ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭୋଟ୍‌ ପ୍ରତିଶତ ବଢ଼ାଇବାକୁ ବିଜେପିର ତଗଡ଼ା ରଣନୀତି, ଓଡ଼ିଶା ନେତାଙ୍କୁ ୧୦୦ ଦିନିଆ ଟାସ୍କ

ଭୁବନେଶ୍ୱର, ୨୦/୦୨ : ରାମମନ୍ଦିର ନିର୍ମାଣ ପଛରେ ଥିବା ସଂଘର୍ଷ କଥା ଲୋକଙ୍କୁ କୁହ। ଶହ ଶହ ବର୍ଷର ସଂଘର୍ଷ ପରେ ଏହାର ନିର୍ମାଣ ସମ୍ଭବ ହୋଇଛି। ଏଥିପାଇଁ ବିଜେପି ନେତାଙ୍କ ତ୍ୟାଗ ଓ ବଳିଦାନ କାହାକୁ ଅଛପା ନୁହେଁ। ଏ କଥା ଗାଁରୁ ଗାଁକୁ କହି ବୁଲିବେ ବିଜେପି ନେତା ଓ କର୍ମୀ। ପ୍ରତିଦିନ ପଞ୍ଚାୟତସ୍ତରରେ କାର୍ଯ୍ୟକ୍ରମ ହେବ। ନୂଆ କରି ଭୋଟ୍‌ ଦେଉଥିବା ପ୍ରାୟ ୫ଲକ୍ଷ ଭୋଟରଙ୍କୁ ନିଜ ଆଡ଼କୁ ଟାଣିବାକୁ ଯୋଜନା କରିବେ। ଏଥିପାଇଁ ଓଡ଼ିଶାର ବିଜେପି ନେତାଙ୍କୁ ୧୦୦ଦିନିଆ ଟାସ୍କ ଦେଇଛନ୍ତି ବିଜେପିର ଶୀର୍ଷ ନେତୃତ୍ୱ । 

ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନରେ ଓଡ଼ିଶାରୁ ୨୮୮ ନେତା ଦିଲ୍ଲୀ ଯାଇଥିଲେ। ଦୁଇ ଦିନର ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ଅନ୍ୟ ବରିଷ୍ଠ ନେତାଙ୍କ ସହ ଆରଏସଏସ୍‌ର ସଂଗଠକମାନେ ସେମାନଙ୍କୁ ମାର୍ଗଦର୍ଶନ କରିଥିଲେ। ହେଲେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିଲା ଶାହଙ୍କ ସହ ୪୫ମିନିଟ୍‌ର ରୁଦ୍ଧଦ୍ୱାର ବୈଠକ। ଏଥିରେ ଆଗାମୀ ନିର୍ବାଚନକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଦଳର ନିର୍ବାଚନ ରଣନୀତି ଏବଂ ଓଡ଼ିଶା ପ୍ରସଙ୍ଗରେ ବିଜେପିର ଆଭିମୁଖ୍ୟ ନେଇ ଶାହ ଅନେକ ସଙ୍କେତ ଦେଇଥିଲେ । ତେବେ ଦଳର ଶୀର୍ଷସ୍ତରରୁ ନେଇ ତୃଣମୂଳସ୍ତରର ନେତା ଓ କର୍ମୀମାନେ ଦିନରାତି ଏକ କରି ଲାଗି ପଡ଼ିବାକୁ ଶାହ ବାର୍ତ୍ତା ଦେଇଛନ୍ତି । ନିର୍ବାଚନ ପାଇଁ କଠିନରୁ କଠିନ ପରିଶ୍ରମ କଲେ ଗତଥରଠାରୁ ଆହୁରି ଭଲ ଫଳ ମିଳିବ । ବିଶେଷ କରି ଦଳ ହାରିଥିବା ୧୩ ଲୋକସଭା ସିଟ୍‌ରେ ଏଥର କେମିତି ବାଜିମାତ୍‌ କରିବ ସେଥିପାଇଁ ତଗଡ଼ା ରଣନୀତି ହୋଇଛି ବୋଲି ଜଣେ ନେତା ନିଜ ନାମ ଗୋପନ ରଖି କହିଛନ୍ତି । ଲାଭାର୍ଥୀ ସମ୍ପର୍କ ଓ ବୁଥ୍‌କୁ ଚାଲ ଅଭିଯାନକୁ ଜୋରଦାର କରିବାକୁ ଶାହ ନିର୍ଦ୍ଦେଶ ଦେଇଛନ୍ତି । 

