ମାଲକାନଗିରି/ଏମଭି ୭୯/କାଲିମେଳା, ୪/୯ : ଅଭିନବ ଉପାୟରେ କଇଁଛ ଚାଲାଣ। ଖତ ସାର ବୋଝେଇ ପିକଅପ ଭ୍ୟାନରେ କଇଁଛ ଚାଲାଣ ହେଉଥିବା ବେଳେ ବନବିଭାଗ ଚଢାଉ କରି ୫୦୦ କଇଁଛ ଜବତ କରିଛି। ଏଥିସହ ୪ଜଣ କୁ ଗିରଫ କରିଛି ବନବିଭାଗ। ଆନ୍ଧ୍ରରୁ ମାଲକାନଗିରିକୁ ଏହି କଇଁଛ ଅଣାଯାଉଥିଲା।
ସୂଚନା ଅନୁଯାୟୀ କଇଁଛ ଚୋରାଚାଲାଣ ସମ୍ପର୍କରେ କୌଣସି ସୂତ୍ରରୁ ବନବିଭାଗ ସୂଚନା ପାଇଥି ଲା। ମୋଟୁ ବନାଞ୍ଚଳ ଅଧିକାରୀ ରଶ୍ମିରଞ୍ଜନ ସ୍ୱାଇଁଙ୍କ ନେତୃତ୍ୱରେ ମୋଟୁ ବନପାଳ ମୁରଲୀଧର ଅନୁଗୁଳିଆ ଓ ଅନ୍ୟାନ୍ୟ ବନକର୍ମଚାରୀ ଓ ପାରାଷ୍ଟାଫ ଓଡ଼ିଶା ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଜଗି ରହିଥିଲେ। ଦୁଇଟି ପିକଅପ ଭ୍ୟାନ ଅତି ଦ୍ରୁତ ଗତିରେ ଯାଉଥିବା ବେଳେ ବନ ବିଭାଗ କର୍ମଚାରୀମାନେ ଗାଡିକୁ ଅଟକାଇ ଥିଲେ। ଗାଡ଼ିରେ ସାର(ଖତ)ନେଇ ଯାଉଛନ୍ତି ବୋଲି ବନ କର୍ମଚାରୀଙ୍କୁ କହିଥିଲେ । ତେବେ ଗାଡ଼ିକୁ ଭଲ ଭାବରେ ଖାନତଲାସି କରିବାରୁ ଗାଡି ଭିତରେ ଏକ କଣ୍ଟେନରରେ ପାଖାପାଖି ୫ ଶହ କଇଁଛ ଦେଖିବାକୁ ମିଳିଥିଲା। ବେଆଇନ ଭାବେ କଇଁଛ ଚୋରା ଚାଲାଣ ଅଭିଯୋଗରେ ମାଲକାନଗିରି ଜିଲ୍ଲା ଏମଭି୭୯ଥାନାସ୍ଥ ଏମଭି ୭୧ ଗ୍ରାମର ବିପିନ ବେପାରୀ (୨୩), ରାକେଶ ଢାଲି (୨୭), ଅଭିଶେଖ ରାୟ(୨୧), ବଂଶୀଚନ୍ଦ୍ର ଚକ୍ରବର୍ତ୍ତୀ (୧୮)ଙ୍କୁ ଗିରଫ କରିବା ସହିତ କଇଁଛ ଓ ଗାଡିକୁ ବନ ବିଭାଗ ଜବତ କରିଛି। ମାମଲାର ତଦନ୍ତ ଜାରି ରହିଛି ବୋଲି ବନାଞ୍ଚଳ ଅଧିକାରୀ ରଶ୍ମୀରଂଜନ ସ୍ବାଇଁ ସୂଚନା ଦେଇଛନ୍ତି।