ଭଞ୍ଜନଗର,୧୩/୦୨: ଦିନ ଥିଲା କାରଖାନାର ଘଣ୍ଟି ବାଜିଲେ ଚଳଚଞ୍ଚଳ ହୋଇ ଉଠୁଥିଲା ଆସିକା ଅଞ୍ଚଳ । ସୂତା କଳରେ କାମ କରି ପରିବାର ପାଇଁ ଦାନା ଯୋଗାଡରୁ ଫୁରୁସତ ପାଉନଥିଲେ ପ୍ରାୟ ୧୨୦୦ ଶ୍ରମିକ । ହେଲେ କାଳକ୍ରମେ କାରଖାନା ଧୀରେ ଧୀରେ ଅଚଳ ହୋଇଗଲା । ଶ୍ରମିକ ଧର୍ମଘଟ, ବାରମ୍ବାର ମାଲିକାନା ସ୍ୱତ୍ତ୍ୱ ପରିବର୍ତ୍ତନ, ପରିଚାଳନାଗତ ତ୍ରୁଟି ଯୋଗୁଁ ଶେଷରେ କାରାଖାନାରେ ତାଲା ଝୁଲିଲା । ଛଟେଇ ହେଲେ ଶହ ଶହ କର୍ମଚାରୀ । ଜୀବିକା ହରାଇ ଭୋକରେ ଦିନ ବିତାଇଲେ ଶ୍ରମିକ ପରିବାର । କାରଖାନା ପରିସର କୃତ୍ରିମ ଜଙ୍ଗଲ ସୃଷ୍ଟି ହେଲା । ଏ ମଧ୍ୟରେ ବହୁ ବର୍ଷ ବିତିଲାଣି । ସରକାର ବଦଳିଲେଣି, ଥାନା ଓ କୋର୍ଟରେ ମାମଲା ଝୁଲୁଛି । ଅଶୀ ଦଶକର ଏକ ବୃହତ୍ ସମ୍ଭାବନା ପରବର୍ତ୍ତୀ ସମୟରେ ବିରାଟ ସମସ୍ୟାର ରୂପ ନେଲା । ସମବାୟ ନଗରୀରେ ଚିନି ଶିଳ୍ପ ସହ ସୂତା କଳକୁ ନେଇ ଯେଉଁ ସମ୍ଭାବନା ସୃଷ୍ଟି ହୋଇଥିଲା, ତାହା ଏବେ ସତ୍ତା ହରାଇ ବସିଛି । ଇତିହାସ ହେବାକୁ ଯାଉଛି ଆସିକା ସୂତା କଳ ।
ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ୱାରା ଆସିକା ସୂତା କଳର ଶିଳାନ୍ୟାସ ୧୯୮୪ ମସିହାରେ କରାଯାଇ ଥିଲା । ରାଜ୍ୟ ଶିଳ୍ପ ଉନ୍ନୟନ ନିଗମ ପରିଚାଳନାରେ ୧୯୮୭ ମସିହାରୁ ସୂତା ଉତ୍ପାଦନ ଆରମ୍ଭ ହେଲା । ପରେ ତାହା ଓଡ଼ିଶା ରାଜ୍ୟ ତନ୍ତୁବାୟ ନିଗମ (ଓଏସ୍ଟିସି)କୁ ଏବଂ ପୁଣି ରାଜ୍ୟ ସରକାରଙ୍କ ଏସିଏସ୍କୁ ହସ୍ତାନ୍ତର ହେଲା । ଆସିକା- ବାରିପଦା- ସୋନପୁର ସ୍ପିନିଂ ଲିମିଟେଡ୍ ନାମରେ ପରିଚିତ ହେଲା । ଅଳ୍ପ କିଛି ବର୍ଷ ପରେ ପରିଚାଳନାଗତ ତୃଟି ବୃଦ୍ଧି ସହ ସୂତା କଳ ସଙ୍କଟ ଆଡ଼କୁ ଗତି କଲା । କାରଖାନା ରୁଗଣ ହେବାକୁ ଲାଗିବାରୁ ରାଜ୍ୟ ସରକାର ବିଜୟ ଅଗ୍ରୱାଲଙ୍କ ମାଲିକାନାରେ ଥିବା କଲିକତାର ବାଲାଜୀ ସୂତା କଳ ନାମକ ଘରୋଇ ସୂତା କଳ ହାତକୁ ଆସିକା କାରାଖାନାକୁ ମାତ୍ର ୫ କୋଟି ୨୨ ଲକ୍ଷ ଟଙ୍କାରେ ବିକ୍ରି କରି ଦିଆଗଲା ।
ସୂତା କଳର ପରିସୀମା ପ୍ରାୟ ୬୭ ଏକର ଥିବା ବେଳେ ସମସ୍ତ ଯନ୍ତ୍ରପାତି, ଘର, ୪୦ଟି କ୍ୱାର୍ଟର, ଅତିଥି ଭବନକୁ ମିଶାଇ ପାଖାପାଖି ୧୦୦ କୋଟି ଟଙ୍କାର ସମ୍ପତ୍ତିକୁ ରାଜ୍ୟ ସରକାର ଶାଗମାଛ ଦରରେ ବିକି ଦେଇଥିବା ଅଭିଯୋଗ ହୋଇଥିଲା । କାରଖାନା ହସ୍ତାନ୍ତର ପରେ ଅଧିକାଂଶ ଶ୍ରମିକ ଛଟେଇର ଶୀକାର ହେଲେ । ୧୨୦୦ରୁ ମାତ୍ର ୪୫୦ ଶ୍ରମିକ (ଅର୍ଦ୍ଧାଧିକ ମହିଳା) ନିୟୋଜିତ ହେଲେ । କିଛି ଦିନ ଚାଲିବା ପରେ ଶ୍ରମିକଙ୍କ ସହ ବିବାଦକୁ ନେଇ ମାଲିକ ହଠାତ୍ ସୂତା କଳ ବନ୍ଦ କରିଦଲେ । ଲଗାତର ଆନ୍ଦୋଳନ, ଧର୍ମଘଟ, ଶ୍ରମିକ ଛଟେଇକୁ ନେଇ ମାମଲା ଅଦାଲତରେ ପହଞ୍ଚିଲା । ଛଟେଇ ଶ୍ରମିକ ପେଟପାଟଣା ପାଇଁ ବାଧ୍ୟ ହୋଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଗଲେ । ଯଦିଓ କମ୍ପାନୀ କିଛି ଶ୍ରମିକଙ୍କୁ ବାଧ୍ୟତାମୂକଳ ଅବସର ମଞ୍ଜୁର କରିବାରୁ ଶ୍ରମିକମାନେ ଇପିଏଫ୍ଓ ଏବଂ ଭତ୍ତା ପାଇଲେ, ହେଲେ ସବୁଦିନ ପାଇଁ ହାତପାହାନ୍ତାରୁ ଜୀବିକା ହରାଇଲେ ।
ଲୋକେ ସୂତା କଳ ପାଇଁ ସେମାନଙ୍କ ଜମିକୁ ସରକାରଙ୍କ ହାତକୁ ଟେକି ଦେଇଥିଲେ । ଅଥଚ ସ୍ଥାନୀୟ ଅଞ୍ଚଳରେ କର୍ମନିଯୁକ୍ତି ସୃଷ୍ଟି ସହ ଶିଳ୍ପର ବିକାଶ ପାଇଁ ହୋଇଥିବା ଯୋଜନା କାଳକ୍ରମେ ପଥଭ୍ରଷ୍ଟ ହୋଇଗଲା । ୨୦୦୨ ମସିହା ବେଳକୁ ସୂତା କଳ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥିଲା । ତଥାପି