ପ୍ରମୁଖ ଖବର
  • ବୌଦ୍ଧ : ବାଇକ୍କୁ ଧକ୍କା ଦେଲା ରେଲୱେ ବିଭାଗର ବୋଲେରୋ, ବାଇକ୍ ଆରୋହୀ ମୃତ
  • ||
  • ଖରସ୍ରୋତାରେ ୨ ଭାଇ ନିଖୋଜ ଘଟଣା, ବଡ଼ଭାଇର ମୃତଦେହ ଉଦ୍ଧାର
  • ||
  • ବରଗଡ଼: ଡ଼ଭା ଛକରେ ପୋଲିସର ଚେକିଂ ବେଳେ ୬ ଲକ୍ଷ ୫୨ ହଜାର ୮୦୦ଟଙ୍କା ଜବତ, ୨ ଜଣ ଅଟକ
  • ||
  • ନନ୍ଦନକାନନରେ ଆଖିବୁଜିଲା ଧଳା ବାଘୁଣୀ ସ୍ନେହା, ଗୁରୁତର ଅବସ୍ଥାରେ ଚାଲିଥିଲା ଚିକିତ୍ସା
  • ||
  • ନିର୍ଘାତ ତାତି: ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ତାଳଚେର ତାପମାତ୍ରା, ୩୦ ଡିଗ୍ରୀ ଉପରେ ୧୪ ସହର ପାରଦ
  • ||
  • ସୁନା ଦରରେ ଲାଗିଲା ବ୍ରେକ୍‌, ୨୪ କ୍ୟାରେଟ୍‌ ସୁନା ଦର ୩୩୦ ଟଙ୍କା ହ୍ରାସ
  • ||
  • ବିଦ୍ରୋହୀ ବିଗାଡ଼ିବେ ଅଙ୍କ, ଚିନ୍ତାରେ ବିଜେପି: ପ୍ରଥମ ଦଫା ଭୋଟ ପାଇଁ ନାମାଙ୍କନ ଆରମ୍ଭ,ଜୟପୁର ପାଇଁ ପ୍ରାର୍ଥୀ ପାଉନି ଦଳ
  • ||
  • ନିୟମଗିରିରେ ମ୍ୟାଲେରିଆ ଆତଙ୍କ: ବହୁସଂଖ୍ୟାରେ ଡଙ୍ଗରିଆ ପୀଡ଼ିତ, ପହଞ୍ଚିଲା ଡାକ୍ତରୀ ଟିମ୍
  • ||
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

ବିଶ୍ୱସ୍ତରୀୟ ବାବା ସାହେବ ଭୀମ ରାଓ ଆମ୍ବେଦକର ବସ ଟର୍ମିନାଲ ଲୋକାର୍ପିତ, ୫-ଟି ଉପକ୍ରମରେ ପାଇଲା ନୂଆ ପରିଚୟ

ଭୁବନେଶ୍ୱର,୦୨/୦୩: କାଦୁଅ ପଚପଚ । ପରିସ୍ରା ଦୁର୍ଗନ୍ଧ । ଅବହେଳିତ ଅବସ୍ଥାରେ ପଡିରହିଥିବା ବରମୁଣ୍ଡା ବସ୍‌ଷ୍ଟାଣ୍ଡର ଭାଗ୍ୟ ବଦଳିଛି । ଏୟାରପୋର୍ଟ ଭଳି ରୂପାନ୍ତରୀକରଣ ହୋଇଛି । ୫-ଟି ଉପକ୍ରମରେ ବସ୍‌ଷ୍ଟାଣ୍ଡ ନୂଆ ପରିଚୟ ପାଇଛି । କାଦୁଅ ପଚପଚରୁ ପାଲଟି ଯାଇଛି ବିଶ୍ୱସ୍ତରୀୟ । ଦୀର୍ଘ ବର୍ଷ ଧରି ଏହି ବସ୍‌ଷ୍ଟାଣ୍ଡ ପ୍ରକଳ୍ପ ପଡି ରହିଥିଲା । କାର୍ଯ୍ୟ ଆଗଉନଥିଲା । ଏନେଇ ୫ଟି ଅଧ୍ୟକ୍ଷଙ୍କ ତତ୍ତ୍ୱାବଧାନରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ପ୍ରକଳ୍ପ କାର୍ଯ୍ୟ ଆଗେଇଥିଲା । ବିଡିଏର ନୂଆ ଉପାଧ୍ୟକ୍ଷ ଭାବେ ଯୋଗଦେବା ପରେ ବଲୱନ୍ତ ସିଂଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଏହା ପରେ ତ୍ୱରିତ ବେଗରେ କାର୍ଯ୍ୟ ଆରମ୍ଭ ହୋଇଥିଲା । ବିଡିଏ ପକ୍ଷରୁ ରାତିଦିନ କାର୍ଯ୍ୟ କରି ଏହି କାମ ଆରମ୍ଭ ହୋଇଥିଲା । 

