ଭୁବନେଶ୍ୱର,୧୪/୧୧: ଡିସେମ୍ବର ୧ ତାରିଖରେ ତୁଳସୀ ଯାତ୍ରା କରିବ କଂଗ୍ରେସ । ରାଜ୍ୟର ସମସ୍ତ ବ୍ଲକ୍ ଓସହରରେ ଲୋକଙ୍କଠାରୁ ତୁଳସୀ ସଂଗ୍ରହ କରାଯିବ । ଜିଲ୍ଲା କଂଗ୍ରେସ ସଭାପତିଙ୍କ ତତ୍ତ୍ୱାବଧାନରେ ନଗର/ ବ୍ଲକ୍ ସଭାପତିମାନେ ବୁଥ, ୱାର୍ଡ ଓ ପଞ୍ଚାୟତ ସଭାପତି ତୁଳସୀ ସଂଗ୍ରହ କରିବେ । ପ୍ରତି ବ୍ଲକ୍ ଓ ନଗର କଂଗ୍ରେସ କମିଟି ସଂଗୃହୀତ ତୁଳସୀକୁ ଗାଡ଼ିରେ ଆଣି ୧ ତାରିଖରେ ଭୁବନେଶ୍ୱର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟକୁ ଆଣିବେ । ସଂଗୃହୀତ ତୁଳସୀ ଓ ସଜ ତୁଳସୀ ଧରି ସେହିଦିନ ଶ୍ରୀକ୍ଷେତ୍ର ଅଭିମୁଖେ ତୁଳସୀ ଯାତ୍ରା ବାହାରିବ । ଶରଧାବାଲିଠାରେ ଜଗନ୍ନାଥ ପ୍ରେମୀ ଭକ୍ତ, କଂଗ୍ରେସ କର୍ମୀ ଓ ନେତା ଏକାଠି ହେବେ । ସେଠାରୁ ଶୋଭାଯାତ୍ରାରେ ଯାଇ ପ୍ରଭୁ ଜଗନ୍ନାଥଙ୍କୁ ତୁଳସୀ ଅର୍ପଣ କରିବେ । ପିସିସି ସଭାପତି ଶରତ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ପୁରୀ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା, ରତ୍ନଭଣ୍ଡାରର ଗଣତି, ବେଦାନ୍ତ ଅଧିକୃତ ଜଗନ୍ନାଥଙ୍କ ଅମୃତମଣୋହୀ ଜମି ଓ ଚାଷୀଙ୍କ ଜମିକୁ ଫେରାଇବା ସହ ୬ଟି ଦାବିକୁ ନେଇ ଏହି ଯାତ୍ରା କରାଯାଉଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଏହି ସମସ୍ତ ଦାବିକୁ ନେଇ କଂଗ୍ରେସ ଗତ ଅକ୍ଟୋବର ୧୬ରେ ପୁରୀଠାରେ ବିଶାଳ ସମାବେଶ ଓ ବିକ୍ଷୋଭ ଶୋଭାଯାତ୍ରା କରିଥିଲା । ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ସ୍ମାରକପତ୍ର ଦିଆଯାଇଥିଲା ।
ଅକ୍ଟୋବର ୨୯ ସୁଦ୍ଧା ଦାବି ପୂରା ନହେଲେ ପୁଣି ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ । ସରକାର କୌଣସି ପଦକ୍ଷେପ ନ ନେବାରୁ ପୂରା ରାଜ୍ୟରେ ପ୍ରଭୁ ଜଗନ୍ନାଥଙ୍କ ସମ୍ମୁଖରେ ଗତ ୯ ତାରିଖରେ ସଂକୀର୍ତ୍ତନ ସତ୍ୟାଗ୍ରହ ହୋଇଥିଲା । ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି କଂଗ୍ରେସ ଚେତାଇଥିଲା । ଏଥିପାଇଁ ଆସନ୍ତା ଡିସେମ୍ବର ୧ରେ ତୁଳସୀ ଯାତ୍ରା କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଥିଲେ, ସାରା ରାଜ୍ୟରୁ ସଂଗୃହୀତ ତୁଳସୀ ଓ ସଜ ତୁଳସୀ ନୈବେଦ୍ୟ ଭାବରେ ମହାପ୍ରଭୁଙ୍କ ପାଖରେ ସମର୍ପିତ ହେବ ।
କଂଗ୍ରେସ ଓ ଭକ୍ତଙ୍କର ଦାବି ପ୍ରତି ସରକାର କାନଆଖି ବନ୍ଦ କରିଛନ୍ତି । ତୁଳସୀ ଯାତ୍ରା ଓଡ଼ିଶାର ପୁରପଲ୍ଲୀରେ ଥିବା ଭକ୍ତଙ୍କ ଭାବାବେଗ ସହ ଜଡ଼ିତ ହେବ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଜାନୁଆରୀ ୧୭ରେ ହେବ । ଏହି ପ୍ରକଳ୍ପରେ କ'ଣ କ'ଣ କାମ ହୋଇଛି ଓ କେତେ ଅର୍ଥ ବିନିଯୋଗ ହୋଇଛି, ତାର ବିସ୍ତୃତ ବିବରଣୀକୁ ନେଇ ଶ୍ୱେତପତ୍ର ଜାରି କରିବାକୁ ସେ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ପିସିସି ଇସ୍ତାହାର କମିଟିର ଅଧ୍ୟକ୍ଷ ଶ୍ରୀ ପଞ୍ଚାନନ କାନୁନଗୋ ଉପସ୍ଥିତ ଥିଲେ ।