ଭୁବନେଶ୍ୱର,୦୮/୦୯: ଯୁକ୍ତ ୨ କଲେଜ ପାଇଁ ଆଉ ନୂଆ ୮୫ଟି ପିଜିଟି ପଦବି ସୃଷ୍ଟି ହେବ । ଯୁକ୍ତ ୨ କଲେଜରେ ଶିକ୍ଷକ ଅଭାବ ପୂରଣ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।
ଉଲ୍ଲେଖଯୋଗ୍ୟ, ଉଚ୍ଚଶିକ୍ଷା ବିଭାଗରୁ ଯୁକ୍ତ ୨ କଲେଜ ଅଲଗା ହୋଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନକୁ ଯାଇଛି । ଫଳରେ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ନିଯୁକ୍ତ ଅଧ୍ୟାପକଙ୍କୁ ଡିଗ୍ରୀ କଲେଜକୁ ବଦଳି କରାଯାଇଛି । ଫଳରେ ଯୁକ୍ତ ୨ରେ ପଢ଼ାଇବା ପାଇଁ ଆବଶ୍ୟକ ଶିକ୍ଷକ ନାହାନ୍ତି । ତେଣୁ ନିର୍ଦ୍ଦେଶାଳୟ ପକ୍ଷରୁ ଆଉ ୮୫ଟି ନୂଆ ପିଜିଟି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ।
ଅନ୍ୟପଟେ ଏନେଇ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ କଲେଜକୁ ନିଜର ଅଧ୍ୟାପକଙ୍କ ତଥ୍ୟ ମଗାଯାଇଛି । ବର୍ତ୍ତମାନ ୬୪ ପିଲାଙ୍କୁ ନେଇ ଗୋଟିଏ ସେକ୍ସନ କରାଯାଇଛି । ଶିକ୍ଷକ ଅଭାବ ଯୋଗୁ ଶିକ୍ଷକଙ୍କ ଉପରେ କାର୍ଯ୍ୟଭାର ଅଧିକ ରହୁଛି ।