ହାଇଦ୍ରାବାଦ: ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବାରୁ ତାମିଲ ସୁପରଷ୍ଟାର ଧନୁଷଙ୍କ ବଡ଼ ପୁଅ ଯାତ୍ରା ତଣ୍ଡ ଗଣିଥିବା ଜଣାପଡ଼ିଛି । ଇଣ୍ଡିଆ ଟୁଡେରେ ପୋଷ୍ଟ ହୋଇଥିବା ଏକ ଭିଡିଓରୁ ଜଣାପଡ଼ିଛି ଯେ, ଧନୁଷଙ୍କ ବଡ଼ ପୁଅ ଯାତ୍ରା ଗୋଟିଏ ସୁପର ବାଇକ ଚଳାଉଥିବା ବେଳେ ତାଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ନଥିଲା । ଆଉ ସେ ଚେନ୍ନାଇର ପୋଜ ଗାର୍ଡେନ ଅଞ୍ଚଳରେ ଧରାପଡ଼ିଥିଲେ । ମିଳିଥିବା ସୂଚନା ଅନୁସାରେ, ଯାତ୍ରା ଏବେ ବି ଗାଡ଼ି ଚଳାଇବା ପାଇଁ ଯୋଗ୍ୟ ହୋଇନାହାନ୍ତି । ୧୭ ବର୍ଷୀୟ ଯାତ୍ରା ସୁପର ବାଇକ ଚଳାଉଥିବାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି ।
ନମ୍ବର ପ୍ଲେଟ ସିସିଟିଭିରେ ଦେଖାଯାଉ ନଥିବାରୁ ଏବଂ ଯାତ୍ରା ମୁହଁରେ ମାସ୍କ ପିନ୍ଧିଥିବାରୁ ତାଙ୍କ ମା’ ଐଶ୍ବର୍ଯ୍ୟାଙ୍କୁ ପୋଲିସ ଡାକି ପ୍ରଶ୍ନ କରିଥିଲା । ଏହା ପରେ ଯାତ୍ରା ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିବା ଜଣାପଡ଼ିଥିଲା ଏବଂ ତାଙ୍କ ନାଁରେ ଫାଇନ୍ ହୋଇଛି ।
ଚଳିତବର୍ଷ ଜୁଲାଇ ମାସରେ ଧନୁଷ ନିଜର ଦୁଇ ପୁଅ ଯାତ୍ରା ଏବଂ ଲିଙ୍ଗାଙ୍କ ସହ ତିରୁପତି ଦର୍ଶନ କରିବାକୁ ପହଞ୍ଚିଥିଲେ । ଗତବର୍ଷ ଧନୁଷ ଏବଂ ଐଶ୍ବର୍ଯ୍ୟା ନିଜ ପୁଅ ଯାତ୍ରାଙ୍କ ସ୍କୁଲ ଫଂକସନ୍ରେ ଏକାଠି ପହଞ୍ଚିଥିଲେ । ଏପରିକି ଦୁଇ ଜଣ ସେଠାରେ ଫଟୋ ମଧ୍ୟ ଉଠାଇଥିଲେ । ତେବେ ୨୦୨୨ ଜାନୁଆରୀରେ ଧନୁଷ ଏବଂ ଐଶ୍ବର୍ଯ୍ୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା । ୨୦୦୪ରେ ଧନୁଷ ଏବଂ ଐଶ୍ବର୍ଯ୍ୟା ବିବାହ କରିଥିବା ବେଳେ ୨୦୦୬ରେ ଯାତ୍ରାଙ୍କ ଜନ୍ମ ହୋଇଥିଲା । ପରେ ୨୦୧୦ରେ ସାନ ପୁଅ ଲିଙ୍ଗାଙ୍କ ଜନ୍ମ ହୋଇଥିଲା ।
ଟଲିଉଡ ଜଗତର ଜଣେ ଲୋକପ୍ରିୟ ଅଭିନେତା ଧନୁଷ ବିଭିନ୍ନ ଫିଲ୍ମରେ ଦମଦାର ଅଭିନୟ ପାଇଁ ବେଶ ପରିଚିତ । ତାଙ୍କର ଅପକମିଂ ପିଲ୍ମ ୨୦୨୫ରେ ରିଲିଜ୍ ହେବାକୁ ଯାଉଛି । ଆଉ ଏକ ଫିଲ୍ମ D51 ରିଲିଜ୍ ଅପେକ୍ଷାରେ ରହିଛି । ଏଥିରେ ଧନୁଷଙ୍କ ବ୍ୟତୀତ ନାଗାର୍ଜନ ଏବଂ ରଶ୍ମୀକା ମନ୍ଦାନାଙ୍କୁ ଦେଖିବାକୁ ମିଳିବ । ବହୁ ଭାଷାରେ ରିଲିଜ୍ ହେବାକୁ ଥିବା ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଶେଖର କାମୁଲା ।