କଟକ,୨୬/୦୧: ‘ବାପାଙ୍କ ଫଟୋ ହ୍ୱାଟସ୍ଆପ୍ ଷ୍ଟାଟସ୍ରେ ରଖି ସହାୟତା ମାଗିଲେ କେହି କେହି ସହଯୋଗର ହାତ ବଢ଼ାଉଛନ୍ତି । ନହେଲେ ଶହେରୁ ଅଧିକ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବାକୁ ପ୍ରତିଦିନ ୫ଶହରୁ ଅଧିକ ଟଙ୍କା ହାତରୁ ଖର୍ଚ୍ଚ କରିବାକୁ ପଡୁଛି । ବାରମ୍ବାର ପ୍ରଶାସନ ଓ ସରକାରଙ୍କ ପାଖରେ ମୁଣ୍ଡ ପିଟି ମଧ୍ୟ କେହି ଶୁଣୁନାହାନ୍ତି । ତେଣୁ କଷ୍ଟ ହେଉଥିଲେ ମଧ୍ୟ ବାପାଙ୍କ ଏହି ସ୍ୱପ୍ନର ଶିକ୍ଷାନୁଷ୍ଠାନକୁ ବନ୍ଦ କରିବାକୁ ଇଚ୍ଛା ହେଉନାହିଁ’ । -ସ୍ୱର୍ଗତ ପଦ୍ମଶ୍ରୀ ଡି.ପ୍ରକାଶ ରାଓଙ୍କ ଝିଅ ଡି.ଭାନୁପ୍ରିୟାଙ୍କ ଏଭଳି ପ୍ରତିକ୍ରିୟା ପ୍ରଶାସନିକ ସମ୍ବେଦନହୀନତାକୁ ପ୍ରମାଣିତ କରୁଛି ।
୨୦୧୯ ମସିହାରେ ପଦ୍ମଶ୍ରୀରେ ସମ୍ମାନିତ ବିଶିଷ୍ଟ ସମାଜସେବୀ ଡି.ପ୍ରକାଶ ରାଓ ନିଜେ ସ୍କୁଲ୍ ଡ୍ରପ୍ ଆଉଟ୍ ଥିଲେ । ଚା’ ଦୋକାନ କରି ପରିବାର ପ୍ରତିପୋଷଣ କରିଥିଲେ ମଧ୍ୟ ଶିକ୍ଷାର ମହତ୍ତ୍ୱ ବେଶ୍ ଭଲ ଭାବେ ବୁଝିଥିଲେ ସେ । ନିଜ ବସ୍ତିରେ ଆଉ ଯେମିତି କେହି ପିଲା ଶିକ୍ଷାରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ଆଜିକୁ ୨୨ବର୍ଷ ତଳେ ନିଜ ରହୁଥିବା ଦୁଇବଖରା ଘରରୁ ଗୋଟିଏ ବଖରାରେ ଆରମ୍ଭ କରିଥିଲେ ପାଠପଢା । ୪ଜଣ ବସ୍ତି ପିଲାଙ୍କୁ ନେ ଆରମ୍ଭ କରାଯାଇଥିବା ଏହି ଛୋଟ ପାଠଶାଳାର ନାଁ ଦେଇଥିଲେ ‘ଆଶା ଓ ଆଶ୍ୱସନା’ । ଧିରେ ଧିରେ ପିଲାଙ୍କ ସଂଖ୍ୟା ବଢିବାକୁ ଲାଗିଲା । ଚା’ ଦୋକାନରୁ ଯାହା ଯେମିତି ରୋଜଗାର ହେଉଥିଲା ସେଥିରୁ ଅଧା ଟଙ୍କା ସ୍କୁଲ୍ରେ ପିଲାମାନଙ୍କର ଖାଇବା, ପିଇବା କ୍ଷେତ୍ରରେ ଖର୍ଚ୍ଚ କରୁଥିଲେ ପ୍ରକାଶ ରାଓ । ପ୍ରକାଶଙ୍କ ସ୍କୁଲ୍ରୁ ୧୦ଜଣ ଛାତ୍ରୀ ପାଠ ଆରମ୍ଭ କରି ଯୁକ୍ତଦୁଇ ଓ ଯୁକ୍ତ ତିନି ପାଠ୍ୟକ୍ରମ ଶେଷ କରିବାକୁ ସକ୍ଷମ ହୋଇଛନ୍ତି ।
ଏବେ ସୁଦ୍ଧା ପ୍ରାୟ ୫ଶହରୁ ଅଧିକ ବସ୍ତି ପିଲା ‘ଆଶା ଓ ଆଶ୍ୱାସନା’ରୁ ଶିକ୍ଷିତ ହୋଇପାରିଛନ୍ତି । ତେବେ ୨୦୨୧ ଜାନୁଆରୀ ୧୪ରେ ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ଦେହାନ୍ତ ହୋଇଥିଲା । ମୃତ୍ୟୁ ପରେ ତାଙ୍କ ହାତଗଢା ଶିକ୍ଷାନୁଷ୍ଠାନର କୌଣସି ଅସୁବିଧା ହେବନାହିଁ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ଦୁର୍ଭାଗ୍ୟ ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ଦେହାନ୍ତ ହେବା ପରେ ତାଙ୍କ ସ୍କୁଲ୍କୁ ପ୍ରଶାସନ ତରଫରୁ ଯୋଗାଇ ଦିଆଯାଉଥିବା ମିଡ୍ ଡେ’ ମିଲ୍ ବା ମଧ୍ୟାହ୍ନ ଭୋଜନକୁ ବନ୍ଦ କରିଦିଆଯାଇଛି । ଝିଅ ଭାନୁପ୍ରିୟାଙ୍କ ତରଫରୁ ବାରମ୍ବାର ଅନୁରୋଧ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।
ଏବେ ସ୍କୁଲ୍ରେ ପ୍ରି-ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୧୦୩ ଜଣ ବସ୍ତି ପିଲା ପାଠ ପଢୁଛନ୍ତି । କିନ୍ତୁ ପ୍ରତ୍ୟେକ ଦିନ ମଧ୍ୟାହ୍ନ ଭୋଜନ ପାଇଁ ସହାୟତା ମାଗିବାକୁ ପଡ଼ୁଛି । ଯଦିଓ ସ୍କୁଲ୍ର ୮ଜଣ ଶିକ୍ଷକଶିକ୍ଷୟିତ୍ରୀଙ୍କ ଦରମା ଏବଂ ଅନ୍ୟାନ୍ୟ କିଛି ଖର୍ଚ୍ଚ ଏକ ଘରୋଇ ସଂଗଠନ ତୁଲାଇ ଦେଉଛି କିନ୍ତୁ ମଧ୍ୟାହ୍ନ ଭୋଜନ ବାବଦରେ ମାସିକ ୧୫ହଜାର ଖର୍ଚ୍ଚ କରିବା କଷ୍ଟଦାୟକ ହେଉଛି । ଏନେଇ ପ୍ରଶାସନ କିନ୍ତୁ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ ।