ମାଲକାନଗିରି,୯/୧୧ ; ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଣି ଦେଖାଦେଇଛି ଅବ୍ୟବସ୍ଥା। ଚିକିତ୍ସାରେ ଅବହେଳା ଯୋଗୁଁ ଜଣେ କିଡନୀ ରୋଗୀର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏଥି ନିମନ୍ତେ ଜିଲ୍ଲା ହସ୍ପିଟାଲ ରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା। ମୃତକ ଜଣକ ହେଲେ କାଲିମେଳା ଥାନା ଅନ୍ତର୍ଗତ ଏମଭି ୭୨ ଗ୍ରାମର କିଡନୀ ରୋଗରେ ପୀଡିତ ତପନ ରାୟ।
ତପନଙ୍କ ସ୍ତ୍ରୀଙ୍କ କହିବା ଅନୁସାରେ ବୁଧବାର ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ ତାଙ୍କର ସ୍ବାମୀଙ୍କୁ ଯେତେବେଳେ ଡାଇଲେସିସ୍ ପାଇଁ ନେଇଥିଲେ, ସେଠାରେ ଉପସ୍ଥିତ ଥିବା ଜଣେ ଟେକ୍ନିସିୟାନ ତାଙ୍କୁ ଟଙ୍କା ମାଗିଥିଲେ। ଏପରିକି ଆଗେ ଟଙ୍କା ଦେଲେ ତାହାପରେ ଡାଇଲେସିସ୍ କରିବି ବୋଲି ଜିଦ୍ ଧରିଥିଲେ । କିଛି ଉପାୟ ନପାଇ ତପନଙ୍କ ସ୍ତ୍ରୀ ବାସନ୍ତୀ ଟେକ୍ନିସିୟାନଙ୍କ ମୋବାଇଲକୁ ଫୋନ ପେ ମାଧ୍ୟମରେ ୫ହଜାର ଟଙ୍କା ପଠାଇଥିଲେ। ତେବେ ଟଙ୍କା ଦେବାକୁ ବିଳମ୍ବ ହେବାରୁ ଡାଇଲେସିସ୍ କରିବାରେ ଅବହେଳା କରିଥିବା କାରଣରୁ ତାଙ୍କ ସ୍ବାମୀ ପ୍ରାଣ ହରାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ସ୍ବାମୀଙ୍କ ମୃତ୍ୟୁ ପାଇଁ ସମ୍ପୂର୍ଣ୍ଣ ଟେକ୍ନିସିୟାନ ଦାୟୀ ବୋଲି ଗୁରୁତର ଅଭିଯୋଗ ଆଣିଛନ୍ତି ସ୍ତ୍ରୀ ଓ ପରିବାର ଲୋକେ। ସ୍ବାମୀଙ୍କ ମୃତ୍ୟୁରେ ଦାୟୀ ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ବାସନ୍ତୀ।
ଏ ସମ୍ପର୍କରେ ମାଲକାନଗିରି ଜିଲ୍ଲା ଚିକିତ୍ସା ଅଧିକାରୀ ପ୍ରଫୁଲ୍ଲ କୁମାର ନନ୍ଦଙ୍କୁ ଫୋନ ଯୋଗେ ପଚାରିବାରୁ ସେ ମିଟିଂ ପାଇଁ ଭୁବନେଶ୍ୱରକୁ ଯାଇଛନ୍ତି। ଏ ସମ୍ପର୍କରେ ସେ ଖବର ପାଇଛନ୍ତି ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଏହାର ତଦନ୍ତ କରିବା ପାଇଁ ଦାୟିତ୍ୱ ଦେଇଛନ୍ତି । ଯଦି ଘଟଣା ସତ ହୋଇ ଥାଏ ଘଟଣାର ତଦନ୍ତ କରାଯାଇ ଦୋଷୀ ବିରୋଧ ରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଅଭିଯୁକ୍ତ ନାମରେ ଥାନାରେ ଏତଲା ଦିଆଯିବ ବୋଲି ସିଡିଏମଓ ଡାକ୍ତର ନନ୍ଦ ପ୍ରକାଶ କରିଛନ୍ତି।