କଟକ,୨୬/୦୨: ଶନିବାର ହୋଇଥିବା ସିବିଏସ୍ଇ ଦଶମ ଓଡ଼ିଆ ପରୀକ୍ଷାରେ କେତେଗୁଡ଼ିଏ ପ୍ରଶ୍ନରେ ତ୍ରୁଟି ଥିବା ଛାତ୍ରଛାତ୍ରୀ ତଥା ଅଭିଭାବକ ଅଭିଯୋଗ କରିଛନ୍ତି । ପ୍ରଥମ ପ୍ରଶ୍ନରେ ‘ସର୍ବାଙ୍ଗୀନ ଉନ୍ନତି’ ବଦଳରେ ‘ସର୍ବାଙ୍ଗୀଣ ଉନ୍ନତି’ ହୋଇଛି । ସେହିପରି ୫ ନମ୍ବର ପ୍ରଶ୍ନରେ ‘ରାଜାଙ୍କ ଦରବାରକୁ ଆସି’ ବଦଳରେ ‘ରାଜାଙ୍କ ଦରକାରକୁ ଆସି’ ହୋଇଛି ।
୧୪ ନମ୍ବର ପ୍ରଶ୍ନରେ ‘ଆପଣ କ’ଣ କଳିଙ୍ଗର ମହାରାଜ’ ବଦଳରେ ‘ଆପଣ କ’ଣ କବିଙ୍ଗର ମହାରାଜ’ ଲେଖାଯାଇଥିଲା । ଏଭଳି ତ୍ରୁଟିପୂର୍ଣ୍ଣ ପ୍ରଶ୍ନକୁ ନେଇ ପରୀକ୍ଷାର୍ଥୀ ଦ୍ୱନ୍ଦ୍ୱରେ ପଡ଼ିଥିଲେ । ପରୀକ୍ଷା ହଲ୍ରେ ନିରବ ରହିବାକୁ କୁହାଯାଇଥିବାରୁ ପରୀକ୍ଷାର୍ଥୀ ପ୍ରଶ୍ନ ଛାଡ଼ିବାକୁ ବାଧ୍ୟ ହୋଇଥିଲେ । ଗୋଟେ ବିଷୟର ତିନୋଟି ପ୍ରଶ୍ନରେ ଭୁଲ ଥିବାରୁ ମାର୍କ କମିବାର ଆଶଙ୍କା ରହିଥିବା ଛାତ୍ରଛାତ୍ରୀମାନେ କହିଛନ୍ତି । ଅଭିଭାବକ ମଧ୍ୟ ଏଥିପାଇଁ ଅସନ୍ତୋଷ ପ୍ରକାଶ କରିଛନ୍ତି ।