ବରମୁଣ୍ଡା ଅଞ୍ଚଳର ପ୍ରାୟ ୧୭ ଏକର ଜମିରେ ଏହି ବିଶ୍ୱସ୍ତରୀୟ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯାଇଛି । ଏଥିପାଇଁ ରାଜ୍ୟ ସରକାର ମୋଟ୍‌ ୨୧୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ବସ୍‌ ଟର୍ମିନାଲରେ ଏୟାରପୋର୍ଟ ଭଳି ସମସ୍ତ ସୁବିଧା ସୁଯୋଗ ରହିଛି । ଏଥିରେ ସ୍ୱତନ୍ତ୍‌ ପାର୍କିଂ ବ୍ୟବସ୍ଥା ରହିଛି। ଏକାଥରେ ୧୦୦ ଅଟୋ, ୨୦ କାର ୮୫ ଗାଡି ପାର୍କିଂ କରିହେବ । 

ବାବା ସାହେବ ଭୀମ ରାଓ ଆମ୍ବେଦକର ବସ ଟର୍ମିନାଲରେ ୯୦୦ ବର୍ଗଫୁଟ ଅଞ୍ଚଳରେ ଏକ ସ୍ୱତନ୍ତ୍ର ଗ୍ୟାଲେରୀ  ନିର୍ମାଣ କରାଯାଇଛି । ଡିଜିଟାଲ ଜ୍ଞାନକୌଶଳ ବ୍ୟବହାର କରାଯାଇ ଡକ୍ଟର ଆମ୍ବେଦକରଙ୍କ ଜୀବନୀ ଓ ଆଦର୍ଶକୁ ଏଠାରେ ସୁନ୍ଦର  ଭାବରେ ଉପସ୍ଥାପିତ କରାଯାଇଛି । ଭାରତୀୟ ସମ୍ବିଧାନର ଏକ ନକଲ ସହିତ ବାବା ସାହେବ ଦ୍ୱାରା ବ୍ୟବହୃତ ବିଭିନ୍ନ ସାମଗ୍ରୀ ମଧ୍ୟ ଏଠାରେ ପ୍ରଦର୍ଶିତ ହୋଇଛି ।

୨୮ ହଜାର ୧୨୪ ବର୍ଗ ମିଟର ଅଂଚଳରେ ନିର୍ମିତ ଟର୍ମିନାଲ ବିଲ୍ଡିଂର ବେସମେଣ୍ଟ ଏରିଆ ରହିଛି ୫୧୩୦ ବର୍ଗ ମିଟର । ୯୪୪୯ ବର୍ଗ ମିଟର ଏରିଆରେ ନିର୍ମିତ ଗ୍ରାଉଣ୍ଡ ଫ୍ଲୋରରେ ରହିଛି ୧୨୨ଟି ଦୋକାନ । ୯୨୨୬ ବର୍ଗ ମିଟରରେ ନିର୍ମିତ ପ୍ରଥମ ମହଲାରେ ୮ଟି ଦୋକାନ ଥିଲାବେଳେ ଦ୍ୱିତୀୟ ମହଲାର ଆୟତନ ରହିଛି ୯୪୪୯ ବର୍ଗ ମିଟର । ଟର୍ମିନାଲ ବିଲ୍ଡିଂରେ ମୋଟ ୫ଟି ଲିଫ୍ଟ ଲାଗିଛି । ୨ଟି ଏସ୍କାଲେଟର ରହିଛି । ୧୨୦ଟି ସିସିଟିଭି କ୍ୟାମେରା ଜରିଆରେ ସୁରକ୍ଷା କର୍ମୀ ପୁରା ବସଷ୍ଟାଣ୍ଡ ଉପରେ ନଜର ରଖିବେ ।

