ଜେରୁସାଲେମ୍: ଇସ୍ରାଏଲର ଏକ ଜାହାଜ ‘ଗାଲାକ୍ସି ଲିଡର’କୁ ଲାଲ ସାଗରରେ ୟେମେନର ହାଉତି ବିଦ୍ରୋହୀ ଗୋଷ୍ଠୀ ଅପହରଣ କରିନେଇଥିବା ଜଣାପଡ଼ିଛି । ତେବେ ଏହି ଜାହାଜରେ ୫୨ ଜଣ ଥିବା ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଆଜି ହାଉତି ସଂଗଠନର ମୁଖପାତ୍ର କହିଥିଲା ଯେ, ଇସ୍ରାଏଲ କମ୍ପାନିର କୌଣସି ଜାହାଜ କିମ୍ବା କୌଣସି ଜାହାଜରେ ଇସ୍ରାଏଲ ପାତାକା ଲାଗିଥିଲେ ସେଗୁଡ଼ିକୁ ଟାର୍ଗେଟ କରାଯିବ ।
ସେପଟେ କୌଣସି ଦେଶରେ ଏଭଳି ଜାହାଜରେ କାର୍ଯ୍ୟ କରୁଥିବା ନିଜ ନାଗରିକଙ୍କୁ ସ୍ବଦେଶ ଫେରିଆସିବା ଲାଗି ସିରିୟା ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏକ୍ସିଓଜ୍ରେ ପ୍ରକାଶିତ ଖବର ଅନୁସାରେ, ଇସ୍ରାଏଲର ଏକ କମ୍ପାନିର ସ୍ବାମୀତ୍ବ ଥିବା ଗାଲାକ୍ସି ଲିଡର ଜାହାଜକୁ ହାଉତି ବିଦ୍ରୋହୀ ଗୋଷ୍ଠୀ ଅପହରଣ କରିନେଇଥିବା ନେଇ ଇସ୍ରାଏଲ ସ୍ବୀକାର କରିଛି । ହେଲେ ଏହାର କିଛି ସମୟ ପରେ ଇସ୍ରାଏଲ ଡିଫେନ୍ସ ଫୋର୍ସ(ଆଇଡିଏଫ) ଏହି ଜାହାଜ ସହ ଇସ୍ରାଏଲର ସଂପର୍କ ଥିବା କଥାକୁ ଖଣ୍ଡନ କରିଛି । ସେପଟେ ଏହି ଜାହାଜ ଇସ୍ରାଏଲ ବ୍ୟବସାୟୀ ରାମି ଉନଗାରଙ୍କର ବୋଲି କେତେକ ମିଡିଆ ରିପୋର୍ଟରେ ଖୁଲାସା ହୋଇଛି ।
ଗାଲାକ୍ସି ଲିଡର ଜାହାଜ ସହ ଦୀର୍ଘ ୨୬ ଘଣ୍ଟା ଯୋଗାଯୋଗ ହୋଇପାରିନଥିଲା । ଏହା ପରେ ଜାହାଜଟି ଅପହରଣ ହୋଇଥିବା ନେଇ ସନ୍ଦେହ ହୋଇଥିଲା। ଲାଲ ସାଗରରେ ଜାହାଜ ସହ ସଂପର୍କ ବିଚ୍ଛିନ୍ନ ହୋଇଥିବା ବେଳେ ଏହାକୁ ହାଉତି ସଂଗଠନ ଦ୍ବାରା ହାଇଜାକ୍ କରାଯାଇଥିବା କୁହାଯାଉଛି । ସେପଟେ ଏହି ସମୟରେ ଜାହାଜରେ କେତେ ଜଣ ଥିଲେ ସେନେଇ ମଧ୍ୟ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆସିଛି । ଲେବାନନ୍ର ଗଣମାଧ୍ୟମ ଅଲ୍ ମାୟାଦିନ ଅନୁସାରେ ଜାହାଜରେ ୫୨ ଜଣ ଥିଲେ । ହେଲେ ଅନ୍ୟ କେତେକ ଗଣମାଧ୍ୟମର ତଥ୍ୟ କହୁଛି ଜାହାଜରେ ୨୨ ଜଣ ଥିଲେ ।
ଲାଲ ସାଗରେ ହାଉତିମାନଙ୍କ ଦ୍ବାରା କାର୍ଗୋ ସିପ୍ ଅପହରଣ ହେବା ଘଟଣା ନିନ୍ଦନୀୟ । ତୁର୍କୀରୁ ଭାରତ ଯାଉଥିବା ଏହି ଜାହାଜରେ ଜଣେ ଅନ୍ତର୍ଜାତୀୟ କ୍ରୁ ମେମ୍ବର ଥିଲେ । ଏଥିରେ କୌଣସି ଇସ୍ରାଏଲ ନାଗରିକ ନଥିଲେ ବୋଲି ଇସ୍ରାଏଲ ସେନାର ମୁଖପାତ୍ର ଡାନିଏଲ ହଜାରି କହିଛନ୍ତି । ସେପଟେ ଜାହାଜଟି ଇସ୍ରାଏଲ ସହ ସଂପର୍କିତ ନୁହେଁ ବୋଲି କହିବାକୁ ସେ ଚେଷ୍ଟା କରିଛନ୍ତି ।