ଗୋଚ୍ଛାପଡ଼ା, ୪/୧୧ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍। ଜଣେ ମୃତ, ୨ ଗୁରୁତର। ଫିରିଙ୍ଗିଆ ଥାନା ଅନ୍ତର୍ଗତ ବନ୍ଧଗଡ଼ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ମୃତକ ଜଣଙ୍କ ଦୁଃଶାସନ ବେହେରା ହୋଇଥିବା ବେଳେ ଆହତମାନେ ହେଲେ ପଦ୍ମନାଭ ସୁବୁଦ୍ଧି ଓ ଚନ୍ଦ୍ରକାନ୍ତ ସାହୁ। ସମସ୍ତଙ୍କ ଘର କଟକ ଜିଲ୍ଲା ବଡମ୍ବା-ନରସିଂହପୁର ଅଞ୍ଚଳର ଗୋପୀନାଥପୁର।
ସୂଚନା ଅନୁଯାୟୀ, ଏମାନେ କୌଣସି କାମରେ ରାୟଗଡ଼ା ଯାଇଥିଲେ। ଏକ କାର( ଓଡି ୦୨ ବିଏନ ୪୫୯୫)ରେ ଫୁଲବାଣୀ ଆଡକୁ ଫେରୁଥିବା ବେଳେ ବନ୍ଧଗଡ ନିକଟରେ ଗାଡି ଭାରସାମ୍ୟ ହରାଇ ରାସ୍ତା କଡରେ ଏକ ଗଛରେ ବାଡେଇ ହୋଇଯାଇଥିଲା। ଫଳରେ ସମସ୍ତେ ଗୁରୁତର ହୋଇଥିଲେ। ଘଟଣା ସ୍ଥଳରେ ୧୦୮ ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ପ୍ରଥମେ ସାରଙ୍ଗଡ଼ ଓ ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ l ତେବେ ବାଟରେ ଦୁଃଶାସନଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।