ବସଷ୍ଟାଣ୍ଡରେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ହୋଇଛି । ବସ୍‌ ଟର୍ମିନାଲ ଭିତରେ ସ୍ୱେରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ମଧ୍ୟ ନିର୍ମାଣ କରାଯାଇଛି । ଏହା ସହ ଶିଶୁମାନଙ୍କ ଖେଳିବା ପାଇଁ ସ୍ୱତନ୍ତ୍ର ଗ୍ୟାଲେରି କରାଯାଇଛି । ବେବି ଫିଡିଙ୍ଗ ରୁମ ମଧ୍ୟ ରହିଛି । ବସ୍‌ଟର୍ମିନାଲ ଭିତରେ ମୋଟ୍‌ ୧୨୯ଟି ଦୋକାନ ଘର ରହିଛି । ଓସ୍‌ଆରଟିସି ଟିକେଟ୍‌ କାଉଣ୍ଟର, ମିଶନ ଶକ୍ତି କାଫେ, ଓରାମାସ, କୋରାପୁଟ କଫି, ଓଟିଡିସି କାଫେ, ଅଧାର କେନ୍ଦ୍ର ରହିଛି ।

ଏଆଇରେ ପରିଚାଳନା ହେବ



ଅତ୍ୟାଧୁନିକ ଜ୍ଞାନ କୌଶଳ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଜରିଆରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ପରିଚାଳନା ହେବ । ବିଡିଏ ପକ୍ଷରୁ ଏନେଇ ଏକ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି । ଫାୟାରଷ୍ଟେସନ ଛକରେ ରେଡିଓ ଫିକ୍ୟୁଏନ୍ସି ଆଇଡେଣ୍ଟିଫିକେସନ ସିଷ୍ଟମ ଲାଗିବ । ଫଳରେ କଟକ ପଟୁ ଆସୁଥିବା ବସ୍‌ ଫାୟାର ଷ୍ଟେସନ ଅତିକ୍ରମ କରିବା ମାତ୍ରେ ବସ୍‌ରେ ଲାଗିଥିବା ଫାଷ୍ଟଟ୍ରାକ ସ୍ୱୟଂକୃତ ଭାବେ କ୍ରିୟାଶୀଳ ହୋଇଯିବ । ଏହା ପରେ ବରମୁଣ୍ଡା ବସ୍‌ ଟର୍ମିନାଲରେ ଥିବା କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମ ଆପେ କ୍ରିୟାଶୀଳ ହୋଇଯିବ । ସେଥିରେ ଲାଗିଥିବା ସ୍ୱତନ୍ତ୍ର ସଫ୍ଟୱେର ଜରିଆରେ କେଉଁ ବସ୍‌ବେ ଫାଙ୍କା ରହିଛି ଡ୍ରାଇଭରଙ୍କୁ ନିର୍ଦ୍ଦେଶ ଆସିବ । ଗାଡି ପ୍ରବେଶ ମାତ୍ରେ, ବସ୍‌ର ପୁରା ବିବରଣୀ, ଛାଡିବା ସମୟ ସବୁ ଆପେ ଆପେ ବଡ ବଡ ଡିସପ୍ଲେରେ ଦେଖାଇବ । ସେହିପରି ବ୍ରହ୍ମପୁର ପଟୁ ଆସୁଥିବା ଗାଡି ପାଇଁ ଖଣ୍ଡଗିରି ଛକରେ ରେଡିଓ ଫିକ୍ୟୁଏନ୍ସି ଆଇଡେଣ୍ଟିଫିକେସନ ସିଷ୍ଟମ ଲାଗିବ । ବସଷ୍ଟାଣ୍ଟରେ ମୋଟ୍‌ ୫୦ଟି ବସ୍‌ ବେ ରହିଛି । ସେଥିମରେ ୪୪ଟି ବସ୍‌ ବେ ସାଧାରଣ ବସ୍‌ ପାଇଁ ରହିବ । ବାକି ୬ଟି ସିଟି ବସ୍‌ ପାଇଁ ରହିବ ।

