ଭୁବନେଶ୍ଵର, ୩୧/୦୮ : ୨୦୨୪-୨୫ ଆର୍ଥିକ ବର୍ଷରେ ୯୮ ହଜାର ୬୨୦ ସଂଖ୍ୟକ ଶିଶୁ ଅପପୁଷ୍ଟିର ଶିକାର। ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି ଯେ, ଅପପୁଷ୍ଟି ରୋକିବାକୁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି।ପରିପୂରକ ପୁଷ୍ଟି ଯୋଜନା ମାଧ୍ୟମରେ ଅଙ୍ଗନୱାଡି କେନ୍ଦ୍ରରେ ପଞ୍ଜୀକୃତ ୬ ମାସରୁ ୬ ବର୍ଷ ଶିଶୁମାନଙ୍କୁ ପ୍ରତି ମାସରେ ୨୫ ଦିନ ହିସାବରେ ବର୍ଷକୁ ୩୦୦ ଦିନ ପାଇଁ ପରିପୂରକ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି। ଏହି ଯୋଜନା ମାଧ୍ୟମରେ ୬ ମାସରୁ ୩ ବର୍ଷ ବୟସର ସାଧାରଣ ଶିଶୁଙ୍କୁ THR ଛତୁଆ, ଅଣ୍ଡା, ଲଡୁ, ଶୁଖିଲା ରାସନ ଇତ୍ୟାଦି ଯୋଗାଇ ଦିଆଯାଉଛି। ଯେଉଁ ଶିଶୁମାନେ ଅଣ୍ଡା ଖାଇବେ ନାହିଁ ସେମାନଙ୍କୁ ମାସକୁ ଅତିରିକ୍ତ ଲଡୁ ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି । ୩ ବର୍ଷରୁ ୬ ବର୍ଷର ଶିଶୁଙ୍କୁ ଅଙ୍ଗନୱାଡିକେନ୍ଦ୍ରରେ ଗରମ ରନ୍ଧା ଖାଦ୍ୟରେ ସପ୍ତାହକୁ ୫ଟି ଅଣ୍ଡା ଦିଆଯାଉଛି।
ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ମାଧ୍ୟମରେ SAM ଶିଶୁ (୬ ମାସରୁ ୫ ବର୍ଷ) ମାନଙ୍କୁ ପ୍ରତିଦିନ ୧୦୦ ଗ୍ରାମ ଛତୁଆ ଓ ଗୋଟେ ଅଣ୍ଡା ହିସାବରେ ୧୧୨ ଦିନ ପାଇଁ ଖାଦ୍ୟ ଯୋଗାଇ ଦିଆଯାଉଅଛି । SUW ଓ MAM ଶିଶୁମାନଙ୍କୁ ବେସନ ଅଟା ମିଶ୍ରଣ, କଦଳୀ ଓ ଅଣ୍ଡା ୭୫ ଦିନ ପାଇଁ ପ୍ରଦାନ କରାଯାଉଛି। ଏତଦ୍ ବ୍ୟତୀତ, ପଡା ପୁଷ୍ଟି କାର୍ଯ୍ୟକ୍ରମ ଅଧିନରେ ଦୁରାଗମ୍ୟ ଗ୍ରାମରେ ବାସ କରୁଥିବା ୩-୬ ବର୍ଷ ବୟସର ଶିଶୁ, ଯେଉଁମାନେ ଅଙ୍ଗନୱାଡି କେନ୍ଦ୍ରକୁ ଆସିପାରନ୍ତି ନାହିଁ, ସେମାନଙ୍କୁ ଉକ୍ତ ଗ୍ରାମରେ ଉଭୟ ସକାଳ ଜଳଖିଆ ଏବଂ ଗରମ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥାଏ। ସମ୍ପ୍ରତି, ଏହି କାର୍ଯ୍ୟକ୍ରମ ରାଜ୍ୟର ୧୮୪୩ ଦୁରାଗମ୍ୟ ଗ୍ରାମରେ କାର୍ଯ୍ୟକ୍ଷମ ଅଛି।