ଭୁବନେଶ୍ୱର, ୧।୫: ୯୮.୬ ଡିଗ୍ରୀ ଫାରେନହିଟ୍ ବା ୩୭ ଡିଗ୍ରୀ ସେଲସିୟସ୍ ହେଉଛି ମଣିଷ ଶରୀର ସ୍ୱାଭାବିକ ତାପମାତ୍ରା । ଏହି ତାତି ୧୦୫ ଡିଗ୍ରୀ ଟପିଲେ ଏହାକୁ ଶରୀର ବରଦାସ୍ତ କରିବନି । କିନ୍ତୁ ଆଜି ଭୁବନେଶ୍ୱରରେ ତାତିରେ ବିସ୍ଫୋରଣ ହୋଇଛି । ୧୧୩.୭ ଡିଗ୍ରୀ ଫାରେନହିଟ୍ ବା ୪୫.୪ ଡିଗ୍ରୀ ରେକର୍ଡ ହୋଇଛି । ଏହା ସ୍ୱାଭାବିକ ଠାରୁ ପ୍ରାୟ ୮ଡିଗ୍ରୀ ସେଲସିୟସ ଅଧିକ । ଏହାକୁ କୌଣସି ଶରୀର ସହ୍ୟ କରିବନି । ମଧ୍ୟାହ୍ନରେ ଯେବେ ଏଭଳି ଅଗ୍ନିବର୍ଷା ତାତିକୁ ଲୋକେ ସାମ୍ନା କରୁଥିଲେ, ଡହଳବିକଳ ହୋଇଯାଉଥିଲେ । ଜୀବନ ଛାଡ଼ିଯିବ କି ? ଏମିତି ଭୟରେ ଘରକୁ ଦୌଡୁଥିଲେ । ଆଜି ସକାଳ ସାଢ଼େ ୮ଟାରେ ରାଜଧାନୀର ତାତି ୩୪.୮ ଡିଗ୍ରୀ ସେଲସିୟସ ଛୁଇଁ ଯାଇଥିଲା । ସକାଳୁ ଆରମ୍ଭ ହୋଇଯାଇଥିଲା ତତଲା ହାୱା । ତା’ ପରେ ତତାଇଲା, ତତାଇଲା, ଆଉ ଶେଷରେ ଜାଳି ପକାଇଲା । ଲୋକେ ଜୀବନ ବିକଳରେ ଗଛ ଛାଇ ହେଉ କି କୌଣସି ଘରର ଛାଇ ତଳକୁ ଆସି ଆଶ୍ରୟ ନେଉଥିଲେ ।
ଦିନ ସାଢ଼େ ୧୧ଟା ବେଳକୁ ତାତି ୪୩.୬ ଡିଗ୍ରୀ ଛୁଇଁ ଯାଇଥିଲା । ସେତେବେଳକୁ ସ୍ଥିତି ଅଣାୟତ୍ତ ହୋଇ ସାରିଥିଲା । ପ୍ରଚଣ୍ଡ ଉତ୍ତାପରେ ଖିନଭିନ୍ କରି ଦେଉଥିଲା । ରାଜଧାନୀରେ ଆଜି ରେକର୍ଡ ତାତି ଅନୁଭୂତ ହୋଇଛି । ଚଳିତବର୍ଷ ପ୍ରଥମଥର ପାଇଁ ତାତି ୪୫ ଡିଗ୍ରୀ ଟପିଛି । ମାଷ୍ଟରକ୍ୟାଣ୍ଟିନ୍ ଅସ୍ଥାୟୀ ବସ୍ଷ୍ଟାଣ୍ଡରେ ବସ୍ ଲାଗୁଥିଲା ସତ, କିନ୍ତୁ ଯାତ୍ରୀଙ୍କ ଦେଖାନଥିଲା । ନୂଆ ନିର୍ମାଣ ପାଇଁ ବସ୍ଷ୍ଟାଣ୍ଡ ଭଙ୍ଗା ହୋଇଛି । ଅସ୍ଥାୟୀ ସେଡ୍ ତଳେ ଯାତ୍ରୀ ଆଶ୍ରୟ ନେଉଛନ୍ତି । ହେଲେ ମଧ୍ୟାହ୍ନରେ ଏମିତି ତାତିଲା ଯେ, ଦେହ, ହାତ ଝାଇଁ ଝାଇଁ କରି ଦେଉଥିଲା । ରେଳଷ୍ଟେସନରୁ ବାହାରୁଥିବା ଲୋକେ ବି ତତଲା ଯନ୍ତ୍ରଣାକୁ ସାମ୍ନା କରିନପାରି କଲବଲ ହେଉଥିଲେ । ମାଷ୍ଟରକ୍ୟାଣ୍ଟିନ୍ ମୁଖ୍ୟ ରାସ୍ତା ଯାଏ ଚାଲି ଚାଲି ଆସିବାକୁ ବି ସାହସ କରୁନଥିଲେ । ରାସ୍ତାରେ ଯାଉଥିବା ବାଇକ୍ ଓ ସ୍କୁଟି ଆରୋହୀ ଏହି ତାତି ବିପର୍ଯ୍ୟୟରୁ ବର୍ତ୍ତିବାକୁ ଜୋର୍ରେ ଗାଡ଼ି ଦୌଡ଼ାଉଥିଲେ । ଟ୍ରାଫିକ୍ ଛକରେ ଛିଡ଼ା ହେବା ବେଳକୁ ଦେହ ପୋଡ଼ି ଦେଉଥିଲା । ତାତି ଅସହ୍ୟ ହେବାରୁ ସିଗନାଲ୍ ଦେବା ଆଗରୁ ଅନେକ ରାସ୍ତା ପାର୍ କରି ପଳାଉଥିଲେ । ଆଉ କିଛି ଜୀବନ ବିକଳରେ ଗଛ ଛାଇ ଦେଖି ମୁଣ୍ଡ ଗୁଞ୍ଜୁଥିଲେ ।
ମଙ୍ଗଳବାର ଭୁବନେଶ୍ୱର ଉପଜିଲ୍ଲାପାଳ ଅଫିସ୍ ଓ ଏଡିଏମ୍ ଅଫିସରେ ମୋଟ ୪ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ପାଇଁ ଯିବାବେଳେ ହୋଇଥିବା ଶୋଭାଯାତ୍ରାରେ ହଜାର ହଜାର ନେତା, ସମର୍ଥକ ସାମିଲ ହୋଇଥିଲେ । ଏମାନେ ନେତାଙ୍କ ରାଲିକୁ ଆସିଥିଲେ ସତ, ହେଲେ ତାତିର ପ୍ରକୋପରେ କାନ୍ଦ କାନ୍ଦ ହୋଇ ଯାଇଥିଲେ । କିଏ ମୁଣ୍ଡରେ ପାଣି ଢାଳି ପକାଉଥିଲା ତ’ ଆଉ କିଏ ଗାଡ଼ିକୁ ଗଳିରେ ପୂରାଇ ଗଛ ଛାଇ ଖୋଜୁଥିଲା । କିଛି କର୍ମୀ ତାତିରୁ ରକ୍ଷା ପାଇଁ ଏଟିଏମ୍ ଓ ମଲ୍ ଭିତରେ ପଶି ଯାଇଥିଲେ । ଆଉ କିଛି ଗାଡ଼ି ବୁଲାଇ ଘରକୁ ପଳାଇଥିଲେ । ଏଭଳି ବିପଜ୍ଜନକ ତାତିକୁ ସହି ନ ପାରି ୩୦ରୁ ଅଧିକ ଲୋକେ ଅଂଶୁଘାତର ଶିକାର ହୋଇଛନ୍ତି । କେବଳ କ୍ୟାପିଟାଲ ହସ୍ପିଟାଲକୁ ୧୪ଜଣ ଚିକିତ୍ସା ପାଇଁ ଆସିଥିଲେ । ଏହାବାଦ୍ ଏମସ୍ ହସ୍ପିଟାଲ, ସମ୍ ହସ୍ପିଟାଲ ଓ ଅନ୍ୟ ଘରୋଇ ହସ୍ପିଟାଲକୁ ଅନେକ ରୋଗୀ ଆସିଥିଲେ । ଅନେକ ଲୋକେ ରାସ୍ତାରେ ଅସୁସ୍ଥ ହୋଇ ପଡ଼ି ଯାଇଥିଲେ । କିଏ ହସ୍ପିଟାଲ ଯାଉଥିଲେ ତ’ ଆଉ କିଏ ଘରକୁ ପଳାଉଥିଲେ ।