ଏବେଠାରୁ ପ୍ରତିଟି ସମୟ ନିର୍ବାଚନ ପ୍ରସ୍ତୁତି ପାଇଁ ଲାଗି ପଡ଼। ପାଖାପାଖି ୪ଲକ୍ଷ ୭୦ ହଜାର ଯୁବବର୍ଗ ଏଥର ପ୍ରଥମଥର ପାଇଁ ଭୋଟ୍‌ ଦେବେ । ୧୮ରୁ ୧୯ ବର୍ଷ ବୟସ୍କ ସାଢ଼େ ୭ଲକ୍ଷ ଭୋଟରଙ୍କୁ ନିଜ ଆଡ଼କୁ ଟାଣିବାକୁ କାର୍ଯ୍ୟକ୍ରମ କରିବାକୁ ଶାହ ପରାମର୍ଶ ଦେଇଛନ୍ତି । ପିଏମ୍‌ ଆବାସ, ସବୁ ଘରକୁ ପିଇବା ପାଣି, ପିଏମ୍‌ କିଷାନ, ଉଜ୍ଜଳା, ୩୭୦ ଧାରା ଉଚ୍ଛେଦ, ଟ୍ରିପଲ୍‌ ତଲାକ୍‌ ଆଇନରେ ସଂଶୋଧନ, ସଂସଦରେ ମହିଳାଙ୍କ ପାଇଁ ସଂରକ୍ଷଣ ଭଳି ଅନେକ ଐତିହାସିକ ପଦକ୍ଷେପକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ମଧ୍ୟ ନିର୍ଦ୍ଦେଶ ମିଳିଛି । ଗାଁକୁ ଚାଲ ଓ ବୁଥକୁ ଚାଲ କାର୍ଯ୍ୟକ୍ରମକୁ ଜୋର୍‌ଦାର କରାଯିବ । ପଞ୍ଚାୟତରେ ପ୍ରତିଦିନ କିଛି ନା କିଛି କାର୍ଯ୍ୟକ୍ରମ ହେବ । ଆସନ୍ତା ୨୨ ତାରିଖରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବ୍ରହ୍ମପୁର, ନବରଙ୍ଗପୁର ଓ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ବିଜେପି ସଭାରେ ଯୋଗ ଦେବେ । ମାର୍ଚ୍ଚ ପ୍ରଥମ ସପ୍ତାହରେ ମୋଦି ଆସିବେ । ନିର୍ବାଚନ ପାଇଁ ସବୁ ବଳ ଲଗାଇଦେବାକୁ ନେତାମାନଙ୍କୁ କୁହାଯାଇଛି । 

ଶୀର୍ଷ ନେତୃତ୍ୱ ଦେଇଥିବା ମନ୍ତ୍ରକୁ ନେଇ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ୧୦୦ଦିନର କ୍ୟାଲେଣ୍ଡର ହୋଇଛି । କେନ୍ଦ୍ରସ୍ତରରୁ ବୁଥ୍‌ସ୍ତରର ନେତାଙ୍କୁ କାର୍ଯ୍ୟକ୍ରମ କରିବାକୁ କୁହାଯାଇଛି । ବୁଥ୍‌କୁ ଚାଲ ଅଭିଯାନ ଓ ଗାଁକୁ ଚାଲ ଅଭିଯାନ ଜୋରଦାର ହେବ । ରାଜନୈତିକ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ ବୋଲି ସେ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ କହିଛନ୍ତି, ମୋଦି ଆମକୁ ୧୦୦ ଦିନର ଟାର୍ଗେଟ ଦେଇଛନ୍ତି । ଲାଭାର୍ଥୀଙ୍କ ସହ ସମ୍ପର୍କରେ ରହିବା ସହ ଲୋକଙ୍କ ପାଖରେ ମୋଦିଙ୍କ ବାର୍ତ୍ତା ପହଞ୍ଚାଇବେ । ୧୦ ବର୍ଷରେ ମୋଦି ସରକାର କରିଥିବା କାମ ସମ୍ପର୍କରେ ଲୋକଙ୍କୁ ଜଣାଇବ ଦଳ  । ଏନଡିଏ ମେଣ୍ଟ ୪୦୦ ପାର୍‌ କରିବା ସହ ବିଜେପି ଏକାକୀ ୩୭୦ ଲୋକସଭା ସିଟ୍‌ ଜିତିବାକୁ ଲକ୍ଷ୍ୟ ରହିଛି । ସବୁ ରାଜ୍ୟରେ ଅଲଗା ଅଲଗା ରାଜନୈତିକ ପରିସ୍ଥିତି ଅଛି । ଓଡ଼ିଶା ପାଇଁ ସ୍ୱତନ୍ତ୍ର ଯୋଜନା ହୋଇଛି । ରାଜ୍ୟରେ ବି ଡବଲ ଇଞ୍ଜିନ ସରକାର ହେବ ବୋଲି ସେ ଦୃଢ଼ୋକ୍ତି କରିଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.