ଏକ ଘରୋଇ ସଂସ୍ଥା ତାକୁ କିଣି ପ୍ଲଟିଂ ବ୍ୟବସାୟ ନିମନ୍ତେ ଉଦ୍ୟମ କରୁଥିବା ଅଭିଯୋଗ ଉଠିଥିଲା । ସ୍ଥାନୀୟ ବାସିନ୍ଦା ତାହାର ବିରୋଧ କରିଥିଲେ । ଏବେ ସୂତା କଳରେ ତାଲା ଝୁଲୁଛି । ଯଦିଓ ଏବେବି ଫାଟକ ଆଗରେ ଚୌକିଦାର ହାଜିରା ପକାଉଛି କିନ୍ତୁ ଭିତର ପରିସର ଜଙ୍ଗଲ ହୋଇସାରିଥିବା ବେଳେ କାରଖାନା ଭୂତକୋଠା ପାଲଟି ଗଲାଣି । ସୂତା କଳର ଜମି ଓ ଜରାଜୀର୍ଣ୍ଣ ଘରଗୁଡିକୁ ବିକା ଭଙ୍ଗା କରିବାକୁ ମାଲିକ ସୁଯୋଗ ଖୋଜୁଛି । ସ୍ଥାନୀୟ ବାସିନ୍ଦା, ଶ୍ରମିକ ନେତା, ଛଟେଇ କର୍ମଚାରୀ ଓ ବୁଦ୍ଧିଜୀବୀଙ୍କ କହିବା କଥା ସେଠାରେ ଅନ୍ୟ କୌଣସି କାରଖାନାଟିଏ ଗଢି ଉଠୁ ଯାହାକି ସ୍ଥାନୀୟ ଲୋକଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦେବ ।
ସମବାୟ ଓ ଶିଳ୍ପ ନଗରୀ ଭାବେ ପରିଚିତ ଆସିକାରେ ଏବେବି ଅନେକ ଲୋକ ବିଶ୍ୱାସ ରଖିଛନ୍ତି ଯେ ଯଦି ରାଜ୍ୟ ସରକାର ଚେଷ୍ଟା କରନ୍ତି ପୁଣି ଥରେ ସୂତା କଳ ଆରମ୍ଭ ହେବ । ପରୋକ୍ଷ ଓ ପ୍ରତ୍ୟକ୍ଷରେ ହଜାର ହଜାର ପରିବାର ନିଜର ଗୁଜୁରାଣ ମେଣ୍ଟାଇବାକୁ ସକ୍ଷମ ହୋଇପାରନ୍ତେ । ଏବେ ରାଜ୍ୟ ସରକାର ଶିଳ୍ପର ଅଭିବୃଦ୍ଧି ପାଇଁ ଅନେକ ସଫଳ ପ୍ରୟୋଗ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ କପା ଚାଷକୁ ପ୍ରୋତ୍ସାହନ ଦିଆଯାଉଛି । ଏଥିରୁ ଆସିକା ସୂତା କଳକୁ କଞ୍ଚାମାଲ ମିଳିବାରେ ସମସ୍ୟା ହେବନି । ବରଂ ଭଞ୍ଜନଗର ଠାରୁ ଆରମ୍ଭ କରି ହିଞ୍ଜିଳିକାଟୁ, ଦିଗପହଣ୍ଡି ଯାଏଁ ବହୁ ଅଞ୍ଚଳର ବନ୍ଦ ପଡିଥିବା ହସ୍ତତନ୍ତର ପୁନରୁଦ୍ଧାର ହୋଇପାରନ୍ତା । ଲୋକଙ୍କୁ ଦାଦନ ଖଟିବାକୁ ବାହାରକୁ ଯିବାକୁ ପଡି ନଥାନ୍ତା ବୋଲି ବୁଦ୍ଧଜୀବୀ ମତ ଦିଅନ୍ତି ।