କେମିତି ଯାତ୍ରୀ ପ୍ରବେଶ କରିବେ 

ବରମୁଣ୍ଡା ବିଏସ୍‌ଏବିଟିକୁ ଯିବାକୁ ଚାହୁଁଥିବା ଯାତ୍ରୀ ଟାଟା ମୋଟର୍ସ ନିକଟରେ ଥିବା ପ୍ରବେଶ ପଥରେ ଯିବେ । ସେଠାରେ ବସ୍‌ଷ୍ଟାଣ୍ଡକୁ ପ୍ରବେଶ କରିବେ । ପ୍ରବେଶ ପୂର୍ବରୁ ସେଠାରେ ଉପସ୍ଥିତ ସିକ୍ୟୁରିଟି ଗାର୍ଡ ବ୍ୟାଗେଜ୍‌ କାଉଣ୍ଟରରେ ବ୍ୟାଗ୍‌ ଯାଞ୍ଚ କରିବେ । ଏହା ପରେ ଜଣେ ଯାତ୍ରୀ ଓଏସ୍‌ଆରଟିସି, ଘରୋଇ ବସ୍‌ ଟିକେଟ୍‌ କାଉଣ୍ଟରରେ ଟିକେଟ୍‌ କାଟି ପାରିବେ । ବସ୍‌ଯାତ୍ରୀଙ୍କ ଅପକ୍ଷୋ କରିବାକୁ ସ୍ୱତନ୍ତ୍ର ଲାଉଞ୍ଜ ବ୍ୟବସ୍ଥା ହୋଇଛି । ଗାଡି ବସ୍‌ ବେରେ ଲାଗିବା ମାତ୍ରେ ସ୍ୱତନ୍ତ୍ର ଡିସ୍‌ପ୍ଲେରେ ସୋ କରିବ । ଗାଡି ଲାଗିବାର ଠିକ୍‌ ୮ ମିନିଟ୍‌ ମଧ୍ୟରେ ଗାଡି ଛାଡିବ । ସେହିପରି ଯେଉଁମାନେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଭିତରେ ଓହ୍ଲାଇବେ । ସେମାନେ ସହର ଭିତରକୁ ଯିବାକୁ ଚାହୁଁଥିିଲେ ମୋ ବସ୍‌ ଜରିଆରେ ଯାଇ ପାରିବେ । 

ବସ୍‌ଷ୍ଟାଣ୍ଡ ଭିତରେ ମେଡିକାଲ ସେବା 


ବସ୍‌ଷ୍ଟାଣ୍ଡ ଭିତରେ ମେଡିକାଲ ସେବା ଉପଲବ୍ଧ ହେବ । ଜରୁରୀକାଳୀନ ସେବା ପାଇଁ ଟର୍ମିନାଲ ଭିତରେ ମେଡିକାଲ ଆଉଟ୍‌ ପୋଷ୍ଟ ଖୋଲାଯାଇଛି । ସକାଳ ୭ଟାରୁ ରାତି ୯.୩୦ ପର୍ଯ୍ୟନ୍ତ ଏହି ମେଡିକାଲ ଖୋଲା ରହିବ । ଏଥିରେ ଜଣେ ଡାକ୍ତର, ନର୍ସ, ପାରା ମେଡିକାଲ ଷ୍ଟାଫ ନିୟୋଜିତ ରହିବେ । ସେହିପରି ଦିବ୍ୟାଙ୍ଗଙ୍କ  ପାଇଁ ଷ୍ଟ୍ରେଚର ବ୍ୟବସ୍ଥା ରହିଛି । ଯଦି କିଛି ଜରୁରୀକାଳୀନ ଘଟଣା ଘଟେ ତେବେ ମେଡିକାଲ ଟିମ୍‌କୁ ଆକ୍ଟିଭ ରହିବାକୁ ନିର୍ଦ୍ଦେଶ ଦିଆଯିବ ।

