ଭଞ୍ଜନଗର,୦୪/୧୧: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜନୈତିକ କ୍ୟାରିୟର୍କୁ ନଜର ପକାଇଲେ ଗଞ୍ଜାମ ଓ କଟକ ଜିଲ୍ଲା କିଭଳି ଗୁରୁତ୍ୱ ବହନ କରେ ତାହା ସ୍ପଷ୍ଟ ହୁଏ । ଦେଶ ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ ୧୯୪୬ ମସିହାରେ ଯେତେବେଳେ ନିର୍ବାଚନ ହୋଇଥିଲା ସେତେବେଳେ ନର୍ଥ କଟକ (ଉତ୍ତର କଟକ)ରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସେ । ତେବେ ସ୍ୱାଧୀନତା ପରବର୍ତ୍ତୀ ସମୟରେ ୧୯୫୨ ମସିହାରେ ବିଜୁ ବାବୁ ପ୍ରଥମ କରି ତତ୍କାଳୀନ ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢ଼ିଥିଲେ ଏବଂ ଜିତିଥିଲେ ମଧ୍ୟ । ଏଣୁ ଯଦି ସ୍ୱାଧୀନତା ପରବର୍ତ୍ତୀ ସମୟକୁ ଦେଖାଯାଏ ତେବେ ସେ ନିଜ ଭିଟାମାଟି ଗଞ୍ଜାମ ଜିଲ୍ଲାରୁ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ପସନ୍ଦ କରିଥିବା ଜଣାଯାଏ ।
ତେବେ ୧୯୫୭ ମସିହା ନିର୍ବାଚନ ବେଳକୁ ସୋରଡା ବିଧାନସଭା କ୍ଷେତ୍ରରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ବିଜୁ ବାବୁ । ଯେତେବେଳେ ସୋରଡା ନିର୍ବାଚନମଣ୍ଡଳୀ ନୂଆ କରି ଗଠିତ ହୋଇଥିଲା । ଆଉ ସେଠିକାର ପ୍ରଥମ ବିଧାୟକ ହୋଇଥିଲେ ବିଜୁ ପଟ୍ଟନାୟକ । ଉଲ୍ଲେଖନୀୟ ଭାବେ ସେତେବେଳେ ସେ କଂଗ୍ରେସ ଦଳରୁ ନିର୍ବାଚନ ଲଢିଥିଲେ ଓ ବିପୁଳ ଭୋଟରେ ବିଜୟ ଲାଭ କରିଥିଲେ । ତାହା ତାଙ୍କ ଲୋକପ୍ରିୟତାର ପରିଚାୟକ ଥିଲା । ଇତିହାସ ପୃଷ୍ଠାକୁ ଅବଲୋକନ କଲେ ଜଣାଯାଏ ଯେ- ବିଜୁ ପଟ୍ଟନାୟକ ପ୍ରଥମେ ଓଡ଼ିଶାରେ କଂଗ୍ରେସ ଦଳର ନେତୃତ୍ୱ ନେଉଥିଲେ । ଆଉ ସେ ନିଜ ଜିଲ୍ଲା ଗଞ୍ଜାମର ଭଞ୍ଜନଗର ବିଧାନସଭା କ୍ଷେତ୍ରରେ ବାମପନ୍ଥୀ ଦଳର ଦବ୍ଦବା ଥିବା ଦେଖି ସେହି ନିର୍ବାଚନମଣ୍ଡଳୀ ବଦଳରେ ସୋରଡା ବିଧାନସଭା କ୍ଷେତ୍ରକୁ ଅଧିକ ପସନ୍ଦ କରିଥିଲେ ।
ନିଜର ରାଜନୈତିକ ଭାଗ୍ୟ ସୋରଡା ବିଧାନସଭା କ୍ଷେତ୍ରରୁ ପରୀକ୍ଷା କରିଥିଲେ । ଉକ୍ତ ନିର୍ବାଚନମଣ୍ଡଳୀର ପ୍ରଥମ ବିଧାୟକ ହେବାର ସୌଭାଗ୍ୟ ମଧ୍ୟ ଲାଭ କରିଥିଲେ । ନିଜର ଲମ୍ବା ରାଜନୈତିକ ଜୀବନରେ ସେ ଖାସ୍ ସେଇଥିପାଇଁ ନିଜର ପୈତୃକ ଜିଲ୍ଲା ଗଞ୍ଜାମ ମାଟିକୁ ଭୁଲିପାରିନଥିଲେ । ପରେ ଅବଶ୍ୟ ରାଜନୈତିକ ଦଳ ପରିବର୍ତ୍ତନ ସହ ଅନେକ ଉତ୍ଥାନ ପତନ ଦେଇ ଗତି କରିଥିଲେ ବିଜୁବାବୁ । ରାଜ୍ୟରେ ଅଣକଂଗ୍ରେସ ରାଜନୀତିର ମୂଳଦୁଆ ମଧ୍ୟ ତାଙ୍କ ଦ୍ୱାରା ହିଁ ପଡିଥିଲା । ବିଜୁ ବାବୁ ଦ୍ୱିତୀୟ ଥର ଆଉ ସୋରଡା ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢି ନଥିଲେ ।