ନୂଆଦିଲ୍ଲୀ, ୨୪।୨: ସମସ୍ତେ ନିଜ ମନ ପସନ୍ଦର ଚାକିରି କରିବାକୁ ଇଚ୍ଛା ରଖିଥାନ୍ତି । କାହାକୁ ମନ ପସନ୍ଦର ଚାକିରିଟିଏ ମିଳେ ତ କିଏ ପରିବାର ପ୍ରତିପୋଷଣ ପାଇଁ ବାଧ୍ୟ ହୋଇ ଯେ କୌଣସି ଚାକିରି କରିଥାଏ । କେଉଁଠି ଦରମା ଭଲ ଥିଲେ, ବାତାବରଣ ଭଲ ହୋଇନଥାଏ, ତ ଆଉ କେଉଁଠି କର୍ମଚାରୀ ଭଲ ନଥାନ୍ତି । ତଥାପି ଲୋକେ ଗୁଜୁରାଣ ମେଣ୍ଟାଇବା ଲାଗି ଚାକିରି କରିଥାନ୍ତି । ଏସବୁ ବାଦ୍ ଏମିତି କିଛି ଚାକିରି ଅଛି, ଯାହା ବାବଦରେ ଶୁଣି ଯେ କେହି ବି ଆଶ୍ଚର୍ଯ୍ୟ ହେବେ ।
ଏମିତି ଏକ ଅଜବ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ଚୀନ୍, ହେବେଇ ପ୍ରାନ୍ତ ବୁଝିଶାନ୍ ସିନିକ୍ ଅଞ୍ଚଳରେ । ଏହି ଅଞ୍ଚଳ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ । ଏଠାରେ ମଙ୍କି କିଙ୍ଗ୍ ନାମକ ଚାକିରି ପାଇଁ ଜଣେ ବ୍ୟକ୍ତିଙ୍କୁ ନିୟୋଜିତ କରାଯାଇଛି । ଚୀନ୍ କିମ୍ୱଦନ୍ତୀରେ ମଙ୍କି କିଙ୍ଗ୍ ବା ସନ୍ ବୁକୋଙ୍ଗ୍ ଏକ ଲୋକପ୍ରିୟ ଚରିତ୍ର । ନିଜର ମାର୍ସଲ ଆର୍ଟ କୌଶଳ ଓ ଶକ୍ତି ପାଇଁ ମଙ୍କି କିଙ୍ଗ୍ ପ୍ରସିଦ୍ଧ ଥିଲେ । ଏହା ଉପରେ ଅନେକ ସିନେମା ଓ ଡ୍ରାମା ମଧ୍ୟ ନିର୍ମିତ ହୋଇଛି । ଅବିକଳ ମଙ୍କି କିଙ୍ଗ୍ ପରି ଜଣେ ବ୍ୟକ୍ତିଙ୍କୁ ମାଙ୍କଡ଼ ବେଶ ଧାରଣ କରି ଗୁମ୍ଫାରେ ରହିବାକୁ ପଡ଼େ । ଏଥିସହ ମାଙ୍କଡ଼ ପାଇଁ ପର୍ଯ୍ୟଟକମାନେ ଦେଉଥିବା କଦଳୀ ମଧ୍ୟ ଖାଇବାକୁ ପଡ଼ିବ ।
ମଙ୍କି କିଙ୍ଗ୍ ଚରିତ୍ରକୁ ଜୀବନ୍ତ କରିବା ପାଇଁ ଏହି ନିଯୁକ୍ତି ସୃଷ୍ଟି କରାଯାଇଛି । ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଜଣେ ବ୍ୟକ୍ତିଙ୍କୁ ମାଙ୍କଡ଼ ସାଜି କଦଳୀ ଖାଇବାକୁ ଦରମା ବାବଦରେ ମିଳିବ ୮୪୨ ଡଲାର ଅର୍ଥାତ୍ ୭୦ ହଜାର ଟଙ୍କା । ଏଥିପାଇଁ ସେହି ବ୍ୟକ୍ତିଙ୍କୁ କେବଳ ମଙ୍କି କିଙ୍ଗ୍ ରୂପ ଧାରଣ କରି ପର୍ଯ୍ୟଟକଙ୍କ ମନୋରଞ୍ଜନ କରିବା ସହ ସେମାନେ ଦେଉଥିବା କଦଳୀକୁ ଖାଇବାକୁ ହେବ । ଏଠାକୁ ଭ୍ରମଣ ପାଇଁ ଆସୁଥିବା ପର୍ଯ୍ୟଟକ ମାଙ୍କଡ଼ ସାଜିଥିବା ବ୍ୟକ୍ତିଙ୍କୁ ନୁଡୁଲ୍ସ ଓ କଦଳୀ ଖାଇବାକୁ ଦିଅନ୍ତି ।
ତେବେ ଏହି ଚାକିରି ପାଇଁ ବ୍ୟକ୍ତିଙ୍କ ଯୋଗ୍ୟତା ମଧ୍ୟ ଥିବା ଦରକାର । ଏଠାରେ ଚାକିରି କରିଥିବା ବ୍ୟକ୍ତିଙ୍କୁ ମାର୍ସଲ ଆର୍ଟ, ଚିନି ଦାଓ ପଞ୍ଚ ଜଣାଥିବା ଦରକାର । ବୁଝିୟାନ୍ ଗୁମ୍ଫା ଫାଇବ୍ ଫିଙ୍ଗର ମାଉଣ୍ଟେନ୍ ଭାବେ ପରିଚିତ । ଚୀନ୍ କିମ୍ୱଦନ୍ତୀ ଅନୁସାରେ, ମଙ୍କି କିଙ୍ଗ୍ ଖୁବ୍ ଦୁଷ୍ଟ ଓ ଚପଳ ଥିଲେ । ଦେବତାମାନେ ତାଙ୍କର ଏଭଳି କାର୍ଯ୍ୟରେ ବିରକ୍ତ ହୋଇ ତାଙ୍କୁ ଫାଇବ୍ ଫିଙ୍ଗର ମାଉଣ୍ଟେନ୍ ମଧ୍ୟରେ କଏଦ୍ କରି ରଖିଥିଲେ । ତେଣୁ ଏହି ଚାକିରିରେ ନିୟୋଜିତ ଥିବା ବ୍ୟକ୍ତିଙ୍କୁ ସେହି ଗୁମ୍ଫା ମଧ୍ୟରେ ରହିବାକୁ ହେବ । ମଙ୍କି କିଙ୍ଗ୍ ପଦ ପାଇଁ ୨ ଜଣ ବ୍ୟକ୍ତିଙ୍କୁ ଚୟନ କରାଯାଇଛି । ଚାକିରିରେ ନିୟୋଜିତ ଥିବା ବ୍ୟକ୍ତିଙ୍କ ପାଇଁ ଗୁମ୍ଫା ଭିତରେ ଏକ ଇଲେକ୍ଟ୍ରିକ୍ ହିଟରର ବ୍ୟବସ୍ଥା କରାଯାଇଛି ।