ସୁରକ୍ଷା ପାଇଁ ସ୍ୱତନ୍ତ୍ର ପୁଲିସ ଆଉଟପୋଷ୍ଟ

ବରମୁଣ୍ଡା ବସ୍‌ଷ୍ଟାଣ୍ଡକୁ ଦୈନିକ ୯୦୦ରୁ ଅଧିକ ବସ୍‌ ଯିବା ଆସିବା କରିବ । ଯାତ୍ରୀ ସଂଖ୍ୟାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ନିକଟରେ ମୁଖ୍ୟମନ୍ତ୍ରୀ ନୂଆ ଆଉଟ ପୋଷ୍ଟ ଖୋଲିବା ପାଇଁ ନିର୍ଦ୍ଦେଶ ଦେବା ସହ ୮୯ ପୁଲିସ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ଏଥି ମଧ୍ୟରୁ ୨ଜଣ ସବ୍‌-ଇନିସ୍ପେକ୍ଟର, ୯ଜଣ ଆସିଷ୍ଟାଣ୍ଟ ସବ୍‌-ଇନିସ୍ପେକ୍ଟର, ୪ଜଣ ହାବିଲଦାର, ୭୨ଜଣ କନେଷ୍ଟବଳ ଓ ୨ଜଣ ଡ୍ରାଇଭର ରହିବେ । ୨୪ ଘଣ୍ଟିଆ ପାଟ୍ରୋଲିଂ କରିଯିବ । ବସଷ୍ଟାଣ୍ଡରେ ଘରୋଇ ସୁରକ୍ଷାକର୍ମୀ ମଧ୍ୟ ନିୟୋଜିତ ହେବେ । 

ବସ୍‌ ଟର୍ମିନାଲ୍‌ରେ ଓଟିଡିସି ଆଉଟ୍‌ଲେଟ୍‌    


ରାଜ୍ୟର ବିଭିନ୍ନ ସ୍ଥାନକୁ ବୁଲିଯିବା ସମ୍ପର୍କରେ ଯାତ୍ରୀମାନଙ୍କୁ ଅଧିକ ସେବା ଯୋଗାଇଦେବାକୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ବ୍ୟବସ୍ଥା ହୋଇଛି । ପ୍ରଥମ ମହଲାରେ ଏକ ଯାତ୍ରା ସହାୟତା କେନ୍ଦ୍ର ଖୋଲାଯାଇଛି । ଏଥିସହିତ ଏହି ପରିସର ମଧ୍ୟରେ "ଉତ୍କଳ ଆରୋମା' ନାମକ ଏକ କାଫେ ଖୋଲାଯାଇଛି ।

ଆହାର କେନ୍ଦ୍ରରେ ଯାତ୍ରୀଙ୍କୁ ଖାଦ୍ୟ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ 

ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାତ୍ରୀଙ୍କୁ ଖାଦ୍ୟ ବାଣ୍ଟିଛନ୍ତି । ଟର୍ମିନାଲ ଭିତରେ ମଡେଲ ଆହାର କେନ୍ଦ୍ର ନିର୍ମାଣ କରାଯାଇଛି । ରେଷ୍ଟୁରାଣ୍ଟ ଭଳି ଏହି ଆହାର କେନ୍ଦ୍ରରେ ସମସ୍ତ ସୁବିଧା ରହିବ । ଏଥିରେ ସ୍ୱତନ୍ତ୍ର ଡିଜାଇନ୍‌ ଚେୟାର ଟେବୁଲ ରହିବ । ଯାତ୍ରୀଙ୍କୁ ଉନ୍ନତମାନର ଖାଦ୍ୟ ପରଷା ଯିବ । ଏହା ସହ ଏଥିରେ ସ୍ୱତନ୍ତ୍ର ଡିସ୍‌ ୱାସ୍‌ର ବ୍ୟବସ୍ଥା ରହିଛି ।

