ମାଲକାନଗିରି, ୨/୮ : ମାଲକାନଗିରି ଜିଲ୍ଲା ହେର୍ଡ କ୍ଵାଟରରୁ ୭ଟି ବ୍ଲକକୁ ଚଳାଚଳ କରୁଥିବା ଶୀତତାପ ନିୟନ୍ତ୍ରିତ ଲଷ୍ମୀ (ଏସି)ବସକୁ ଆଜିଠାରୁ ବନ୍ଦ କରିଦିଆଯାଇଛି । ଫଳରେ ଏହି ବସରେ ନିୟମିତ ଭାବେ ଯାତାୟତ କରୁଥିବା ଯାତ୍ରୀ ମାନେ ନାହିଁ ନ ଥିବା ଅସୁବିଧା ଭୋଗ କରୁଥିବା ଶୀତ ଜିଲ୍ଲାବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ପଡିଆ, କାକିମେଳା, ମାଥିଲି, ଖଇରପୁଟ, ଚିତ୍ରକୋଣ୍ଡା ବ୍ଲକଠାରୁ ମାଲକାନଗିରି ଜିଲ୍ଲା ସଦର ମହାକୁମାକୁ ୬ଟି ଶୀତ ତାପ ନିୟନ୍ତ୍ରିତ ଲଷ୍ମୀ (ଏସି )ବସ ଦୀର୍ଘ ଦିନ ଧରି ଚଳା ଚଳ କରୁଥିଲା। ଏହି ବସରେ ମହିଳା ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକମାନଙ୍କୁ ରିହାତି ମୂଲ୍ୟରେ ଯାତ୍ରା କରିବାର ସୁବିଧା ଥିଲା, ପ୍ରତିଦିନ ଏହି ବସ ଗୁଡିକ ବ୍ଲକ ଠାରୁ ଜିଲ୍ଲା ସଦର ମହାକୁମାକୁ ଚଲାଚଳ କରୁଥିବାରୁ ସରକାରୀ କର୍ମଚାରୀ, ସ୍କୁଲ, କଲେଜ ଛାତ୍ର ଛାତ୍ରୀ ଓ ଗ୍ରାମବାସୀ ସୁଲଭ ମୂଲ୍ୟ ରେ ଯାତ୍ରା କରିବାର ସୁଯୋଗ ପାଉଥିଲେ ।
ହଠାତ ଆଜି ଏହି ବସ ଗୁଡିକୁ ବନ୍ଦ କରିଦେଇଥିବାରୁ ନିୟମିତ ଯାତ୍ରା କରୁଥିବା ଯାତ୍ରୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏ ସମ୍ପର୍କରେ ଆମେ ରାଜ୍ୟ ପରିବହନ ବିଭାଗ ମାଲକାନଗିରି ଜିଲ୍ଲା ପରିଚାଳକ ବିରୁପାକ୍ଷ୍ୟ ତ୍ରିପାଠୀଙ୍କୁ ପଚାରିବାରୁ ସେ କହିଥିଲେ ଆଜି ଆମ କାର୍ଯ୍ୟଳୟକୁ ମାଲକାନଗିରି ଜିଲ୍ଲାପରିବହନ ଅଧିକାରୀଙ୍କ ନିକଟରୁ ଲଷ୍ମୀ ଏସି ବସ ଗୁଡିକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଆସିବା ପରେ ଉକ୍ତ ବସ ଗୁଡିକ ଚଳାଚଳ ବନ୍ଦ କରାଯାଇଛି । ଉକ୍ତ ବସ ଗୁଡିକ ବନ୍ଦ ହେବା ପରେ ସେହି ବସରେ କାର୍ଯ୍ୟ କରୁଥିବା ଡ୍ରାଇଭର, କଣ୍ଡକ୍ଟର ୧୬ଜଣ କର୍ମଚାରୀଙ୍କୁ ଅନ୍ୟ ବସ ଗୁଡିକରେ କାର୍ଯ୍ୟ କରିବାକୁ ଦାୟିତ୍ୱ ଦିଆଯାଇଛି ।
ଜିଲ୍ଲାରେ ମୋଟ ୩୬ଟି ଲଷ୍ମୀ ବସ ଚଳାଚଳ କରୁଥିଲା, ସେଥିମଧ୍ୟରୁ ୬ଟି ଏସି ବସ ଓ ଅନ୍ୟ ଗୁଡିକ ନନ ଏସି ବସ ଏବଂ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପାଇଁ ୪ଟି ସ୍ୱତନ୍ତ୍ର ଭାବେ ଲଷ୍ମୀ ବସ ଚଲାଚଳ କରୁଛି । ଏହି ୪ଟି ବସର ପରିଚାଳନା ଦାୟିତ୍ୱ ମିଶନ ଶକ୍ତି ମହିଳାମାନେ ବୁଝୁଛନ୍ତି । ୬ଟି ଏସି ବସ କିଛି ଦିନ ପାଇଁ ବନ୍ଦ ରଖା ଯାଇଛି । ୩୨ଟି ରୁଟରେ ଲଷ୍ମୀ ବସ ନିୟମିତ ଚଲାଚଳ କରୁଥିବାରୁ ଯାତ୍ରୀମାନଙ୍କର ସେମିତି କିଛି ଅସୁବିଧା ହେବ ନାହିଁ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । ହଠାତ କାହିଁକି ଏହି ଏସି ବସ ଗୁଡିକୁ ବନ୍ଦ କରିଦିଆଗଲା ସେ ସମ୍ପର୍କରେ କାହାରି ନିକଟରେ ସଠିକ ବିବରଣୀ ନ ଥିବାରୁ ଜିଲ୍ଲାବାସୀଙ୍କ ମନରେ ନାନା ପ୍ରକାର ପ୍ରଶ୍ନ ଉଙ୍କି ମାରିଛି ।