ନୂଆଦିଲ୍ଲୀ: ମଙ୍ଗଳବାର ସୁପ୍ରିମକୋର୍ଟ ବାୟୁ ପ୍ରଦୂଷଣ ନେଇ ଦିଲ୍ଲୀ, ପଞ୍ଜାବ, ଉତ୍ତର ପ୍ରଦେଶ ଓ ରାଜସ୍ଥାନ ସରକାରଙ୍କୁ ତାଗିଦ କରିଥିଲେ । ଦିଲ୍ଲୀରେ ବର୍ଷ ବର୍ଷ ଧରି ଏମିତି ଭୟଙ୍କର ବାୟୁ ପ୍ରଦୂଷଣକୁ ସହି ହେବନି । ଏହାର ସମାଧାନ କ’ଣ ? ଦିଲ୍ଲୀକୁ ଏଭଳି ସ୍ଥିତିରେ ଛାଡ଼ି ହେବନି । ମଙ୍ଗଳବାର ଏହି ମାମଲାର ଶୁଣାଣି କରି ଏପରି କହିଥିଲେ ଖଣ୍ଡପୀଠ। ଏଥିସହିତ ବୁଧବାର ସମ୍ପୃକ୍ତ ରାଜ୍ୟଗୁଡ଼ିକ ଏକାଠୀ ବସି ଏହାର ସମାଧାନ କରିବାକୁ କୋର୍ଟ କହିଥିଲା।
ତେବେ ପ୍ରଦୂଷଣ ବୃଦ୍ଧିକୁ ନେଇ ସୁପ୍ରିମକୋର୍ଟ ତାଗିଦ କରିବା ପରେ ବୁଧବାର ଦିଲ୍ଲୀ ସରକାର ଆପ୍ଲିକେସନ ଦ୍ୱାରା ପରିଚାଳିତ କାର୍ ପ୍ରବେଶ କରିବାକୁ ବନ୍ଦ କରିଛନ୍ତି । ଅନ୍ୟ ରାଜ୍ୟରେ ପଞ୍ଜିକୃତ ହୋଇଥିବା କାର୍ଗୁଡ଼ିକ ଦିଲ୍ଲୀରେ ପ୍ରବେଶ କରିପାରିବ ନାହିଁ ବୋଲି ଆପ ସରକାର କହିଛନ୍ତି । ଏନେଇ ଦିଲ୍ଲୀ ପରିବହନ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ବ୍ୟାନ୍ ନିର୍ଦ୍ଦେଶ ଜାରି କରାଯାଇଛି।
ନିର୍ଦ୍ଦେଶନାମା ଅନୁସାରେ, କେବଳ ଦିଲ୍ଲୀରେ ପଞ୍ଜିକୃତ ହୋଇଥିବା କାର୍ଗୁଡ଼ିକ ରାଜଧାନୀରେ ପ୍ରବେଶ କରିପାରିବେ। ସେପଟେ ବୁଧବାର ପୁଣି ଦିଲ୍ଲୀର ବାୟୁ ପ୍ରଦୂଷଣ ଖରାପ ହୋଇଛି। ଗତକାଲି ଦିଲ୍ଲୀ ଏହା ‘ ବହୁତ ଖରାପ(Very Poor) ବର୍ଗରେ ରହିଥିଲା। ହେଲେ ବୁଧବାର ହାଇ ସିଭିୟର ବର୍ଗକୁ ଚାଲିଯାଇଛି । ବାୟୁ ମାନ ସୂଚକାଙ୍କରେ ଦିଲ୍ଲୀର ବାୟୁ ପ୍ରଦୂଷଣ ସକାଳ ୭ଟା ସୁଦ୍ଧା ୪୨୧ ହୋଇଛି ବୋଲି କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସୂଚନା ଦେଇଛି ।