା କିଶୋର କୁମାର ଜେନା ବ୍ରୋଞ୍ଜ ପଦକ ଜିତିଥିବାବେଳେ କାନୋଇଂ ଏବଂ କାୟାକିଂରେ ଓଡ଼ିଶା ପ୍ରତିଯୋଗିତା ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।
ଆଥଲେଟିକ୍ରେ କିଶୋରଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା । ବିଶ୍ୱ ଚାମ୍ପିଅନସିପ୍ ଏବଂ ଏସୀୟ କ୍ରୀଡ଼ାରେ ଚମତ୍କାର ପ୍ରଦର୍ଶନ ପରେ ତାଙ୍କୁ ସ୍ୱର୍ଣ୍ଣ ପଦକ ଦାବିଦାର ବିବେଚନା କରାଯାଉଥିଲା । ହେଲେ ସେ ୭୮.୪୭ମିଟର ଦୂରକୁ ଜାଭେଲିନ୍ ଫିଙ୍ଗୀ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ହାସଲ କରିଥିଲେ । ସର୍ଭିସ ସ୍ପୋର୍ଟ୍ସ କଣ୍ଟ୍ରୋଲ୍ ବୋର୍ଡ଼ର ଶିବପାଲ୍ ସିଂହ ୮୧.୧୭ମିଟର ସହ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ଡିପି ମନୁ ୮୦.୪୮ମିଟର ସହ ରୌପ୍ୟ ପଦକ ହାସଲ କରିଛନ୍ତି । ଗତ ଏସୀୟ କ୍ରୀଡ଼ାରେ କିଶୋର ରୌପ୍ୟ ପଦକ ଜିତିଥିଲେ ।
କାନୋଇଂ ଏବଂ କାୟାକିଂର ପୁରୁଷ କେ-୨ ଏମ୍ ୧୦୦୦ମିଟର ଇଭେଣ୍ଟରେ ଟି. ଏନ୍ଗାସେପମ୍ ଏବଂ କେ. ହାଙ୍ଗେମ୍ବାମ୍ ନାନୋଇ ମେଇତେଇ ଯୋଡ଼ି ରୌପ୍ୟ ପଦକ ଜିତିଥିବାବେଳେ ସି-୨ଏମ୍ ୧୦୦୦ମିଟର ଇଭେଣ୍ଟରେ ପିଏଚ୍ ବୋରିଶ ସିଂହ ଓ ଅଭିନାଶ ସିଙ୍ଘମ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।