ପରିଚାଳନାରେ ସହଯୋଗ କରନ୍ତୁ ଯାତ୍ରୀ

ଏହି ବସ୍‌ଟର୍ମିନାଲ ଲୋକଙ୍କର । ଯାତ୍ରୀମାନେ ବସ୍‌ ପରିଚାଳନାରେ ସହଯୋଗ କରନ୍ତୁ । ବସ୍‌ ଟର୍ମିନାଲକୁ ସଫାସୁରୁତା ରଖିବାକୁ ଯାତ୍ରୀଙ୍କୁ ଅନୁରୋଧ କରିଛନ୍ତି ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂ । ସେ କହିଛନ୍ତି ବସ୍‌ ଷ୍ଟାଣ୍ଡ ନିର୍ମାଣ ଆମ ପାଇଁ ବହୁତ ଚ୍ୟାଲେଞ୍ଜ ରହିଥିଲା ।  ବିଡିଏର ସମସ୍ତ କର୍ମଚାରୀ ରାତିଦିନ ଏକ କରି ଏହି ବସ୍‌ଷ୍ଟାଣ୍ଡ ନିର୍ମାଣରେ ଲାଗିଥିଲେ । ଧାର୍ଯ୍ୟ ସମୟ ଭିତରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ସମ୍ଭବ ହୋଇ ପାରିଛି । ଆଗକୁ ସୂଚାରରୂପେ ବସ୍‌ ପରିଚାଳନା ମୁଖ୍ୟ ଚ୍ୟାଲେଞ୍ଜ ରହିବ । ଏହା ସହ ଆଉ ଏକ ଆଇଡିଆଲ ବସ୍‌ଷ୍ଟାଣ୍ଡ ନିର୍ମାଣ ହେବ । ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି । ସ୍ୱତନ୍ତ୍ର ପୁଲିସ ଆଉ ପୋଷ୍ଟ ଖୋଲିଛି । ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ସେ ସମସ୍ତ ଅଧିକାରୀଙ୍କ ସହ, ଘରୋଇ ବସ୍‌ ମାଲିକ ସଂଘ, ବିଡିଏ କର୍ମଚାରୀ, ୱାଟ୍‌କୋ, ପୁଲିସ, ନିର୍ମାଣକାରୀ ସଂସ୍ଥାକୁ ଧନ୍ୟବାଦ ଦେଇଛନ୍ତି ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିିଂ ।

ବାରିପଦାକୁ ଗଡ଼ିଲା ପ୍ରଥମ ବସ୍‌ 


ବରମୁଣ୍ଡା ବସ୍‌ଟର୍ମିନାଲରୁ ପ୍ରଥମ ବସ୍‌ ବାରିପଦାକୁ ଗଡିଛି । ମୁଖ୍ୟମନ୍ତ୍ରୀ ପତକା ଦେଖାଇବା ପରେ ଯାତ୍ରୀଙ୍କୁ ନେଇ ବସ୍‌ ବାରିପଦା ଅଭିମୁଖେ ବାହାରିଥିଲା । ଯାତ୍ରୀମାନେ ହାତ ଦେଖାଇ ଖୁସି ବ୍ୟକ୍ତ କରିଥିଲେ । ଶନିବାର ଠାରୁ ବସ୍‌ଷ୍ଟାଣ୍ଡ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ । ସବୁ ବସ୍‌ ଆଇଡିଆଲ୍‌ ବସ୍‌ଷ୍ଟାଣ୍ଡ-୧ରେ ରହିବେ । ସମୟ ଅନୁସାରେ ଗାଡି ଗୁଡିକ ପରିଚାଳନା କରାଯିବ ।



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.