ଖାର୍ତୁମ, ୧୧/୦୯: ଉତ୍ତରପୂର୍ବ ଆଫ୍ରିକୀୟ ଦେଶ ସୁଦାନର ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ଦେଶକୁ ନିୟନ୍ତ୍ରଣକୁ ନେବା ଲାଗି ସୁଦାନ ସେନା ଓ ଅର୍ଦ୍ଧସୈନିକ ବଳ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଥମିବାର ନାଁ ନେଉନି । ଗୃହ ଯୁଦ୍ଧରେ ସୁଦାନର ଜନତା ଜଳୁଥିବା ବେଳେ ରବିବାର ରାଜଧାନୀ ଖାର୍ତୁମ ଉପରେ ଆକାଶ ମାର୍ଗରୁ ଡ୍ରୋନ୍ ଆକ୍ରମଣ ହୋଇଛି ।
ଖାର୍ତୁମର ଖୋଲା ବଜାର ଉପରେ ହୋଇଥିବା ଡ୍ରୋନ୍ ଆକ୍ରମଣରେ ୪୦ ଜଣଙ୍କ ମୃତ୍ୟୁ ହୋଇଛି । ପ୍ରାୟ ୭୦ ଜଣ ଆହତ ହୋଇଥିବା ଜଣାପଡ଼ିଛି । ସୁଦାନ ସେନା ଏହି ଡ୍ରୋନ୍ ଆକ୍ରମଣ କରିଥିବା କୁହାଯାଉଛି । ସୁଦାନର କ୍ଷମତା ହାତେଇବାକୁ ବିଗତ ୫ ମାସ ହେଲା ସେନା ଓ ଅର୍ଦ୍ଧସୈନିକ ବଳ ଉଦ୍ୟମ କରିବା ସହ ବାରମ୍ବାର ଆକ୍ରମଣ କରୁଛନ୍ତି ।
ବଢିଲା ସୌରିନ୍ ଭଟ୍ଟଙ୍କ ଅଡୁଆ, ଲୁକ୍ ଆଉଟ୍ ସର୍କୁଲାର ଜାରି କଲା କମିଶନରେଟ୍ ପୋଲିସ
ସୁଦାନରେ ଏପ୍ରିଲ୍ ମାସରୁ ହିଂସା ଲାଗି ରହିଛି । ଦେଶର ରାଜଧାନୀ ସହ ଏକାଧିକ ଅଞ୍ଚଳକୁ ସେନା ମଧ୍ୟରେ ଚାଲିଥିବା ସଂଘର୍ଷ ବ୍ୟାପିଲାଣି । ଖାର୍ତୁମ୍ ସହ ଓମଡୁରମାନ ଓ ବାହରିର ସ୍ଥିତି ଅଧିକ ସଙ୍ଗୀନ ହୋଇ ପଡ଼ିଛି । କେଉଁଠି ଡ୍ରୋନରେ ଆକ୍ରମଣ ହେଉଛି ତ ଆଉ କେଉଁଠି ବୋମା ପଡ଼ୁଛି ।
୨୦୦୦ ମସିହା ପରେ ସ୍ଥିତି ଅଧିକ ଜଟିଳ ହୋଇ ପଡ଼ିଛି । ଜାତିସଂଘର ଅଗଷ୍ଟ ରିପୋର୍ଟ ଅନୁସାରେ, ସୁଦାନ ସଂଘର୍ଷରେ ପ୍ରାୟ ୪୦୦୦ ଲୋକଙ୍କ ମୃତ୍ୟୁ ହୋଇଛି । ୭.୧ ମିଲିୟନ ଲୋକ ପ୍ରଭାବିତ ହୋଇ ଘର ଛାଡ଼ି ଦେଇଛନ୍ତି । ୧.୧ ମିଲିୟନ ଲୋକ ଅନ୍ୟ ଦେଶରେ ଶରଣାର୍ଥୀ ଭାବେ ଆଶ୍ରୟ ନେଇଛନ୍ତି ।
‘ଚୀନକୁ ବିରୋଧ ନୁହେଁ ଆମେରିକାର ଆଭିମୁଖ୍ୟ’, ଭିଏତନାମରେ ଭାରତକୁ ନେଇ କ’ଣ କହିଲେ ଜୋ ବାଇଡେନ୍ ?